ଶ୍ରୀଜିଉଙ୍କ ସ୍ନାନଯାତ୍ରା: ରାତି ୧ଟାରୁ ପହଣ୍ଡି, ମଧ୍ୟାହ୍ନ ୧୨ଟା ମଧ୍ୟରେ ହାତୀବେଶ

Advertisment

କୋଭିଡ-୧୯ ମୁକାବିଲା ପାଇଁ ସମୟ ପରିବର୍ତ୍ତନ, ସାମାଜିକ ଦୂରତାକୁ ଗୁରୁତ୍ୱ

କୋଭିଡ-୧୯ ମୁକାବିଲା ପାଇଁ ସମୟ ପରିବର୍ତ୍ତନ, ସାମାଜିକ ଦୂରତାକୁ ଗୁରୁତ୍ୱ

ଶ୍ରୀଜିଉଙ୍କ ସ୍ନାନଯାତ୍ରା: ରାତି ୧ଟାରୁ ପହଣ୍ଡି, ମଧ୍ୟାହ୍ନ ୧୨ଟା ମଧ୍ୟରେ ହାତୀବେଶ

ପୁରୀ: ଶ୍ରୀଜିଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୀତିନର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଗାମୀ ଜୁନ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ। ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା ଅନୁସାରେ ଜୁନ୍‌ ୫ ତାରିଖ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ଭୋର୍‌ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ। ଭୋର ୪ଟା ୪୦ରେ ମଇଲମ ଓ ୫ଟାରେ ଠାକୁରଙ୍କୁ ତଡ଼ପ ଲାଗି କରାଯିବ।

ଏହାପରେ ଅଧର ପୋଛା, ଅବକାଶ, ରୋଷହୋମ ନୀତି ହେବ। ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ନୀତି ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନନୀତି ହେବ। ପୂର୍ବାହ୍ନ ୧୦ଟା ୩୦ରେ ସ୍ନାନବେଦୀରେ ଗଜପତିଙ୍କ ଛେରା ପହଁରା, ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହାତୀ ବେଶ ହେବ।  ବାହୁଡ଼ା ପହଣ୍ଡି ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ କରାଯିବ।

publive-image New Doc 2020-05-27 19.22.44

ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ତାହାର ତାଲିକା ମଗାଯାଇଛି। ଏହି ତାଲିକା ୨ ଦିନ ଭିତରେ ମିଳିବ ବୋଲି ଆଶା କରାଯାଉଛି। ତାଲିକା ମିଳିବା ପରେ ଆଗାମୀ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ। ବୈଠକରେ ଆଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ସେ କହିଛନ୍ତି, ସ୍ନାନଯାତ୍ରା ସମୟରେ ଯାହାକୁ ଯେଉଁ ନୀତି କରିବାର ଅଛି, ତାହା କରିବାକୁ ହେବ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରଥମ ଥର ସମୟରେ ପରିବର୍ତ୍ତନ ହୋଇଛି। କରୋନା ଭାଇରସ ପାଇଁ ସ୍ନାନଯାତ୍ରାରେ ଏଭଳି ପରିବର୍ତ୍ତନ କରାଯାଇଛି। ପହଣ୍ଡି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ସେହିପରି ସେବାୟତମାନଙ୍କର କରୋନା ନମୁନା ପରୀକ୍ଷା ଜାରି ରହିବ ବୋଲି ପ୍ରଶାସକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe