ଆଜି ବାହୁଡ଼ାଯାତ୍ରା: ପହଣ୍ଡି ବିଜେ ନୀତି ଜାରି

ଆଜି ବାହୁଡ଼ାଯାତ୍ରା: ପହଣ୍ଡି ବିଜେ ନୀତି ଜାରି

ପୁରୀ: ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏଥିପାଇଁ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି।

ଏହି ଅବସରରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି। ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି । ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ପହଣ୍ଡି।

publive-image

ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ତେବେ ନୀତି ସଅଳ ସରିଲେ ରଥଯାତ୍ରା ଭଳି ପହଣ୍ଡି ଓ ରଥଟଣା ବି ସଅଳ ଆରମ୍ଭ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଆଜି ହରିଶୟନ ଏକାଦଶୀ ଥିବାରୁ ଏଥିପାଇଁ ବି ଶ୍ରୀମନ୍ଦିର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏଥିପାଇଁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe