ସାକ୍ଷୀଗୋପାଳ: ଉତ୍କଳ ଦିବସ ଅବସରରେ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ସୁଆଣ୍ଡୋରେ ପହଞ୍ଚିଲା ପରେ ସେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତାହା ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯେଉଁ ମହାପୁରୁଷଙ୍କ ତ୍ୟାଗ ଫଳରେ ଆଜି ଦିନରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହି ମହାନ ଯୁଗ ପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିକୁ ପ୍ରେରଣା ଦେଉଛନ୍ତି ଶ୍ରୀ ପାଣ୍ଡିଆନ ମତ ପ୍ରକାଶ କରିଥଲେ।
ସୁଆଣ୍ଡୋରୁ ଫେରିବା ବାଟରେ ଶ୍ରୀ ପାଣ୍ଡିଆନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିଳଷିତ ଓଡ଼ିଶା ଗଠନର ସଂକଳ୍ପ ପୂଜ୍ୟପୂଜା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ପାଇଁ ଗୋପବନ୍ଧୁଙ୍କର ଜନ୍ମ ଓ କର୍ମଭୂମି ସୁଆଣ୍ଡୋର ବିକାଶ ନିମନ୍ତେ ରାଜ୍ୟ ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏ ଜାତି ପ୍ରତି ସମର୍ପଣ ଓ ଅସିମ ତ୍ୟାଗକୁ ଆମର ଉତ୍ତର ପିଢ଼ି ପାଖରେ ପହଞ୍ଚାଇବା ପାଇଁ ସୁଆଣ୍ଡୋ ଗ୍ରାମର ସାମଗ୍ରିକ ବିକାଶ, ଗୋପବନ୍ଧୁଙ୍କ ଷଠିଘରର ସଂରକ୍ଷଣ, ଜୀବନ ବୃତ୍ତାନ୍ତକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିପାଦିତ କରାଯାଇପାରିଛି। ଶ୍ରୀ ପାଣ୍ଡିଆନ ତାଙ୍କ ଗସ୍ତ ସମୟରେ ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ର ନାଥ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଗସ୍ତ ସମୟରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସୁଆଣ୍ଡୋ ଗ୍ରାମରେ ପ୍ରଭୁ ଲୋକେଶ୍ୱରଙ୍କ ମନ୍ଦିର ବେଢ଼ାରେ ରୋଷଘର, ବଳପୁରଠାରେ ପ୍ରଭୁ ବାବା ବାଲୁଙ୍କେଶ୍ୱର ପୀଠର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୫ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ବରିଷ୍ଠ ନେତୃତ୍ୱ ପ୍ରମୋଦ ରାଉତରାୟ, ଦେବାଶିଷ ରାୟ, ସତ୍ୟବାଦୀ ଆତ୍ମାକମିଟିର ଅଧ୍ୟକ୍ଷ ମହମ୍ମଦ ଜିକିରିୟା, ବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ୫-ଟି ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା।
Follow Us