ସମ୍ବଲପୁର/ନାକଟିଦେଉଳ: ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ମାରାଥନ୍ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ସମ୍ବଲପୁରର ଅଇଁଠାପାଲିସ୍ଥିତ ପିଏଚ୍ଡି ପଡ଼ିଆ ଓ ରେଢ଼ାଖୋଲର ନାକଟିଦେଉଳରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଉଦ୍ବୋଧନ ଦେଇଥିଲେ। ନବୀନ ପଚାରିଥିଲେ, ମା’ ସମଲେଇଙ୍କ ମନ୍ଦିର ରୂପାନ୍ତର ଭଲ ହୋଇଛି କି? ପୁରୀ ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି? ସମବେତ ଜନତା କରତାଳି ଦେଇ ହଁ ମାରିଥିଲେ। ଏହାବାଦ୍ ବିଏସକେୱାଇ ଯୋଜନା, ମମତା ଯୋଜନା, ୫ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ବିଷୟରେ ଲୋକଙ୍କ ମତ ନେଇଥିଲେ। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଜୁଲାଇରୁ ବିଜୁଳି ବିଲ୍ ଛାଡ଼ ହେବ ବୋଲି ଦୋହରାଇଥିଲେ। ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କରିଥିଲେ ବିଜେଡି ନେତା ଭି.କେ. ପାଣ୍ଡିଆନ। ଓଡ଼ିଶାର ବିକାଶ ପାଇଁ ସେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ପାଣ୍ଡିଆନ କହିଥିଲେ, ସମ୍ବଲପୁରର ପରିଚୟ ହେଉଛି ସମ୍ବଲପୁରୀ ଭାଷା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ପାଇଁ ୫ ଥର ଚିଠି ଲେଖିଛନ୍ତି। ଏହାକୁ ଅନୁମୋଦନ ପାଇଁ କେନ୍ଦ୍ରମନ୍ତ୍ରୀ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି? ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ କରିଛନ୍ତି। କେନ୍ଦ୍ର ସରକାର ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରି ସମ୍ବଲପୁରୀ ପୋଷାକକୁ ରପ୍ତାନି କରାଯାଇ ପାରିଥା’ନ୍ତା। କିନ୍ତୁ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ କଳାକୃତିକୁ ଭଲପାଆନ୍ତି। ତେଣୁ ରାଜ୍ୟ କୃଷି ଭବନକୁ ସେ ସମ୍ବଲପୁରୀ କଳାକୃତିରେ ସଜାଇ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଆଜି ସମଗ୍ର ବିଶ୍ୱରେ ୧ ନମ୍ବର କୋଠା ଭାବରେ ମାନ୍ୟତା ପାଇଛି। ବୀର ସୁରେନ୍ଦ୍ର ସାଏ, ସ୍ୱଭାବ କବି ଗଙ୍ଗଧର ମେହେର, ସନ୍ଥକବି ଭୀମଭୋଇ, ପାର୍ବତୀ ଗିରି ହେଉଛନ୍ତି ଏ ଅଞ୍ଚଳର ପରିଚୟ। ଏମାନଙ୍କ ସ୍ମୃତିରକ୍ଷା ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି? ମହାନଦୀ ଏ ଅଞ୍ଚଳର ଜୀବନଧାରା। ଏ ଅଞ୍ଚଳର ଲୋକେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। କିନ୍ତୁ ସ୍ୱାଭିମାନ କଥା କହୁଥିବା ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ଶୁଖିଲା ଥିବା ବେଳେ ଛତିଶଗଡ଼ ସହିତ ଠିଆହୋଇ ରାଜନୀତି କରିଛନ୍ତି। ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା। ସମଲେଶ୍ବରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବନ୍ଦ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ। ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେ। କିନ୍ତୁ ପ୍ରଣବ ପ୍ରକାଶ ଦାସ ଦିନରାତି ଏକ କରି ଏହି ପ୍ରକଳ୍ପ କାମକୁ ସମ୍ପୂର୍ଣ୍ଣ କରିଛନ୍ତି। ଗ୍ରାମାଞ୍ଚଳର ନିରୀହ ଲୋକ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳି ପେଟ ପୋଷୁଛନ୍ତି। ସେମାନଙ୍କ ଠାରୁ ଜିଏସ୍ଟି ନେବା ବେଳକୁ କେନ୍ଦ୍ର ସରକାରଙ୍କୁ କେମିତି ଦୁଃଖ ଲାଗୁ ନାହିଁ? ଏମ୍ସିଏଲ୍ କମ୍ପାନି ପ୍ରତିବର୍ଷ ଏହି ଅଞ୍ଚଳରୁ ୨୨ ହଜାର କୋଟି ଟଙ୍କା ଲାଭ କରୁଛି। ପ୍ରତିବଦଳରେ ସ୍ଥାନୀୟ ଅଧିବାସୀ ଧୂଆଁ ଏବଂ ପ୍ରଦୂଷଣ ସହୁଛନ୍ତି। କିନ୍ତୁ ଓଡ଼ିଶା ଭାଗରେ ପଡ଼ୁଛି ମାତ୍ର ୪ ହଜାର କୋଟି। ମୁଖ୍ୟମନ୍ତ୍ରୀ ୫ ଟି ସ୍କୁଲ ମାଧ୍ୟମରେ ରୂପାନ୍ତରଣ କରିଛନ୍ତି। କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ କେତୋଟି ସ୍କୁଲ ନିର୍ମାଣ କରିଛନ୍ତି? ଯଦି ସାହସ ଅଛି ତା’ହେଲେ ଆଜି ସନ୍ଧ୍ୟା ସୁଦ୍ଧା ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ପାଣ୍ଡିଆନ ଆହ୍ୱାନ ଦେଇଥିଲେ।
ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ କହିଛନ୍ତି, ସମ୍ବଲପୁରର ବଡ଼ ଦୁଃଖ ହେଲା ଗତ ୫ ବର୍ଷ ହେଲା ଏଠାକାର ସାଂସଦ ଓ ବିଧାୟକମାନେ ଲୋକଙ୍କ ସହିତ ଦେଖା କରିନଥିଲେ କି ଲୋକଙ୍କ ପାଖକୁ ଯାଇନଥିଲେ। ତେଣୁ ତାଙ୍କୁ ସୁଯୋଗ ମିଳିଲେ ୭୫ ବର୍ଷ ହେଲା ଯେଉଁ ବିକାଶ ହୋଇନାହିଁ, ୫ ବର୍ଷରେ ସେହି ବିକାଶ କରାଯିବ। ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସମ୍ବଲପୁରରେ ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି। ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରେଢ଼ାଖୋଲ ଓ ନାକଟିଦେଉଳର ମାଟି ବହୁତ ସୁନ୍ଦର। ଏହାର ମାଟି, ବଣ, ପାହାଡ, ଜଙ୍ଗଲ, ଗଛ,ଫଳ, ଫୁଲରେ ଭରପୂର ରହିଛି। ମୁଖ୍ୟମନ୍ତ୍ରୀ ଏହାର ଉପଯୋଗ କରିବାର ଦାୟିତ୍ୱ ନେଇଛନ୍ତି l ସମ୍ବଲପୁର କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାଏକ, ବିଜେଡି ନେତା ସିଦ୍ଧାର୍ଥ ଦାସ ଓ ନାକଟିଦେଉଳ କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ଅଭିନେତା ଅଶ୍ୱିନୀ, ଅଭିନେତ୍ରୀ ରିୟା, ଚାନ୍ଦିନୀ, ପ୍ରେରଣା, କଣ୍ଠଶିଳ୍ପୀ ରାଜେଶ ଓ ଯାଜ୍ଞସେନୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us