ଓଡ଼ିଶା ବାହାରେ ନୀଳକଣ୍ଠଙ୍କୁ ଅଧିକ ଲୋକ ଜାଣନ୍ତୁ: ରାଜ୍ୟପାଳ

Advertisment

ସମର୍ଥନ ଥାଇ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦବୀ ହାତେଇନଥିଲେ: ସୌମ୍ୟ

ସମର୍ଥନ ଥାଇ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦବୀ ହାତେଇନଥିଲେ: ସୌମ୍ୟ

ଓଡ଼ିଶା ବାହାରେ ନୀଳକଣ୍ଠଙ୍କୁ ଅଧିକ ଲୋକ ଜାଣନ୍ତୁ: ରାଜ୍ୟପାଳ

ଭୁବନେଶ୍ବର : ଶିକ୍ଷା, ସାହିତ୍ୟ, ରାଜନୀତି, ଆଧ୍ୟାତ୍ମିକତା ଓ ସର୍ ବୋପରି ସ୍ବାଧୀନତା ସଂଗ୍ରାମ କ୍ଷେତ୍ରରେ ପଣ୍ଡିତ ନୀଳକଣ୍ଠ ଦାସ ନୂତନ ମାନକ ସୃଷ୍ଟି କରିଥିଲେ। ସେ ଥିଲେ ବିବିଧ ପ୍ରତିଭାର ଉତ୍ତୁଙ୍ଗ ବ୍ୟକ୍ତିତ୍ବ। ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକା ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ। ତେବେ ବାସ୍ତବରେ ସେ ଥିଲେ ଶିକ୍ଷାର ଚିରନ୍ତନ ସ୍ରୋତ। କିନ୍ତୁ ପରିତାପର କଥା ଓଡ଼ିଶା ବାହାରେ ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଯେତିକି ଜାଣିବା କଥା, ତାହା ହୋଇପାରିନାହିଁ। ତାଙ୍କର କୃତି ଓ କୃତିତ୍ବକୁ ନେଇ ଏକ ଡକ୍ୟୁମେଣ୍ଟାରି ନିର୍ମାଣ ହେବା ଜରୁରୀ। ସେହିଭଳି ଅନ୍ୟ ମାଧ୍ୟମରେ ତାଙ୍କ ଜୀବନୀକୁ ପ୍ରଚାର ପ୍ରସାର କରିବାକୁ ବ୍ୟବସ୍ଥା କରାଯିବା ଉଚିତ। ଏହା ହେଲେ ହିଁ ସମଗ୍ର ଭାରତବର୍ଷ ଜଣେ ବିରଳ ପ୍ରତିଭାଙ୍କୁ ଜାଣିପାରିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ‘ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି’ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି।

ପଣ୍ଡିତ ନୀଳକଣ୍ଠଙ୍କ ୧୩୮ତମ ଜୟନ୍ତୀ ସମାରୋହ

ଭାରତୀୟ ବିଦ୍ୟାଭବନ ସଭାଗୃହରେ ଅମୀୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହର ମୁଖ୍ୟ ବକ୍ତା ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ପଣ୍ଡିତ ନୀଳକଣ୍ଠ ଦାସ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ। ସେ ନେତାଜୀ ସୁଭାଷ ବୋଷ, ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସଙ୍କର ଏକାନ୍ତ ସହଯୋଗୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବିଧାନସଭାର ସଦସ୍ୟ, କଂଗ୍ରେସ ଦଳର ସଭାପତି, ଓଡ଼ିଶା ବିଧାନସଭାର ବାଚସ୍ପତି ଭଳି ଅନେକ ମର୍ଯ୍ୟାଦାଜନକ ପଦବି ମଣ୍ଡନ କରିଛନ୍ତି। ବର୍ତ୍ତମାନ ଦଳୀୟ କନ୍ଦଳ ଯୋଗୁଁ ନେତାମାନଙ୍କୁ ଛୋଟ କରି ଦେଖାଯାଉଛି। କିନ୍ତୁ ସେତେବେଳେ ସବୁ ସମର୍ଥନ ଥାଇ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ହାତଛଡ଼ା କରି ତାଙ୍କର ବଡ଼ପଣ ପ୍ରତିପାଦିତ କରିଥିଲେ। ସେ ଲିପି ସଂସ୍କାର ପାଇଁ ଉଦ୍ୟମ କରିଥିଲେ। ତାଙ୍କ ଲେଖାଗୁଡ଼ିକ ଯୁକ୍ତାକ୍ଷରବିହୀନ ଓ ଅନୁସାରଯୁକ୍ତ ବୋଲି ଶ୍ରୀପଟ୍ଟନାୟକ ସୂଚନା ଦେଇଥିଲେ।

ସ୍ମୃତି ସମିତିର ସମ୍ପାଦକ ପୂର୍ଣ୍ଣେନ୍ଦୁ ଦାସ କହିଥିଲେ ଯେ ପଣ୍ଡିତ ନୀଳକଣ୍ଠ ଯାହା ଲେଖି ଦେଉଥିଲେ ତାହା ହିଁ ଓଡ଼ିଆ ସାହିତ୍ୟ ବୋଲି ବିବେଚିତ ହେଉଥିଲା। ସଭାପତି ଶ୍ରୀ ତ୍ରିପାଠୀ ପଣ୍ଡିତ ନୀଳକଣ୍ଠଙ୍କୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ ନିର୍ମାତା ବୋଲି କହିଥିଲେ। ଏହି ଅବସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ଗୀତା ପ୍ରବେଶ’ର ଇଂରାଜୀ ଅନୁବାଦ ପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଂ ଦ ଗୀତା’କୁ ପାଠକାର୍ପଣ କରାଯିବା ସହ ଅନୁବାଦକ କାଳୀପ୍ରସାଦ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁଗ୍ମ ସମ୍ପାଦକ ତ୍ରିନାଥ ହୋତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe