ନରସିଂହପୁରରେ ଗୋଷ୍ଠୀ ସଂଘର୍ଷ, ଭୁଜାଲି ମାଡ଼; ମାହାଙ୍ଗାରେ ଏଜେଣ୍ଟଙ୍କୁ ଛୁରାମାଡ଼

ଆଳି ବାଳକାଟିରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ, ମାଛଗାଁରେ ଠେଙ୍ଗାମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା

ନରସିଂହପୁରରେ ଗୋଷ୍ଠୀ ସଂଘର୍ଷ, ଭୁଜାଲି ମାଡ଼; ମାହାଙ୍ଗାରେ ଏଜେଣ୍ଟଙ୍କୁ ଛୁରାମାଡ଼

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଅବିଭକ୍ତ କଟକ ଜିଲ୍ଲାରେ ଶେଷ ହୋଇଛି। କଟକ ଜିଲ୍ଲାର ୩ଟି ବ୍ଲକ୍‌, କେନ୍ଦ୍ରାପଡ଼ାର ୨ଟି ବ୍ଲକ୍‌ ଓ ଜଗତସିଂହପୁରର ଗୋଟିଏ ବ୍ଲକ୍‌କୁ ମିଶାଇ ଏହି ଅଞ୍ଚଳରେ ମୋଟ ୬ଟି ବ୍ଲକ୍‌ରେ ଆଜି ମତଦାନ ହୋଇଛି। ତେବେ, ଏହି ମତଦାନ ସମୟରେ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମାହାଙ୍ଗା ବ୍ଲକ୍‌ରେ ୭୬.୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମାହାଙ୍ଗା ୧ ନମ୍ବର ବୁଥ୍‌ର ପୋଲିଂ ଏଜେଣ୍ଟ୍‌ ପ୍ରଭାତ କୁମାର ମିଶ୍ରଙ୍କୁ ଛୁରାମାଡ଼ ହୋଇଛି। ସେହିପରି ନରସିଂହପୁର ବ୍ଲକ୍‌ରେ ଆଜି ସର୍ବାଧିକ ୭୮.୯୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଏହି ବ୍ଲକ୍‌ ଅନ୍ତର୍ଗତ କୁରାଞ୍ଜ ଗ୍ରାମରେ ନିର୍ବାଚନ ପରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଭୁଜାଲି ମାଡ଼ରେ ପ୍ରଭାସ ରାଉତ ନାମକ ବ୍ୟକ୍ତି ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ବାଳକାଟି ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୧୦ଜଣ ଆହତ ହୋଇଥିବା ବେଳେ ଏହି ବ୍ଲକ୍‌ ସହିରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟ୍‌ ନଳିନୀ ପାତ୍ର ଜାଲ୍‌ ଭୋଟିଂ ରୋକିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ନେଇ ଶ୍ରୀ ପାତ୍ର ପୁଲିସରେ ଅଭିଯୋଗ କରିଛନ୍ତି।

ସେହିଭଳି ଜଗତସିଂହପୁର ଜିଲ୍ଲା ବାଲିକୁଦା‌ ବ୍ଲକ୍‌ରେ ଆଜି ହୋଇଥିବା ମତଦାନରେ ଶତକଡ଼ା ୭୭.୫୭ ଭୋଟର ଭାଗ ନେଇଛନ୍ତି। ଏହି ବ୍ଲକ୍‌ ଅନ୍ତର୍ଗତ ମାଛଗାଁ ୧୭ ନମ୍ବର ବୁଥ୍‌ ନିକଟରେ ଠେଙ୍ଗାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି।

publive-image

ମନ୍ତ୍ରୀ ପ୍ରତିନିଧିଙ୍କ ମୁଣ୍ଡ ଫାଟିଲା
ବୋରିଗୁମ୍ମା : କୋରାପୁଟର ବୋରିଗୁମ୍ମା ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବୁଧବାର ଦିନ ସଂପନ୍ନ ହୋଇଥିବା ବେଳେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଥିବା ସୂଚନା ମିଳିଛି। ‌ଜିଲ୍ଲା ପରିଷଦ ଜୋନ୍‌-୧ରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ବ୍ଲକ୍‌ ପ୍ରତିନିଧି ନରେନ୍ଦ୍ର ବିଶୋଇଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ମିଳିଛି। କଣାଗାଁ ପଞ୍ଚାୟତର କଷାଗୁଡା ଗାଁରେ ବିଜେପି କର୍ମୀ ସଂଘବଦ୍ଧ ଭାବେ ନରେନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହାଫଳରେ ନରେନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିବା କୁହାଯାଉଛି। ସେହିଭଳି ବୋରିଗୁମ୍ମା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସନ୍ଦୀପ ଜାନିଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ମତଦାନ ସମୟରେ ପ୍ରାର୍ଥୀ ଝିଲିମିଲି ଗାଁରେ ହୋଇଥିବା ବୁଥ୍‌ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ଝିଲିମିଲି ଗ୍ରାମର କିଛି ଯୁବକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ସନ୍ଦୀପ ଅଭିଯୋଗ କରିଛନ୍ତି। ଏ ନେଇ ସନ୍ଦୀପ ଜାନି ନିଜ ସମର୍ଥକଙ୍କ ସହ ବୋରିଗୁମ୍ମା ଥାନାକୁ ଯାଇ ଅଭିଯୋଗ କରିଛନ୍ତି।

ପ୍ରିଜାଇଡିଂ ଅଫିସରଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜୁନାଗଡ଼ ବ୍ଲକ୍‌ ଦେଦର ପଞ୍ଚାୟତ ଗୋଲାମୁଣ୍ଡା ଗାଁରେ ପୋଲିଂ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସରଙ୍କୁ ଗ୍ରାମବାସୀ କୋଠରିରେ ତାଲା ଠୁଙ୍କିଥିଲେ। ସେମାନଙ୍କ ଅଭିଯୋଗ ଥିଲା, କିଛି ମହିଳାଙ୍କ ପାଖରେ ଭୋଟର ପରିଚୟପତ୍ର ନଥିବାରୁ ସେମାନେ ଅନ୍ୟ ପରିଚୟପତ୍ର ନେଇ ଭୋଟ ଦେବାକୁ ଆସିଥିଲେ। ଆଉ କିଛି ଭୋଟର ନିର୍ଦ୍ଧାରିତ ସମୟରୁ କିଛି ଡେରିରେ ଆସିଥିଲେ। ସେମାନଙ୍କୁ ପ୍ରିଜାଇଡିଂ ଅଫିସର ଭୋଟ ଦେବାର ସୁଯୋଗ ଦେଇ ନଥିଲେ। ଫଳରେ ସେମାନେ ଉତ୍ତ୍ୟକ୍ତ ହୋଇ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe