ସଅଳ ପହଣ୍ଡି, ବିଳମ୍ବରେ ରଥଟଣା: ବାରମ୍ବାର କଡ଼ ମାଡ଼ିଲା ତାଳଧ୍ବଜ ରଥ

Advertisment
ସଅଳ ପହଣ୍ଡି, ବିଳମ୍ବରେ ରଥଟଣା: ବାରମ୍ବାର କଡ଼ ମାଡ଼ିଲା ତାଳଧ୍ବଜ ରଥ

ପୁରୀ: ସକାଳୁ ପହଣ୍ଡି ସଅଳ ହେଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଚର୍ଚ୍ଚା ହେଲା ଆଉ ଦୁଇଦିନ ରଥ ଗଡ଼ିବନି। ଗୋଟିଏ ଦିନରେ ହିଁ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଯିବେ। କିନ୍ତୁ ଭାବ ବିନୋଦିଆ କାଳିଆ ସାଆନ୍ତେ ଆଶୀର୍ବାଦ ବିନା କିଛି ବି ସମ୍ଭବ ନୁହେଁ। ତାଙ୍କ ଇଚ୍ଛା ଥିଲା ଭିନ୍ନ। କାଲି ବି ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାର ଇଚ୍ଛା ରଖିଥିବା କାଳିଆ ସାଆନ୍ତ ତାଙ୍କ ଲୀଳା ରଚିଛନ୍ତି। ଆଜି ପହଣ୍ଡି ସଅଳ ହୋଇଥିଲେ ବି ରଥଟଣାରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ତିନି ରଥ ବିଶେଷ ଆଗକୁ ଗଡ଼ି ପାରିନାହାନ୍ତି। ଅନ୍ଧାର ହୋଇଯିବାରୁ ସନ୍ଧ୍ୟା ୬ଟା ୪୫ରୁ ରଥଟଣା ବନ୍ଦ ରଖାଯାଇଛି। ବାରମ୍ବାର ଡାହାଣ ଓ ବାମ କଡ଼ ମାଡ଼ି ତାଳଧ୍ବଜ ରଥ ଗଡ଼ିବାରୁ ରଥଟଣା ବିଳମ୍ବ ହୋଇଛି।

ଗତକାଲି ରାତିରୁ ଆଜିର ନୀତି ଆରମ୍ଭ ହେବାକୁ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଆରମ୍ଭରୁ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଚାଲିଥିଲା। ଯେଉଁଥିପାଇଁ ଆଜି ବିନା ପହୁଡ଼ରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଅବକାଶ ପୂଜା ଶେଷ ପରେ ଭୋର ୪ଟା ୪୦ରେ ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ୫ଟା ୧୫ରେ ତାଟି ଫିଟିବା ପରେ ୫ଟା ୩୫ରେ ଧୁଆଧୋଇ ହୋଇ ଚୁନ ପାଣି ପଡ଼ିଥିଲା। ସକାଳ ୬ଟା ୧୦ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ପରେ ସାଢ଼େ ୬ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୧୨ଟା ଭିତରେ ଏହି ନୀତିକାନ୍ତି ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ସେନାପଟା ଲାଗି ଶେଷ ହୋଇ ସାରିଥିଲା।

ଯେହେତୁ ଆଜି ଭକ୍ତଙ୍କୁ ନବଯୌବନ ଦର୍ଶନ ବନ୍ଦ ରଖାଯାଇଥିଲା, ସେଥିପାଇଁ ଶୀଘ୍ର ରଥ ପ୍ରତିଷ୍ଠା, ସେନାପଟା ଓ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ରଥ ପ୍ରତିଷ୍ଠ ଶେଷ ହୋଇଥିଲା। ଏଣୁ ପହଣ୍ଡି ବି ଶୀଘ୍ର ହୋଇଥିଲା। ପୂର୍ବାହ୍ଣ ୧୧ଟା ୧୦ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପରାହ୍ଣ ୨ଟା ୨୦ ଭିତରେ ପହଣ୍ଡି ଶେଷ ହୋଇଥିଲା। ପହଣ୍ଡି ଶେଷ ପରେ ସୁନାର ଝାଡ଼ୁରେ ଗଜପତି ମହାରାଜା ଛେରା ପହଁରା କରିଥିଲେ। ଛେରା ପହଁରା ଶେଷ ପରେ ଚାରମାଳ ଫିଟାଯାଇ ଘୋଡ଼ା, ସାରଥି ଲଗାଯାଇଥିଲା। କିନ୍ତୁ ରଥ ଗଡ଼ିବା ବିଳମ୍ବ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe