ଆଜି ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଗଡ଼ ସମେତ ୧୬ ଜୋନ୍‌ରେ ମତଦାନ, ଦିନକର ରାଜା ‘‌ଭୋଟର୍’

Advertisment
ଆଜି ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଗଡ଼ ସମେତ ୧୬ ଜୋନ୍‌ରେ ମତଦାନ, ଦିନକର ରାଜା ‘‌ଭୋଟର୍’

Sambad

ବ୍ରହ୍ମପୁର : ଆଜିଠୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ। ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍‌ କୁକୁଡ଼ାଖଣ୍ଡି, ଶେରଗଡ଼, ହିଞ୍ଜିଳିକାଟୁ, ଶେରଗଡ଼ ଓ ଦିଗପହଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ପ୍ରାର୍ଥୀମାନଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି। ସବୁ ପ୍ରାର୍ଥୀଙ୍କ ନତମସ୍ତକ ଅନୁରୋଧ ଓ କାକୁତିମିନତି ଶେଷ ହୋଇଛି। ଭୋଟର୍ ହିଁ ଆଜି ଗୋଟିଏ ଦିନର ରାଜା। କେବଳ ତା’ ମୁହଁରେ ହସ। ସେପଟେ ରାତାରାତି ଭୋଟର୍‌ମାନଙ୍କୁ ମନାଇବାକୁ ପ୍ରାର୍ଥୀ ଅନ୍ଧାରୀ ବିଜେ କରୁଛନ୍ତି। କେଉଁଠି ଟଙ୍କା ବଣ୍ଟା ହେବ ତ, ଆଉ କାହାପାଖରେ ଖାଦ୍ୟପୁଡ଼ିଆ ପହଞ୍ଚିବ। ଖାଲି ଏତିକି ନୁହେଁ, କିଛି ଗ୍ରାମାଞ୍ଚଳରେ ଲୁଚାଛପାରେ ମଦ, ଟଙ୍କା ବଣ୍ଟା ସରିଲାଣି। ସେପଟେ ବିଭିନ୍ନ ରାଜନୈତିକ ଶିବିରରେ ରିପୋର୍ଟ ପ୍ରସ୍ତୁତ ଚାଲିଛି। ୧୬ଟି ଜୋନ୍‌ରୁ କେଉଁଠି ଦଳର ସ୍ଥିତି ଭଲ ଅଛି, କେଉଁଠି ଚ୍ୟା‌ଲେଞ୍ଜ୍‌ପୂର୍ଣ୍ଣ ବାତାବରଣର ସମ୍ମୁଖୀନ ହେବାକୁ ପଡ଼ିବ, ଏହାକୁ ନେଇ ଆତ୍ମସମୀକ୍ଷା ଚାଲିଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ଼ ଏବଂ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଲକ୍‌ ସମେତ ପୋଲସରା ବ୍ଲକ୍ ଅଧୀନ ମୋଟ ୧୬ଟି ଜୋନ୍‌ର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।

publive-image iNews

୨୦୧୭ ନିର୍ବାଚନର ଫଳାଫଳକୁ ଆକଳନ କଲେ, ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ୬୭, ୬୮ ଓ ୬୯ ନମ୍ବର ଜୋନ୍‌ରେ ବିଜେଡି ବାଜିମାତ୍ କରିଥିଲା। ତିନିଜଣ ପ୍ରାର୍ଥୀ ଯଥାକ୍ରମେ ୧୨,୨୩୪, ୧୨, ୦୬୧ ଏବଂ ୧୨,୨୦୩ ଖଣ୍ଡ ଭୋଟ ପାଇଥିଲେ। ଦ୍ବିତୀୟ ସ୍ଥାନରେ ବିଜେପି ରହିଥିବା କଂଗ୍ରେସକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ସେହିପରି ଶେରଗଡ଼ ବ୍ଲକ୍ ଅଧୀନ ୫୬, ୫୭ ଓ ୫୮ ନମ୍ବର ଜୋନ୍‌ରେ ବି ବିଜେଡି ବିଜୟୀ ହୋଇଥିବା ବେଳେ ଏଠାରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲା। କିନ୍ତୁ କଂଗ୍ରେସ ତୃତୀୟ ସ୍ଥାନରେ ଥିଲା।
ହେଲେ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବ୍ଲକ୍‌ରେ ବିଜେପିର ଭୋଟ୍‌ହାର ବୃଦ୍ଧି ପାଇବା ପରେ ଦଳୀୟ ନେତାଙ୍କ ଭିତରେ ଆତ୍ମବିଶ୍ବାସ ମଧ୍ୟ ସେହି ଅନୁପାତରେ ବଢ଼ିଛି। କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନ ପ୍ରଚାରରେ ହେଭିୱେଟ୍ ନେତା ସାମିଲ ହୋଇ ନଥିଲେ ହେଁ, ସମସ୍ତ ଜୋନ୍ ଏବଂ ପଞ୍ଚାୟତରେ ଦଳ ଭଲ ପ୍ରଦର୍ଶନ କରିବା ସହ ବିଜେଡିକୁ କଡ଼ା ଟକ୍କର୍ ଦେବା ପାଇଁ ଆଶାବାଦୀ ଅଛି। ସେହିପରି ବିଜେଡି ୬ଟି ଯାକ ଜୋନ୍‌ରେ ସ୍ଥିତି ବଜାୟ ରଖିବ ବୋଲି ବରିଷ୍ଠ ନେତାମାନେ ଦୃଢ଼ୋକ୍ତି କରିଛନ୍ତି। ତେବ‌େ ଦଳ ଭିତରେ ଗ‌ୋଷ୍ଠୀକନ୍ଧଳ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ଶେରଗଡ଼ ବ୍ଲକ୍‌ର ପ୍ରାୟତଃ ସମସ୍ତ ପଞ୍ଚାୟତରେ ବିଜେଡି-ବିଜେଡି ଭିତରେ ଲଢ଼େଇ ଦେଖିବାକୁ ମିଳିବା ଚର୍ଚ୍ଚା ହେଉଛି। ଆଉ ଏକ ବଡ଼ କଥା ହେଲା, ଗତ ୨୦୧୭ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀରେ ଦମ୍‌ଦାର ଢଙ୍ଗରେ ପ୍ରଚାର କରିଥିଲେ। କିନ୍ତୁ ଏଥର ତାହା ଦେଖିବାକୁ ମିଳିଲା ନାହିଁ। ତଥାପି ସାମୂହିକ ଭାବେ ବିଜେଡି-ବିଜେପି ସମସ୍ତ ଜୋନ୍‌ରୁ ମୁହାଁମୁହିଁ ହେବେ ବୋଲି ଆକଳକ କରାଯାଉଛି।
publive-image
ସେହିପରି ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ବ୍ଲକ୍‌ର ୨୫, ୨୬, ୨୭ ଓ ୨୮ ନମ୍ବର ଜୋନ୍ ବିଜେଡିର ଗଡ଼ ଭାବେ ପରିଗଣିତ ହୋଇଆସୁଛି। ଗତ ନିର୍ବାଚନରେ ସମସ୍ତ ଜୋନ୍‌ରେ ଦଳ ବିଜୟୀ ହୋଇଥିଲା। ୨୫, ୨୬ ଓ ୨୮ ନମ୍ବର ଜୋନ୍‌ରେ ବିଜେପି ଓ୨୭ ନମ୍ବର ଜୋନ୍‌ରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିଲା। ଏଥର ବି ସମସ୍ତ ଜୋନ୍‌ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ବିଜୟଧାରାକୁ ବଜାୟ ରଖିବା ଦେଇ ଦୃଢ଼ ଆଶାବାଦୀ ରହିଛି। ହେଲେ ଏଠାରେ ମଧ୍ୟ ବିଜେଡିର ଖୋଲାଖୋଲି ଗୋଷ୍ଠୀ ବିବାଦ ବିଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି। ଯାହାକି ଭ‌ୋଟବ୍ୟାଙ୍କ୍‌କୁ ସାମାନ୍ୟ ପ୍ରଭାବିତ କରିପାରେ ବୋଲି ଆକଳନ ହେଉଛି। ସେପଟେ ୨୬ ନମ୍ବର ଜୋନ୍‌ରେ ବିଜେପି ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଗୋଷ୍ଠୀର ପ୍ରାର୍ଥୀ ମୁହାଁମୁହିଁ ହେଉଛନ୍ତି। ଫଳରେ ଉଭୟ ଦଳ କଡ଼ା ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ କୁକୁଡ଼ାଖଣ୍ଡି ବ୍ଲକ୍‌ ଅଧୀନ ୮ ନମ୍ବର ଜୋନ୍‌କୁ କଂଗ୍ରେସ ଏବଂ ୧୦ ନମ୍ବର ଜୋନ୍‌କୁ ବିଜେଡି ହାତେଇବାରେ ସଫଳ ହୋଇଥିଲା। ୯ ନମ୍ବର ଜୋନ୍ ବିଜେଡି ଭାଗ୍ୟରେ ପଡ଼ିଥିଲା। କିନ୍ତୁ ଏଥର ସମସ୍ତ ଜୋନ୍‌ରେ ରାଜନ‌ୈତିକ ସମୀକରଣ ବଦଳିଛି। କଂଗ୍ରେସ ଏକ ପ୍ରକାର ସୁପ୍ତ ପାଲଟିଥିବା ବେଳେ ବିଜେପି ସ୍ଥିତି ଦୋହରାଇବାକୁ ନେଇ ଆତ୍ମବିଶ୍ବାସକୁ ଦୃଢ଼ କରିଛି।

ଅନ୍ୟପକ୍ଷରେ ପୋଲସରା ବ୍ଲକ୍‌ର ୩୮, ୩୯ ଓ ୪୦ ନମ୍ବର ଜୋନ୍‌ରେ ବିଜେଡି-ବିଜେପି ମଧ୍ୟରେ ଦ୍ବିମୁଖୀ ‌ଲଢ଼େଇ ହେବାକୁ ଯାଉଛି। ଉଭୟ ଦଳ ସେମାନଙ୍କ ପ୍ରଚାର ଅଭିଯାନକୁ ଦମଦାର କରିଛନ୍ତି। ଗତ ନିର୍ବାଚନରେ ୩୯ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସେଠୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସେତେବ‌େଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe