ପାଇକ ସ୍ମାରକୀ ଶିଳାନ୍ୟାସର ୪ର୍ଥ ବର୍ଷ ପୂର୍ତ୍ତି ପାଳିତ

ପ୍ରକଳ୍ପ ନିର୍ମାଣ ଅଟକି ରହିଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ

ପାଇକ ସ୍ମାରକୀ ଶିଳାନ୍ୟାସର ୪ର୍ଥ ବର୍ଷ ପୂର୍ତ୍ତି ପାଳିତ

ଖୋର୍ଦ୍ଧା: ଐତିହାସିକ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍‌କାଳୀନ ରାଷ୍ଟ୍ରପତିଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନର ୪ ବର୍ଷ ପୂର୍ତ୍ତି ହୋଇଛି। ଶୁକ୍ରବାର ପ୍ରସ୍ତାବିତ ସ୍ଥଳରେ ୪ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଜିଲ୍ଲାର ବିଭିନ୍ନ ପାଇକ ସଂଗଠନର କର୍ମକର୍ତା, ପାଇକ ଗୁରୁ, ବରିଷ୍ଠ ନାଗରିକ, ଐତିହାସିକମାନେ  ଯୋଗ ଦେଇ ନିର୍ମାଣ ଅଟକି ରହିଥିବାରୁ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ବରୁଣେଇଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭୀମସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିଥି ଓବକ୍ତା ଭାବେ ପାଇକ ସଂଗଠନର ମୁଖ୍ୟସଂଚାଳକ ଇଂ ଶିଶିର କୁମାର ନାୟକ, ଉପଦେଷ୍ଟା ସୁରଥ ବିଶ୍ବାଳ, ପୂର୍ବତନ ବିଧାୟକ ଡ ଦିଲୀପ ଶ୍ରୀଚନ୍ଦନ, ବକ୍ସି ଜଗବନ୍ଧୁ ସ୍ମାରକ ମଞ୍ଚର ସମ୍ପାଦକ ସମରେନ୍ଦ୍ର ବଳିଆରସିଂହ ପ୍ରମୁଖଯୋଗ ଦେଇଥିଲେ। ପାଇକ ବିଦ୍ରୋହ ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା ଓ ସ୍ବାଭିମାନ ସହ ଜଡ଼ିତ। ଏହାର ୨୦୦ ବର୍ଷ ପୂର୍ତି ଅବସ‌ରରେ ଖୋର୍ଦ୍ଧା ଠାରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଉଭୟ କେନ୍ଦ୍ର ଓରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର ଆବଶ୍ୟକ ଜମି ଠାରୁ କମ୍‌ ପରିମାଣରେ ଜମି ଯୋଗାଇଛନ୍ତି। ସେଠାରେ ଥିବା ବିଦ୍ୟୁତ୍‌ଖୁଣ୍ଟ, ବୃକ୍ଷ ହଟିଲେ ପରବର୍ତୀ କାମ ଆରମ୍ଭ ହେବ। କିନ୍ତୁ ବିଭିନ୍ନ କାରଣରୁ ଏହା ହଟିପାରିନାହିଁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଆବଶ୍ୟକ ଆନ୍ତରିକତା ପ୍ରକାଶ ପାଉନାହିଁ। ଆଗାମୀ ୧ ମାସ ମଧ୍ୟରେ ସରକାର ନିର୍ମାଣ ନେଇ ଆଭିମୁଖ୍ୟ ସ୍ପଷ୍ଟ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସକାଶେ ଏକ ପ୍ରସ୍ତାବ କୃଷ୍ଣଚନ୍ଦ୍ର ହରିଚନ୍ଦନଙ୍କ ଦ୍ବାରା ପାରିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ରମଜାନ ଖାଁ, ଅମରେନ୍ଦ୍ର ମହାପାତ୍ର, ରାମନାରାୟଣ ଦାଶ, ଗୋବିନ୍ଦଚନ୍ଦ୍ର ମହାରଣା, ବଳରାମ ଲେଙ୍କା, ଶୁଭ୍ରାଂଶୁ ସାମନ୍ତରାୟ, ଦାଶରଥୀ ରଣସିଂହ, ଡ ଅଶୋକ ରାୟସିଂହଙ୍କ ସମେତ ବକ୍ସି ଜଗବନ୍ଧୁ ସ୍ମୃତି କିମିଟି, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟି, ତାପଙ୍ଗ ଦଳବେହେରା ସ୍ମୃତି ପରିଷତ, କୃତିବାସ ପାଟ୍ଟଷାଣୀ ସ୍ମୃତି ପରିଷଦ, ଉତ୍କଳ ବିକାଶ ପରିଷଦ, ନିଖିଳ ଉତ୍କଳ ପାଇକ ମହାସଂଘ, ଖଣ୍ଡାୟତ କ୍ଷତ୍ରିୟ କଳକୀ ସଂଘ, ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଓକର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe