ପଂଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ: ଶିକ୍ଷିତ ପ୍ରାର୍ଥୀ ଓ ନୂଆ ମୁହଁକୁ ପସନ୍ଦ

Advertisment
ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଢେଙ୍କାନାଳ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂପ୍ରତି ଗାଁ ରାଜନୀତି ସରଗରମ ହୋଇଉଠିଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିଯାଇଥିବା ବେଳେ ଏବେ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ଗାଁର ଉନ୍ନତିରେ ସରପଞ୍ଚଙ୍କ ଭୂମିକା ଅଧିକ ରହୁଥିବାରୁ ଶିକ୍ଷିତ ଓ ନୂଆମୁହଁକୁ ବେଶି ଗୁରୁତ୍ବ ଦିଆଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଗ୍ରାମାଞ୍ଚଳ ଏବଂ ପଞ୍ଚାୟତର ଉନ୍ନତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସରପଞ୍ଚଙ୍କ ମାଧ୍ୟମରେ ହେବ। ଏଥିପାଇଁ ପ୍ରଶାସନ ତଥା ସରକାରଙ୍କ ସହ କାଗଜପତ୍ର ମାଧ୍ୟମରେ ସଂପର୍କ ଯୋଡି ଅନୁଦାନ ଆଣିବା ବିଶେଷ ଗୁରୁତ୍ବ ବହନ କରୁଛି। ଏହାର ସଫଳ ରୂପାୟନ ପାଇଁ ଜଣେ ଶିକ୍ଷିତ ପ୍ରାର୍ଥୀର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ମହିଳାଙ୍କୁ ଗୁରୁତ୍ବ ଦେଇ ସରକାର ଅଧିକାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଥିବାରୁ ସରପଞ୍ଚ ପଦ ପାଇଁ ଗାଁ ଗାଁରେ ମହିଳା ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ମାଇନର ପାସ୍‌ କରିନଥିବା ଅଧିକାଂଶ ପ୍ରାର୍ଥୀ ରହିଛନ୍ତି। ସଂପୃକ୍ତ ମହିଳାମାନେ କ୍ଷମତାସୀନ ହେବା ପରେ ସେମାନଙ୍କ ପାଇଁ “କା”ର ଆବଶ୍ୟକତା ରହିଥିବା ବେଳେ ତାରି ମଧ୍ୟରେ କ୍ଷମତାକୁ ଅନ୍ୟଜଣେ ଦୁରୁପଯୋଗ କରିବାର ନଜିର୍ ରହିଆସିଛି। ଏଥିପାଇଁ ଭୋଟରମାନେ ଏବେ ସଚେତନ ହୋଇ ସରପଞ୍ଚ ପାଇଁ ଶିକ୍ଷିତ ପ୍ରାର୍ଥୀ ଖୋଜୁଥିବା ଗାଁମାନଙ୍କରେ ଆଲୋଚନା ହେଉଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପଦ ହାତେଇବା ପାଇଁ ପ୍ରାର୍ଥୀମାନେ ଯେତିକି ବ୍ୟଗ୍ର, ଭୋଟରଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖାଦେଇଛି। ତେବେ ପ୍ରାର୍ଥୀ ତାଲିକାରେ ଲମ୍ବା ଧାଡି ସବୁକ୍ଷେତ୍ରରେ ଅଡୁଆ ସୃଷ୍ଟି କରିଛି। ତା’ ଭିତରେ ଭୋଟରମାନେ କାହାକୁ ଭୋଟ ଦେଇ ନିଜର ସରପଂଚ, ସମିତି ସଭ୍ୟ, ଏବଂ ୱାର୍ଡ ସଭ୍ୟ ବାଛିବେ , କିଏ ସହଯୋଗ କରିବ, ଗାଁର ଉନ୍ନତି ପାଇଁ କିଏ ଉଦ୍ୟମ କରିବ ସେ ନେଇ ଗାଁମାନଙ୍କରେ ଆଲୋଚନା ପର୍ଯ୍ୟାଲୋଚନା ଜୋର୍ ଧରିଛି। ସରକାର ମହିଳାଙ୍କ ପାଇଁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରଖିଥିବାରୁ ଉକ୍ତ ପଦବିକୁ ହାତେଇବା ପାଇଁ ଅସନ୍ତୁଷ୍ଟମାନେ ନିଜର ସଂପର୍କୀୟ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଛାଡିଛନ୍ତି। ସେମାନଙ୍କ ମଧ୍ୟରେ କେତେକ ମହିଳା ସରପଂଚ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକତା ଠାରୁ ବହୁ କମ୍ ରହିଛି।

ଅନ୍ୟପକ୍ଷରେ ସରକାରୀ ଚିଠି ଓ ପ୍ରଶାସନିକ କାଗଜପତ୍ର ଆଦି ଓଡିଆରେ କରାଯିବାକୁ ଦୀର୍ଘବର୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ତାହା ସଠିକ୍ କାର୍ଯ୍ୟକାରୀ ହୋଇନାହିଁ। ସଂପ୍ରତି ପରୋକ୍ଷରେ ଅମଲାତନ୍ତ୍ର ଶାସନ ଚାଲିଥିବାରୁ ସବୁ କିଛି ସରକାରୀ ନିର୍ଦ୍ଦେଶାନାମା ଜନିତ ଚିଠି ଓ ଯୋଜନା ସଂପର୍କିତ କାଗଜପତ୍ର ଇଂରାଜୀରେ ଚାଲିଛି। ଶିକ୍ଷାଗତ ଯୋଗ୍ୟତାନଥିବା ମହିଳାମାନେ କ୍ଷମତାସୀନ ହେବା ପରେ ତାଙ୍କ ପଦବିକୁ ସେମାନଙ୍କ ସଂପର୍କୀୟ ପୁରୁଷମାନେ ଅତୀତରେ ଉପଭୋଗ କରିବା ସହ ଦୁରୁପଯୋଗ କରିଆସୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଶିକ୍ଷାଗତ ଯୋଗ୍ୟତା କମ୍ ରହୁଥିବାରୁ ମହିଳା ପ୍ରାର୍ଥୀମାନେ ସରକାରୀ ଚିଠିପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହେବା ପାଇଁ ଅନ୍ୟର ସହଯୋଗ ନେବା ପାଇଁ ବାଧ୍ୟ ହୋଇଥାନ୍ତି । ସେହିପରି କୌଣସି କାର୍ଯ୍ୟପାଇଁ ସଠକ୍ ନିଷ୍ପତ୍ତି ନେଇ ନିଜସ୍ବ ମତ ଦେବା ପରିବର୍ତ୍ତେ ଅନ୍ୟଦ୍ବାରା ପରିଚାଳିତ ହୋଇଥାନ୍ତି। ଏହାକୁ ଗ୍ରାମାଂଚଳର ଲୋକମାନେ ଅନୁଭବ କରି ଏବେ ଶିକ୍ଷିତ ପ୍ରାର୍ଥୀ ଓ ନୂଆ ମୁହାଁ ଖୋଜୁଥିବା ନେଇ ଆଲୋଚନା ଜୋର୍ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe