ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ପରଲୋକ; ୧୦୩ ବର୍ଷ ବୟସରେ ଆର ପାରିକୁ ଗଲେ ସବୁରି ପ୍ରିୟ ‘ନନ୍ଦ ସାର’

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ପରଲୋକ; ୧୦୩ ବର୍ଷ ବୟସରେ ଆର ପାରିକୁ ଗଲେ ସବୁରି ପ୍ରିୟ ‘ନନ୍ଦ ସାର’

ଭୁବନେଶ୍ବର/ ଯାଜପୁର: ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ଆଉ ନାହାନ୍ତି। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ୧୦୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ଏ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସେ ଅସୁସ୍ଥ ହେବା ପରେ ନନ୍ଦ ସାରଙ୍କୁ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ୍ ହସ୍ପିଟାଲ, କଳିଙ୍ଗନଗରରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାର୍ଙ୍କୁ ‘ସମ୍’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଥିଲା।

publive-image

ଶତାୟୁ ଶିକ୍ଷକ ନନ୍ଦ ସାର ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।

ନନ୍ଦ ସାର୍‌ ୧୯୩୯ ମସିହାରେ ନିକଟସ୍ଥ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଦାରିଦ୍ର‌୍ୟ କାରଣରୁ ଆଉ ଅଧିକ ପଢ଼ିନପାରି ଚାଷକାମରେ ମନ ଦେଇଥିଲେ। ସେ ତ ପଢ଼ି ପାରିଲେ ନାହିଁ, କିନ୍ତୁ ତାଙ୍କ ଗାଁର ପିଲାଏ ପାଠ ପଢ଼ନ୍ତୁ ବୋଲି ଚିନ୍ତା କରି ୧୯୪୬ରେ ସେ ନିଜେ ଆରମ୍ଭ କଲେ ଏକ ଚାଟଶାଳି। ଆଉ ତାହା ଏବେ ବି ସକ୍ରିୟ ରହିଛି। ପ୍ରଥମେ ଏହା ତାଙ୍କ ଘର ପିଣ୍ଡାରେ ଚାଲୁଥିଲା। ପରେ ତାହା ଗାଁ ମଝିରେ ଥିବା ହନୁମାନ ମନ୍ଦିର ମଣ୍ଡପକୁ ଉଠି ଆସିଛି। ତାଙ୍କର ପ୍ରଥମ ବ୍ୟାଚ୍‌ ଛାତ୍ରଙ୍କ ମଧ୍ୟରୁ ଅନେକ ଆରପାରିକୁ ଚାଲି ଗଲେଣି। ଚାଟଶାଳି ମାଧ୍ୟମରେ ନନ୍ଦସାର ୩ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି ସେ।

ନନ୍ଦ ସାରଙ୍କ ଚାଟଶାଳୀ ଏପରି ଏକ ସ୍ଥାନ, ଯେଉଁଠି ଦିନେ ଜେଜେ ଅକ୍ଷର ଚିହ୍ନିଥିଲେ, ସେଠାରେ ନାତି ବି ପଢ଼ିଲାଣି। ଦୀର୍ଘ ୭୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମରେ ତାଙ୍କ ଘର। ଆଖପାଖରେ ଚାଟଶାଳି ମାଷ୍ଟ୍ରେ ଭାବେ ସେ ଜଣାଶୁଣା। ଅସୁସ୍ଥ ହେବା ଆଗରୁ ଗାଁର କୁନିକୁନି ପିଲାଙ୍କୁ ସେ ପାଠ ପଢ଼ାଉଥିଲେ। ଏଥିପାଇଁ ସେ କ‌ୌଣସି ପାରିଶ୍ରମିକ ନେଉ ନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe