ଭୁବନେଶ୍ବର : ବରୁଣେଇରେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ନିକଟରେ ଫେରାଦ ହୋଇଛନ୍ତି ପାଇକ ପ୍ରତିନିଧି। ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଜାଗା ଦେବାରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି। ତେଣୁ ଏଥିରେ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଚାପ ପକାନ୍ତୁ। ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନଙ୍କ ନେତୃ୍ତ୍ବରେ ଏହି ପ୍ରତିନିଧି ଦଳ ଗତକାଲି ରାଜ୍ୟପାଳଙ୍କୁ ଏ ନେଇ ଅବଗତ କରାଇଥିଲା ବେଳେ ଆଜି ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିେର ଦର୍ଶାଯାଇଛି, ୨୦୧୮ ମାର୍ଚ୍ଚ ୭ ତାରିଖରେ ଏ ନେଇ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବରୁଣେଇରେ ୫୦ ଏକର ଜାଗା ଦେବାକୁ ଅନୁରୋଧ କରିଥିଲେ। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ ମଧ୍ୟ ଚିଠି ଲେଖି ଜାଗା ପାଇଁ ଅନୁରୋଧ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ତାହା ଉପରେ କୌଣସି ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ତେଣୁ କିପରି ଏହି ଜମି ମିଳିପାରିବ ଓ ସ୍ମାରକୀ ନିର୍ମାଣ ହୋଇପାରିବ, ସେଥି ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅନୁରୋଧ କରାଯାଇଛି। ମନ୍ତ୍ରୀ ଶ୍ରୀ ଶର୍ମା କହିଥିଲେ, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ଜାଗା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଏ ନେଇ ଆଉ ଥରେ ମଧ୍ୟ ଅନୁରୋଧ କରାଯିବ। ଏହି ସ୍ମାରକୀ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଏକ ବିଶ୍ବବିଦ୍ୟାଳୟରେ ପାଇକ ବିଦ୍ରୋହର ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପାଇକ ବିଦ୍ରୋହର ବିସ୍ତୃତ ବିବରଣୀ ପ୍ରସ୍ତୁତି ସହ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ଏହା ଛଡ଼ା ପାଇକ ବିଦ୍ରୋହ ଉପରେ ସ୍ବତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯିବ।
ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପ୍ରସଙ୍ଗ : ଜାଗା ମିଳୁ ନ ଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଫେରାଦ
Advertisment
Follow Us