ବୌଦ୍ଧରେ ଖଜୁରୀ ଗୁଡ଼ର ଉତ୍ପାଦନ ଆରମ୍ଭ

Advertisment
ବୌଦ୍ଧରେ ଖଜୁରୀ ଗୁଡ଼ର ଉତ୍ପାଦନ ଆରମ୍ଭ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ ମାତ୍ରାରେ ଖଜୁରୀ ଗଛ ରହିଛି। ଅନ୍ୟ ରାଜ୍ୟରେ ଖଜୁରୀ ରସରୁ ପ୍ରସ୍ତୁତ ଗୁଡ଼ର ଅନେକ ଆଦର ରହିଛି। ମାତ୍ର ଜ୍ଞାନ କୌଶଳ ଜଣା ନଥିବାରୁ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ଖଜୁରୀ ରସକୁ ତାଡ଼ି ଭାବେ ବ୍ୟବହାର କରାଯାଉଥିବା ବେଳେ ଅନେକ ଗଛରୁ ରସ ସଂଗ୍ରହ କରାଯାଉ ନାହିଁ। ଖଜୁରୀ ତାଡ଼ି କାରବାରକୁ ନେଇ ଅତୀତରେ ଅବକାରୀ ବିଭାଗରେ କିଛି ମାମଲା ମଧ୍ୟ ହୋଇଥିଲା। ଶିଳ୍ପ ବିହୀନ ଜିଲ୍ଲାରେ ଖଜୁରୀ ରସର ସଦ୍‌ବିନିଯୋଗ କରି ଗୁଡ଼ ପ୍ରସ୍ତୁତ କଲେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସମ୍ଭାବନା ରହିଛି। ଏହାକୁ ଆଧାର କରି ୫.୧୨.୨୦୨୧ରେ ‘ସମ୍ବାଦ’ରେ ‘ଖଜୁରୀ ରସ: ଅନ୍ୟ ରାଜ୍ୟରେ ନଲେନ୍‌ ଗୁଡ଼, ବୌଦ୍ଧ ଜିଲ୍ଲାରେ ତାଡ଼ି’ ଶୀର୍ଷକ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ଗୁରୁତ୍ବ ଦେଇଥିଲେ। ସେ ସମୟରୁ ଉଦ୍ୟମ ଆରମ୍ଭ ହୋଇ ବର୍ତ୍ତମାନ ତା’ର ସଫଳ ରୂପାୟନ ହୋଇଛି।

ରାଜ୍ୟ ତାଳଗୁଡ଼ ସମବାୟ ସଂଘ ପକ୍ଷରୁ ତାଳ ଓ ଖଜୁରୀ ଗଛ ପ୍ରବଣ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଗତ ବର୍ଷ ଅକ୍ଟୋବର ମାସରେ ସର୍ବେକ୍ଷଣ କରାଯାଇଥିଲା। ଉଭୟ କିସମର ଗୁଡ଼ ପ୍ରସ୍ତୁତ ପାଇଁ ୧୦ଟି ଗାଁ ଚିହ୍ନଟ କରାଯାଇଛି। ପ୍ରାଥମିକ ଭାବରେ ଶୀତ ଦିନରେ ଉତ୍ପାଦିତ ହେଉଥିବା ଖଜୁରୀ ସଂଗ୍ରହ ଓ ଗୁଡ଼ ତିଆରି ପାଇଁ ନାଏକପଡ଼ା, ତାଳବାହାଲ ଓ ଚନ୍ଦନନଗର ଗାଁ’ର ୧୫ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ଏକ କିଲୋ ଗୁଡ଼ ପ୍ରସ୍ତୁତ ପାଇଁ ୧୦ ଲିଟର ରସ ଆବଶ୍ୟକ ହେଉଥିବା ବେଳେ ବୌଦ୍ଧରେ ମାତ୍ର ୭ ଲିଟରରେ ପ୍ରସ୍ତୁତ ହେଉଛି। ତାଲିମ ବେଳେ ପ୍ରସ୍ତୁତ ୫୦ କିଲୋ ଗୁଡ଼କୁ ତାଳଗୁଡ଼ ସମବାୟ ସଂଘକୁ ହସ୍ତାନ୍ତର କରାଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ଷର ୩ ମାସ ରସ ମିଳୁଥିବାରୁ ଅନ୍ୟ ସମୟରେ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ବିଡିଓ ଅବିନାଶ ପାଣ୍ଡିଆ, ଡିଆଇସି ଜିଏମ ବଳଭଦ୍ର ନାୟକ, ଡିଆଇପିଆରଓ ରୀତାକାନ୍ତି ବଳିଆରସିଂହ, ତାଳଗୁଡ଼ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର, ସ୍ବତନ୍ତ୍ର ପରିଚାଳନା ଅଧିକାରୀ ଗୋପାଳ କୃଷ୍ଣ ପଟ୍ଟନାୟକ ଓ ପରିଚାଳକ ଅଜିଜ କିରନ ପାଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe