ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦୁଇ ବୃଦ୍ଧା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦୁଇ ବୃଦ୍ଧା

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

ଭଦ୍ରକ/କମର୍ଦ୍ଦା : ରାଜନୀତି ଓ ସମାଜସେବା ଆଗରେ ହାର ମାନିଛି ବୟସ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଚଳିତଥର ବିଭିନ୍ନ ବର୍ଗର ଲୋକେ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହି କ୍ରମରେ ସରପଞ୍ଚ ପ୍ରାର୍ଥିନୀ ଭାବେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଡିହାର ୮୬ ବର୍ଷୀୟା ବୃଦ୍ଧା ଶୈଳବାଳା ପାତ୍ର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ୭୭ ବର୍ଷର ବୃଦ୍ଧା ମୀନତିଲତା ବଳ ଭଦ୍ରକ ବ୍ଲକ ଅନ୍ତର୍ଗତ ଏରଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରା‌ର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

publive-image

୨ ବି–ଟେକ୍ ଛାତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ
ନିଆଳି/ ପାପଡ଼ାହାଣ୍ଡି : କଟକ ନିଆଳି ବ୍ଲକ୍ ଅଲଣା ପଂଚାୟତର ଏକ ଦଳିତ ପରିବାରରୁ ଆସିଥିବା ବି–ଟେକ୍ ଛାତ୍ରୀ ମୋନାଲିସା ମଲ୍ଲିକ (୨୫) ଆଜି ସମିତି ସଭ୍ୟା ପ୍ରାର୍ଥୀ ଭାବେ ବ୍ଲକ୍ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି। ଜଣେ ଦଳିତ ପରିବାରରୁ ଉଚ୍ଚ ଶିକ୍ଷିତା ହୋଇ ରାଜନେତା ହେବାକୁ ପାଦ କାଢିଥିବା ସୁଶ୍ରୀ ମୋନାଲିସା ୨୦୨୦ ରେ ପାଠପଢା ଶେଷକରି ଭୁବନେଶ୍ବରର ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ।

ସେହିଭଳି, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଦିବାସୀ ଛାତ୍ରୀ ବୈଜୟନ୍ତୀ ଜାନୀ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଅନ୍ତର୍ଗତ ଲହରାକାନୀ ଗ୍ରାମର ବୈଜୟନ୍ତୀ ଗତବ‌ର୍ଷ ବିଟେକ୍‌ ପାସ କରିଥିଲେ। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ବିଭିନ୍ନ ସମସ୍ୟା ଦେଇ ସେ ପାଠ ପଢ଼ିଥିଲେ। ଗରିବ ଘରରୁ ଆସିଥିବାରୁ ଲୋକଙ୍କ ସେବା କରିବା ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବୈଜୟନ୍ତୀ କହିଛନ୍ତି। ଆଜି ବୈଜୟନ୍ତୀ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ରଂଜିତା ମଲ୍ଲିକଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

publive-image

ରାଜନୀତିକୁ ଆସିଲେ ଆଦିବାସୀ ଯୁବତୀ
ପାଳଲହଡ଼ା : ବାପା, ମାଆ ଶ୍ରମିକ। ସେମାନେ ୪ ଭଉଣୀ। ଭାଇ ନାହ‌ାନ୍ତି। ମୁଣ୍ତ ଗୁଞ୍ଜିବାକୁ ଭଲ ଘରଟିଏ ବି ନାହିଁ। ରାତି ପାହିଲେ ମୂଲ ଲାଗିଲେ ଘରେ ଚୁଲି ଜଳୁଛି। ତଥାପି ସେ ରାଜନୀତିକୁ ଓହ୍ଲାଇଛନ୍ତି। ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ସେ ହେଉଛନ୍ତି ପାଳଲହଡ଼ା ବ୍ଲକ୍‌ ଇଞ୍ଜିଡ଼ ପଞ୍ଚାୟତ ରଘୁନାଥପୁର ଗାଁର ଆଦିବାସୀ ଯୁବତୀ ସୁରୁମନି ଚାତାର। ୨୧ ବର୍ଷୀୟା ଏହି ଯୁବତୀ ମାଟ୍ରିକ୍‌ ଯାଏଁ ପଢ଼ିଛନ୍ତି। ବାପା, ମାଆଙ୍କ ସହ ଦୈନିକ ମୂଲ ଲାଗି ସେ ପେଟ ପୋଷୁଛନ୍ତି। ଏଭଳି ଆର୍ଥିକ ଅଭାବ ସତ୍ତ୍ବେ ସେ ବିଜେପି ପକ୍ଷରୁ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁରୁମନି କହିଛନ୍ତି, ଦୁଃଖକଷ୍ଟରେ ଘାଣ୍ଟି ହୋଇ ଗରିବ ଅନ୍ତରର ବ୍ୟଥାକୁ ସେ ମର୍ମେ ମର୍ମେ ଅନୁଭବ କରିପାରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଅବହେଳିତ ବର୍ଗଙ୍କ ସେବା କରିବା ପାଇଁ ସେ ରାଜନୀତିକୁ ଓହ୍ଲାଇଛନ୍ତି।

publive-image

ସରପଞ୍ଚ ପଦବି ପାଇଁ ନାମାଙ୍କନ ଭରିଲେ ଦୃଷ୍ଟିହୀନ ପ୍ରାର୍ଥୀ
କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ତାମେର ପଞ୍ଚାୟତର ସରପଞ୍ଚ ପଦବି ପାଇଁ ଜଣେ ଦୃଷ୍ଟିହୀନ ଯୁବକ ନାମାଙ୍କନ ପତ୍ର ଦାଖଲ କରିବା ପରେ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି। ଯୁବକ ଜଣକ ଗଣ୍ତାମେର ପଞ୍ଚାୟତର ଦାବ୍ରୀ ଗାଁର ଶାନ୍ତିଲାଲ ଶବର ବୋଲି ଜଣାପଡ଼ିଛି। ସେ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନିଜ ପଞ୍ଚାୟତର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତ। ଗାଁ ଲୋକଙ୍କ ଅନୁରୋଧ କ୍ରମେ ସେ ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe