କିଏ ପିନ୍ଧିବ ବିଜୟ ମୁକୁଟ: ଆଜିଠୁ ପଞ୍ଚାୟତ ଭୋଟ୍ ଗଣତି

କିଏ ପିନ୍ଧିବ ବିଜୟ ମୁକୁଟ: ଆଜିଠୁ ପଞ୍ଚାୟତ ଭୋଟ୍ ଗଣତି

ଭୁବନେଶ୍ୱର : ଆଜି ଭୋଟ୍‌ ବାକ୍ସ ଖୋଲିବ। କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ୍ ମିଳିଛି ଗୋଟିଏ ପରେ ଗୋଟିଏ ଗଣତି ହେବ। ଏହାପରେ ଜଣାପଡ଼ିବ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ବିଜୟ ମୁକୁଟ ପିନ୍ଧିବେ।

‌ହେଲେ ଭୋଟ୍‌ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିଯାଇଛି। ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ପର କରୁଛନ୍ତି ତାହାକୁ ଦେଖିବାକୁ ସାରା ଓଡ଼ିଶାବାସୀ ଚାତକ ଭଳି ଚାହିଁ ବସିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳ ଆସନ୍ତାକାଲି ଠାରୁ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବାକୁ ଥିବାବେଳେ ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ଭୋଟ୍ ଗଣତି ହେବାକୁ ଥିବାରୁ ୨୬ତାରିଖରେ ୩୧୫ଟି ଜିଲ୍ଲା ପରିଷଦ ଜୋନ, ୨୭ରେ ୩୦୭ଟି ଏବଂ ୨୮ରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୮୯୦ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ।

ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲା ପର‌ିଷଦ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣତି ହେବ। ପ୍ରତି ଜୋନ୍‌ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ବିନା ବିରତିରେ ଗଣନା ହେବ। ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ ଡି କର୍ମଚାରୀ ରହିବେ। କେଉଁ ଟିମ୍‌ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳା ପଡ଼ିବ। ଜଣେ ପ୍ରାର୍ଥୀଙ୍କର ଜଣେ ଏଜେଣ୍ଟ ରହିବେ। ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ଭୋଟ୍ ପାଇଁ ରହିବ। ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଯେଉଁଠି ଭୋଟ୍‌ ଗଣତି ହେବ ସେଠାରେ ନୋଟା ଭୋଟ୍‌ ପାଇଁ ଏକ ଟ୍ରେ ରହିବ। ଏହାପରେ ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ। ଭୋଟ୍‌ ଗଣତି କେନ୍ଦ୍ରକୁ ପ୍ରବେଶ କ‌ଲାବେଳେ ପ୍ରାର୍ଥୀଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ। ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ। ଭୋଟ୍‌ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟ୍‌ ଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ। ଉପରୋକ୍ତ ସମସ୍ତ ନିଷେଧାଦେଶଗୁଡ଼ିକ ମଧ୍ୟ ଭୋଟ୍‌ ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ। ଭୋଟ୍‌ ଗଣତି କେନ୍ଦ୍ର ମଧ୍ୟକୁ ପାଣି ବୋତଲ ନନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସେହିପରି ବ୍ଲକସ୍ତରୀୟ ନିର୍ବାଚନ ଅଧିକାରୀମାନେ ପରିଣାମ ୱେବସାଇଟ୍‌ରେ ଅପ୍‌ ଟୁ ଡେଟ୍‌ ତଥ୍ୟ ଦେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe