ବିଧାୟକଙ୍କ ପ୍ରଶ୍ନରେ ଅସହାୟ ମନ୍ତ୍ରୀ ପଦ୍ମିନୀ ଦିଆନ

ବାଚସ୍ପତି କହିଲେ, ମା’ ବସିପଡ଼...ପରେ ତଥ୍ୟ ଦେଇଦେବ

Dailyhunt

ଭୁବନେଶ୍ବର : ବିଧାନସଭାରେ ଆଜି ହସ୍ତତନ୍ତ ଓ ବୟନଶିଳ୍ପୀ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ତାଜୁବ୍ କରିଦେଇଛି। ପ୍ରଶ୍ନକାଳରେ ବିଧାୟକଙ୍କ ପ୍ରଶ୍ନର ସର୍ବନିମ୍ନ ଉତ୍ତର ଦେବାକୁ ବି ମନ୍ତ୍ରୀ ଅସମର୍ଥ ହୋଇଥିଲେ। ‘ପରେ ତଥ୍ୟ ଦେବି’ ବୋଲି କହୁଥି‌େଲ। ପରିସ୍ଥିତି ଏମିତି ହୋଇଥିଲା ଯେ ବାଚସ୍ପତି ଶେଷକୁ କହିଲେ, ‘ମା’ ବସିପଡ଼। ପରେ ତଥ୍ୟ ଦେଇ ଦେବ।’

ଆଜି ପ୍ରଶ୍ନକାଳରେ ସୁରେଶ କୁମାର ରାଉତରାୟ ହସ୍ତଶିଳ୍ପର ପ୍ରଚାର, ପ୍ରସାର ପାଇଁ ରାଜ୍ୟ ସରକାର କି କି କାର୍ଯ୍ୟ କରୁଛନ୍ତି, ତାହା ଉପରେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀମତୀ ଦିଆନ ଲିଖିତ ଉତ୍ତର ପଢ଼ିଥିଲେ, ରାଜ୍ୟରେ ୫୦ ପ୍ରକାର ହସ୍ତଶିଳ୍ପରେ ସମୁଦାୟ ୧,୨୯,୯୫୮ ଜଣ କାରିଗର କାର୍ଯ୍ୟରତ ଅଛନ୍ତି। ହସ୍ତଶିଳ୍ପର ପ୍ରଚାର, ପ୍ରସାର, ବ୍ୟବସାୟ ପାଇଁ ୨୦୧୬-୧୭ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ଋଣ ରାଶି ପ୍ରଦାନ ସହ ସରକାରଙ୍କ ତରଫରୁ ପ୍ରା‌ନ୍ତୀୟ ରାଶି ପ୍ରଦାନ କରାଯାଇଛି।

ଏହା ପରେ ଶ୍ରୀ ରାଉତରାୟ ପ୍ରଶ୍ନ କରିଥିଲେ, କାରିଗରମାନଙ୍କୁ ତାଲିମ୍ ଦିଆଯାଇ ଯନ୍ତ୍ରପାତି ଯୋଗାଇ ଦିଆଯାଉ। ସେମାନେ ଅଧିକ ରୋଜଗାର କଲେ ହସ୍ତଶିଳ୍ପ ବଞ୍ଚିପାରିବ। ଏ ଦିଗରେ ମନ୍ତ୍ରୀ ପଦକ୍ଷେପ ନେବେ କି ? ମନ୍ତ୍ରୀ କହିଥିଲେ, ଏ ତଥ୍ୟ ମୁଁ ପରେ ଯୋଗାଇ ଦେବି।

ଭୂପିନ୍ଦର ସିଂହ ପଚାରିଥିଲେ, କେତେ ସ୍ବୟଂ ସହାୟକ ଗୋ‌ଷ୍ଠୀ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଓ ବ୍ୟବସାୟ କରୁଛନ୍ତି ? ମନ୍ତ୍ରୀ ଉତ୍ତର ଦେଇଥିଲେ, ତଥ୍ୟ ପରେ ଦେବି।
ମନ୍ତ୍ରୀ ଉତ୍ତର ଦେଇପାରୁ ନ ଥିବା ଦେଖି ବାଚସ୍ପତି ଆଉ ଅନ୍ୟ ବିଧାୟକଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ନ ଦେଇ ମୂଳ ପ୍ରଶ୍ନକର୍ତ୍ତା ସୁରେଶ ରାଉତରାୟଙ୍କୁ ଶେଷ ପ୍ରଶ୍ନ ପଚାରିବାକୁ କହିଲେ। ମନ୍ତ୍ରୀଙ୍କ ଏପରି ଅପ୍ରସ୍ତୁତ ଅବସ୍ଥା ‌େଦଖି ଶ୍ରୀ ରାଉତରାୟ ଆଉ ଅତିରିକ୍ତ ପ୍ରଶ୍ନ ନ କରି କହିଥିଲେ, ଆଉ କ’ଣ କହିବି? କାରିଗର ଭାଇମାନଙ୍କୁ ଟିକେ ପ୍ରୋତ୍ସାହନ ଦେଇ ଉଠାଇ ଦିଅନ୍ତୁ। ଏହି ସମୟରେ ଗୃହରେ ବେଶ୍‌ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

କିଛି ସମୟ ପରେ ପୁଣି ପାଳି ପଡ଼ିଥିଲା ମନ୍ତ୍ରୀ ଶ୍ରୀମତୀ ଦିଆନଙ୍କର। ଏଥର ପ୍ରଶ୍ନକର୍ତ୍ତା ଥିଲେ ବିରୋଧୀ ଦଳ ମୁଖ୍ୟ ସ‌େଚତକ ମୋହନ ମାଝୀ। ବୁଣାକାରଙ୍କ ହାରାହାରି ବାର୍ଷିକ ଆୟ ସମ୍ପର୍କରେ ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଲିଖିତ ଉତ୍ତର ପଢ଼ିଥିଲେ, ଜଣେ ବୁଣାକାର ହସ୍ତତନ୍ତ ସମବାୟ ସମିତି ମାଧ୍ୟମରେ ବସ୍ତ୍ର ବୟନ କରି ସେହି ବାବଦରେ ୨୦୧୮-୧୯ ବର୍ଷରେ ହାରାହାରି ୩୪୨୫୦ ଟଙ୍କା ଆୟ କରିଛନ୍ତି ।

ଶ୍ରୀ ମାଝୀ ଅତିରିକ୍ତ ପ୍ରଶ୍ନ ପଚାରିବା ବେଳେ କହିଥିଲେ, ମନ୍ତ୍ରୀ ନୂଅ‌ା ଆସିଛନ୍ତି। ମୁଁ ତାଙ୍କୁ ଅଧିକ ପ୍ରଶ୍ନ ପଚାରି ଅସୁବିଧାରେ ପକାଇବାକୁ ଚାହୁଁନି। କେବଳ ଛୋଟ ଛୋଟ ଦୁଇଟି ପ୍ରଶ୍ନ କରୁଛି। ଜଣେ ବୁଣାକାର ବାର୍ଷିକ ମାତ୍ର ୩୪୨୫୦ ଟଙ୍କା ରୋଜଗାର କରୁଛି ଅର୍ଥାତ ମାସକୁ ୩୦୦୦ ବି ହେଉନି। କିନ୍ତୁ ଜଣେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ଏହାର ତିନି ଗୁଣ। ବୁଣାକାରଙ୍କ ରୋଜଗାର ବଢ଼ାଇବାକୁ ମନ୍ତ୍ରୀ ବ୍ୟବସ୍ଥା କରିବେ କି ? ଆଉ କେତେ ବୁଣାକାର କୌଳିକ ବୃତ୍ତି ଛାଡ଼ି ଦେଉଛନ୍ତି?

ମନ୍ତ୍ରୀ ଉତ୍ତର ଦେବାକୁ ଠିଆ ହେଲେ। କାଗଜପତ୍ର ଖୋଜିଲେ। ତାଙ୍କ ଅସହାୟତା ଦେଖି ବାଚସ୍ପତି କହିଲେ, ଯଦି ଆପଣଙ୍କ ପାଖରେ ଉତ୍ତର ଅଛି ଦିଅନ୍ତୁ। ନଚେତ ପରେ ଯୋଗାଇ ଦେବେ। ମନ୍ତ୍ରୀ କହିଲେ, ‘ପରେ ତଥ୍ୟ ଦେବି।’ ବାଚସ୍ପତି କହିଲେ, ‘ହଉ ମା’, ବସିପଡ଼। ପ‌େର ତଥ୍ୟ ଦେଇ ଦେବ।’ ଏହା ପରେ ଏହି ପ୍ରଶ୍ନ ଉପରେ ଆଉ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ବାଚସ୍ପତି ଅନ୍ୟ ବିଧାୟକଙ୍କୁ ସୁଯୋଗ ଦେଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe