ଯନ୍ତ୍ରଣା ଦେଲା ପଞ୍ଚକ ଦର୍ଶନ: ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼, ଠେଲାପେଲା, ଘଣ୍ଟାଘଣ୍ଟା ଧରି ଛିଡ଼ାହେଲେ ଭକ୍ତ

ଏତେ ବ୍ୟବସ୍ଥା, ପ୍ରସ୍ତୁତି ସତ୍ତ୍ବେ ଯନ୍ତ୍ରଣା ଦେଇଛି ପଞ୍ଚକ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବା ପରେ କ୍ଷୋଭ ଝାଡ଼ିଛନ୍ତି ଭକ୍ତ। ପଞ୍ଚକ ବ୍ରତ ସହ ସ୍ବତନ୍ତ୍ର ବେଶ ଦର୍ଶନରେ ପୁଣ୍ୟ ପ୍ରାପ୍ତିର ଆଶା ନେଇ ଧାଇଁ ଆସିଲେ ସିନା, ବହୁ ସମୟ ଧାଡ଼ିରେ ଛିଡ଼ା ହେବାର ଯାତନା ଭୋଗିଲେ।

sfsffszxzcvc

ପୁରୀ: ଏତେ ବ୍ୟବସ୍ଥା, ପ୍ରସ୍ତୁତି ସତ୍ତ୍ବେ ଯନ୍ତ୍ରଣା ଦେଇଛି ପଞ୍ଚକ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବା ପରେ କ୍ଷୋଭ ଝାଡ଼ିଛନ୍ତି ଭକ୍ତ। ପଞ୍ଚକ ବ୍ରତ ସହ ସ୍ବତନ୍ତ୍ର ବେଶ ଦର୍ଶନରେ ପୁଣ୍ୟ ପ୍ରାପ୍ତିର ଆଶା ନେଇ ଧାଇଁ ଆସିଲେ ସିନା, ବହୁ ସମୟ ଧାଡ଼ିରେ ଛିଡ଼ା ହେବାର ଯାତନା ଭୋଗିଲେ। ପବିତ୍ର କାର୍ତ୍ତିକ ମାସ ଅନ୍ତିମ ଚରଣରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ପଞ୍ଚକ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ। ମହାପ୍ରଭୁ ଆଜି ଶୟନରୁ ଉଠିବା ପରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଥିଲେ। ଧର୍ମ ମାସ ପଞ୍ଚକ ପ୍ରଥମଦିନରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ସଂଦର୍ଶନ ପାଇଁ ଭକ୍ତଜନଙ୍କର ବିରାଟ ସମାଗମ ହୋଇଥିଲା। ନୀତି ବହୁଳ ଯୋଗୁଁ ଭକ୍ତ ଧାଡ଼ିରେ ୫ ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା ହୋଇଥିଲେ। ଠେଲାପେଲାରେ ବ୍ୟାରିକେଡ୍‌ ଭାଙ୍ଗିଥିଲା। ବହୁ ଭକ୍ତ ଧୈର୍ଯ୍ୟଚ୍ୟୁତ ହୋଇ ଅନ୍ୟ ଦ୍ବାରରେ ପ୍ରବେଶ ଉଦ୍ୟମ କରି ଆହତ ହୋଇଛନ୍ତି। ଉତ୍ତର ଦ୍ବାରରେ ଠେଲାପେଲାରେ ଦୁଇ ମହିଳା ପଡ଼ିଯାଇ ଆହତ ହୋଇଛନ୍ତି। ବହୁ ଭକ୍ତ ମାର୍କେଟ୍‌ ଛକଠାରୁ ଲମ୍ବିଥିବା ଧାଡ଼ି ଦେଖି ପତିତପାବନଙ୍କୁ ଦର୍ଶନ କରି ଫେରିଯାଇଛନ୍ତି। ପ୍ରାଥମିକ ଆକଳନ ମୁତାବକ ଶ୍ରୀକ୍ଷେତ୍ରରେ ଆଜି ୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। 

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼, ଠେଲାପେଲା
ଘଣ୍ଟାଘଣ୍ଟା ଧରି ଛିଡ଼ାହେଲେ ଭକ୍ତ
ଅନ୍ୟ ଦ୍ବାରରେ ପ୍ରବେଶ ଉଦ୍ୟମ କରି ଆହତ
ଅସହ୍ୟ ଗରମ, ପାଣି ମୁନ୍ଦାଏ ପାଇଁ କଲବଲ 

ଚଳିତ ବର୍ଷ ପଞ୍ଚକର ପ୍ରଥମ ଦିନ ରବିବାର ଛୁଟିଦିନରେ ପଡ଼ିଥିବାରୁ ଭିଡ଼ ଅସମ୍ଭାଳ ହୋଇଛି। ଏ ଭିଡ଼ର କଳନା ଗତକାଲିଠୁ ହୋଇସାରିଥିଲା। ତଥାପି ନିୟନ୍ତ୍ରଣ ବେଳେ ସମସ୍ୟା ଉପୁଜିଲା। ବେଢ଼ାଭିତରେ ମଧ୍ୟ ଦର୍ଶନ ପାଇଁ ଯିବା ବେଳେ ଭକ୍ତ ଠେଲାପେଲାର ସମ୍ମୁଖୀନ ହୋଇଛନ୍ତି। କେବଳ ସିଂହଦ୍ବାର ଦେଇ ପ୍ରବେଶ ଏବଂ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ହେଁ କିଛି ଭକ୍ତ ଅନ୍ୟ ଦ୍ବାରରେ ପ୍ରବେଶ ପାଇଁ ଉଦ୍ୟମ କରି ଠେଲାପେଲାର ଶିକାର ହୋଇଛନ୍ତି। ପଞ୍ଚକ ଦର୍ଶନ ପାଇଁ ଆଜିଠୁ ବ୍ୟାରିକେଡ୍‌ରେ ଭକ୍ତମାନେ ଯିବାର ବ୍ୟବସ୍ଥା ସରିବା କଥା। କିନ୍ତୁ ଆଜି ବି ମାର୍କେଟ୍‌ ଛକରେ ଗାତ ଖୋଳି ବ୍ୟାରିକେଡ୍ କାମ ଚାଲୁ ରହିଥିଲା। ଖାଲି ବ୍ୟାରିକେଡ୍‌ ନୁହେଁ, ମଧ୍ୟାହ୍ନରେ ସେଡ୍‌ ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା କରାଯାଉଥିଲା। ଲକ୍ଷାଧିକ ଭକ୍ତ ଉକ୍ତ ବ୍ୟାରିକେଡ୍‌ ବାଟ ଦେଇ ଯାଉଥିଲେ ହେଁ କାମରେ ମୁଣ୍ଡି ମରାଯାଇନଥିଲା। ବାହାଘର ବେଳେ ବାଇଗଣ ରୁଆ ଭଳି ସ୍ଥିତି ଉପୁଜିଥିଲା। 

 ଚଳିତ ବର୍ଷ ଭକ୍ତଙ୍କ ପାଇଁ ସରକାରଙ୍କ ତରଫରୁ ନିଃଶୁଳ୍କ ଜୋତା ଷ୍ଟାଣ୍ଡ କରାଯାଇଛି। ଜୋତା ଓ ମୋବାଇଲ ପାଇଁ ଠକାମିର ଶିକାର ହେଉଥିବା ଭକ୍ତମାନେ ଏଥର ଠକାମିରୁ ସିନା ବର୍ତ୍ତି ଯାଇଛନ୍ତି, ମାତ୍ର ଚପଲ ଥୋଇବା ପାଇଁ ଯେ ସେମାନଙ୍କୁ ଧାଡ଼ିରେ ଦେଢ଼ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ, ଜଣା ନଥିଲା। ବାସ୍ତବରେ ଜୋତା ଷ୍ଟାଣ୍ଡରେ ରହିଥିବା ସ୍ବେଚ୍ଛାସେବୀମାନଙ୍କର ଅଭିଜ୍ଞତା ନଥିବାରୁ ଏତେ ସଂଖ୍ୟକ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଇଥିଲା। ତେଣୁ ଷ୍ଟାଣ୍ଡରୁ ଧାଡ଼ି ଯାଇ ବ୍ୟାରିକେଡ୍‌ରେ ଲାଗିଥିଲା। ଫଳରେ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଜଣେ ଭକ୍ତ ଜୋତା ଷ୍ଟାଣ୍ଡ ଆଗରେ ଏତେ ଲମ୍ବା ଧାଡ଼ି ଦେଖି କହୁଥିଲେ, ବାପ୍‌ରେ ଆର ବର୍ଷ ଆଉ ଚପଲ ପିନ୍ଧି ଏଠିକି ଆସିବିନି। ଭକ୍ତଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ବୋଲି ଆକଳନ କରି ବ୍ୟାରିକେଡ୍‌ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ନିର୍ମିତ ହେଲା। ଅସହ୍ୟ ଖରାରୁ ସେଡ୍‌ ସିନା ବଞ୍ଚାଇଦେଲା, କିନ୍ତୁ ମରିଚିକୋଟ ଛକ ଯାଏଁ ପାଣି ମୁନ୍ଦେ ପିଇବା ପାଇଁ ବ୍ୟବସ୍ଥା କରାଗଲା ନାହିଁ। ଅସହ୍ୟ ଗରମ ଯୋଗୁଁ ଶ୍ରଦ୍ଧାଳୁ ତ୍ରାହିତ୍ରାହି ଡାକୁଥିଲେ ବି ଏୟାର କୁଲର୍‌ ବ୍ୟବସ୍ଥା ମରିଚିକୋଟ ଛକରୁ ହୋଇଥିଲା। ଭକ୍ତମାନେ ପାଣି ମୁନ୍ଦେ ପାଇଁ ଆଜି ଦିନତମାମ ଡହଳବିକଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe