ଛାତ୍ରଙ୍କୁ ସଫଳତାର ସୂତ୍ର ବତାଇଲେ ପାଣ୍ଡିଆନ: ସରକାରୀ ସ୍କୁଲରେ ପଢ଼ି ବି ଶୀର୍ଷକୁ ଯାଇହେବ

Advertisment

ମେଡିକାଲ୍‌ କଲେଜ୍‌ ଭିତ୍ତିଭୂମି, ବାଇପାସ୍‌ର ଅଗ୍ରଗତି ସମୀକ୍ଷା କଲେ

ମେଡିକାଲ୍‌ କଲେଜ୍‌ ଭିତ୍ତିଭୂମି, ବାଇପାସ୍‌ର ଅଗ୍ରଗତି ସମୀକ୍ଷା କଲେ

ଛାତ୍ରଙ୍କୁ ସଫଳତାର ସୂତ୍ର ବତାଇଲେ ପାଣ୍ଡିଆନ: ସରକାରୀ ସ୍କୁଲରେ ପଢ଼ି ବି ଶୀର୍ଷକୁ ଯାଇହେବ

ବଲାଙ୍ଗୀର/କଣ୍ଟାବାଞ୍ଜି/ସଇନ୍ତଳା: ପାଠ୍ୟପୁସ୍ତକ ଜରିଆରେ ଜଣେ ପିଲା କେବଳ ଗୋଟିଏ ସ୍ତରକୁ ପହଞ୍ଚିଥାଏ। କିନ୍ତୁ ସାମୂହିକ ବ୍ୟକ୍ତିତ୍ବର ବିକାଶ ହିଁ ସଫଳତାର ମାପକାଠି। କେବଳ ସେତିକି ନୁହେଁ, କେହି ଭାବିବା ଉଚିତ୍ ନୁହେଁ ଯେ ସରକାରୀ ସ୍କୁଲରେ ପାଠପଢ଼ି ଭଲ କ୍ୟାରିଅର କରିହେବ ନାହିଁ। ଏହା ଭୁଲ୍ କଥା। ବିଶିଷ୍ଟ ଉଦ୍ୟୋଗୀ ସୁବ୍ରତ ବାଗ୍‌ଚୀ, ବରିଷ୍ଠ ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଜଷ୍ଟିସ୍ ସଂଜୟ ମିଶ୍ର, ଡିଜିପି ଅରୁଣ ଷଡ଼ଙ୍ଗୀ, ପାରା ଆଥଲେଟିକ୍ ଖେଳାଳି ପାୟଲ ହେଉଛନ୍ତି ଜଣେ ଜଣେ ଉଦାହରଣ, ଯେଉଁମାନେ ସରକାରୀ ସ୍କୁଲରେ ପଢ଼ି ଶୀର୍ଷକୁ ଯାଇଛନ୍ତି। ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଛାତ୍ରଛାତ୍ରୀଙ୍କ କାନରେ ଏଭଳି ମନ୍ତ୍ର ଫୁଙ୍କିଥିଲେ। ବଲାଙ୍ଗୀର ଷ୍ଟାଡିଅମ୍‌ରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କଠିନ ପରିଶ୍ରମର ବିକଳ୍ପ ନାହିଁ। ଏହା ହିଁ ସଫଳତାର ଏକମାତ୍ର ସୂତ୍ର।
ସେ ଆହୁରି କହିଥିଲେ, ସୁବ୍ରତ ବାଗ୍‌ଚୀ ସରକାରୀସ୍କୁଲରେ ପାଠପଢ଼ି ଓଡ଼ିଶା ସଚିବାଳୟରେ ଜଣେ କିରାଣୀ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ ଚାକିରି ଛାଡ଼ି ଆଇଟି କ୍ଷେତ୍ରରେ ଯୋଗଦେଇଥିଲେ। ମାଇଣ୍ଡ ଟ୍ରି ଆଇଟି କଂପାନି କରି ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ନୀଳମାଧବ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାର। ଗାଁ କଲେଜରେ ପାଠ ପଢ଼ିଥିଲେ। ଯୁକ୍ତ ଦୁଇ ଫେଲ୍ ହୋଇଯିବା ପରେ ଦିଲ୍ଲୀ ଚାଲିଯାଇଥିଲେ।ଆଜି ଭାରତୀୟ ସିନେମା ଜଗତରେ ସେ ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ। ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଜଷ୍ଟିସ୍ ସଂଜୟ ମିଶ୍ର ମଧ୍ୟ ବଲାଙ୍ଗୀର ପୃଥ୍ବୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢ଼ି ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ହୋଇଥିଲେ। ସେହି ହାଇସ୍କୁଲର ଛାତ୍ର ଅରୁଣ ଷଡ଼ଙ୍ଗୀ ଆଜି ପୁଲିସ ଡିଜି ଦାୟିତ୍ବରେ। ପାୟଲ ଦୁର୍ଘଟଣାରେ ହାତ ଗୋଡ଼ ହରାଇଛନ୍ତି। ତାଙ୍କୁ ଆତ୍ମବିଶ୍ବାସ ଯୋଗୁଁ ବଲାଙ୍ଗୀରର ଏହି ଝିଅ ଏବେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଛନ୍ତି। ସେ ନିଜେ ମଧ୍ୟ ସରକାରୀ ସ୍କୁଲରେ ପଢ଼ି ଆଇଏଏସ୍ ପାଇଥିଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କୁ ସବୁ ଦୃଷ୍ଟିକୋଣରୁ ବିକଶିତ କରିବା ପାଇଁ ଉଦ୍ଦିଷ୍ଟ। ପିଲାଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ପାଇଁ ପରିକଳ୍ପନା କରାଯାଇଛି ବୋଲି କହିଥିଲେ।

ମେଡିକାଲ୍‌ କଲେଜ୍‌ ଭିତ୍ତିଭୂମି, ବାଇପାସ୍‌ର ଅଗ୍ରଗତି ସମୀକ୍ଷା କଲେ
ପ୍ରସ୍ତାବ ଅନୁମୋଦନ କରି ପଠାଇଲେ ଖୁବ୍‌ ଶୀଘ୍ର ସଇନ୍ତଳା ଏନଏସି ଘୋଷଣା

ଏହା ପରେ ଶ୍ରୀ ପାଣ୍ଡିଆନ ୩୦୫ କୋଟି ଟଙ୍କା ଅଟକଳରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାସହ ୧୭୬ କୋଟି ଟଙ୍କାରେ ନିର୍ମାଣାଧୀନ ବଲାଙ୍ଗୀର ବାଇପାସ୍‌, ୬୫କୋଟି ଟଙ୍କାରେ ବିକଶିତ ହେବାକୁ ଥିବା ତୁଷୁରା ଏୟାରଷ୍ଟ୍ରିପ୍‌ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ କଣ୍ଟାବାଞ୍ଜି କେଭି କଲେଜ ପଡ଼ିଆରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ‘ଗତ ଜୁଲାଇ ୨୦ ତାରିଖ ବଙ୍ଗୋମୁଣ୍ଡା ବ୍ଲକକୁ ଆସି ସେ ସମସ୍ତଙ୍କ ଅଭିଯୋଗ ଶୁଣିଥିଲି। ସେତେବେଳେ ମିଳିଥିବା ୮୪୦ଟି ଦରଖାସ୍ତ ମଧ୍ୟରୁ ୮ଶହଟିର ସମାଧାନ ହୋଇସାରିଛି। ଅବଶିଷ୍ଟ ୪୦ଟି ଦରଖାସ୍ତର ଶୀଘ୍ର ସମାଧାନ ହେବ। ଗତ ୬ ମାସ ମଧ୍ୟରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର କରିଥିବା ସେ କହିଥିଲେ। ଏଥିରେ ରାଣୀପୁର ଝରିଆଲ ମନ୍ଦିରର ଉନ୍ନତୀକରଣ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଓ ମୁରିବାହାଲ କଲେଜ ତଥା କଣ୍ଟାବାଞ୍ଜି କେଭି କଲେଜର ଉନ୍ନତୀକରଣ ପାଇଁ ଅନୁଦାନ ଦିଆଯାଇଛି। ଏହାଛଡ଼ା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୩୩ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା କହିଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ବସ ପହଞ୍ଚିବା ନେଇ ପ୍ରସ୍ତୁତି ସରିଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ବିଧାୟକ ଆୟୁବ ଖାନ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ଯୁବନେତା ଗିରିରାଜ ସିଂହ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ, ଅମଜତ୍ ଖାନ, ଫିରୋଜ ଖାନ, ହଂସରାଜ ଜୈନ, ରାଜେନ୍ଦ୍ର ବେହେରା, ରାଜ୍ୟ ଯୁବ ବିଜେଡି ସଂପାଦକ ଅଜିତ ଯୋଷୀ, ପିଙ୍କି ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ସଇନ୍ତଳା ରେଳ ଷ୍ଟେସନ ନିକଟ ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମରେ ଆୟୋଜିତ ସଭାରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଟିଟିଲାଗଡ଼ ନିର୍ବାଚନମଣ୍ତଳୀରେ ୧୫୦୦ କୋଟି ଟଙ୍କାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର କାମ ହେଉଥିବା ସୂଚନା ଦେଇଥିଲେ। ସେହିପରି ସଇନ୍ତଲାଠାରେ ସବ୍‌-ରେଜଷ୍ଟ୍ରି ଅଫିସ ଓ ସବ-ଟ୍ରେଜେରି ଅଫିସ୍‌ ପ୍ରତିଷ୍ଠାରେ ବିଳମ୍ବ ହୋଇପାରେ, କିନ୍ତୁ ପଞ୍ଚାୟତ ବୈଠକରେ ପ୍ରସ୍ତାବ ଗୃହୀତ କରି ପଠାଇଲେ ସଇନ୍ତଳାକୁ ତୁରନ୍ତ ଏନ୍‌ଏସି ଘୋଷଣା କରାଯିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାରେ ମନ୍ତ୍ରୀ ଟୁକୁନୀ ସାହୁ, ବିରିଷ୍ଠ ନେତା ବବି ଦାଶ, ଜିଲ୍ଲା ବିଜେଡି ଉପ ସଭାପତି ସୁରେନ୍ଦ୍ର ସାହୁ, ସଇନ୍ତଲା ସରପଞ୍ଚ ସୁବ୍ରତ ନାଗ, ବିବନା ସରପଞ୍ଚ ପୁରୁଷୋତ୍ତମ କଲତା, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ଗଣ୍ତପତ୍ରାପାଲି ସରପଞ୍ଚ ମନିଷ ସୁନା, ଜିଲ୍ଲା ପରିଷଦ ସଦସ୍ୟ ହୀମାଞ୍ଚଳ ବୁଡ଼େକ, ରୀତାରାଣୀ ହାତୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe