ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ: ‘ଉତ୍କଳମଣି ଏ ଜାତିର ପ୍ରାତଃସ୍ମରଣୀୟ’

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ: ‘ଉତ୍କଳମଣି ଏ ଜାତିର ପ୍ରାତଃସ୍ମରଣୀୟ’

ଭୁବନେଶ୍ବର : ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଦରଦୀ ମଣିଷ ଥିଲେ। ଓଡ଼ିଶାର ହୃଦୟରେ ସେ ସର୍ବଦା ରହିଛନ୍ତି। ଗାନ୍ଧୀଜୀଙ୍କର ଗୋପବନ୍ଧୁଙ୍କ ସହ ନିବିଡ଼ ସଂପର୍କ ରହିଥିଲା। ବ୍ରିଟିସ୍‌ ଶାସନ ସମୟ‌‌ରେ ଓଡ଼ିଶା ସର୍ବହରା ହୋଇଥିବା ବେଳେ ଗୋପବନ୍ଧୁ, ମଧୁବାବୁଙ୍କ ପରି ମହାମାନବମାନଙ୍କ ଆବିର୍ଭାବ ଯୋଗୁଁ ଓଡ଼ିଶା ପ୍ରଦେଶ ଆଜି ସୁଦୃଢ଼ ହୋଇଛି। ଆଜି ଗୋପବନ୍ଧୁଙ୍କ ସ୍ବପ୍ନ ସାକାର ହୋଇପାରିଛି, କାରଣ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା‌‌ରେ ସମଗ୍ର ବିଶ୍ବରେ ପ୍ରଶଂସାର ପାତ୍ର ହୋଇପାରିଛି। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସଭାପତିତ୍ବ କରି ଏହା କହିଛନ୍ତି।

ସମ୍ମାନିତ ବକ୍ତା ଭାବେ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି ଯୋଗଦେଇ କହିଥିଲେ ଯେ ଗୋପବନ୍ଧୁ ନିଜଠାରୁ ବଳି ସମାଜକୁ ସବୁବେଳେ ଅଧିକ ଭଲ ପାଉଥିଲେ। ରାଷ୍ଟ୍ର ତଥା ବିଶ୍ବକୁ ଭଲ ପାଉଥିବା ସେହି ମହାମାନବ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ଅଧିକାରୀ ବିଜୟ କୁମାର ନାୟକ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଅସ୍ମିତା ତଥା ଗର୍ବ ଓ ଗୌରବର ପ୍ରତୀକ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ସେ ଆଦର୍ଶ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।

ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ସେବାକୁ ଜୀବନର ଚରମ ବ୍ରତ ଭାବେ ଗ୍ରହଣ କରି ଉତ୍କଳମଣି ଜନକଲ୍ୟାଣରେ ନିଜକୁ ଉତ୍ସର୍ଗ କରିଥିଲେ। ମାନବସେବା ତଥା ଶିକ୍ଷା, ସାହିତ୍ୟ, ସାମ୍ବାଦିକତା ପ୍ରତ୍ୟେକ କ୍ଷେତ୍ରରେ ସେ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି। ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଧନ୍ୟବାଦ ଦେଇଥିଲେ। ସହ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭାଗ ତରଫରୁ ସକାଳେ ୟୁନିଟ୍‌-୮ସ୍ଥିତ ଗୋପବନ୍ଧୁ ଛକଠାରେ ପ୍ରତିମୂର୍ତ୍ତି‌ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe