ଜଙ୍ଗଲରୁ ଜବତ ହେଲା ବଜ୍ରକାପ୍ତା କାତି, ସବୁ ଥାନାକୁ ପଠାଗଲା ଫେରାର ୩୦ ସନ୍ଦିଗ୍ଧଙ୍କ ତାଲିକା

ଜଙ୍ଗଲରୁ ଜବତ ହେଲା ବଜ୍ରକାପ୍ତା କାତି, ସବୁ ଥାନାକୁ ପଠାଗଲା ଫେରାର ୩୦ ସନ୍ଦିଗ୍ଧଙ୍କ ତାଲିକା

Mycitylinks

କଟକ: ଜଙ୍ଗଲରେ ଲୁଚାଇ ରଖାଯାଇଥିବା ମୂଲ୍ୟବାନ ବଜ୍ରକାପ୍ତା କାତିକୁ ଆଜି ଜବତ କରାଯାଇଛି। ଆଠଗଡ ବନ ବିଭାଗ ଅଭିଯୁକ୍ତ ବିଜୟ ନାୟକଙ୍କୁ ଜେରା କରିବାବେଳେ ତାଙ୍କ ଠାରୁ ଏହି କାତି ସମ୍ପର୍କରେ ତଥ୍ୟ ମିଳିଥିଲା। ସେ ବିକ୍ରି ପାଇଁ ରଖିଥିବା ଦୁଇଟି (୩ରୁ ୪ଇଞ୍ଚ) କାତିକୁ ରାଣୀବଣିଆ ସଂରକ୍ଷିତ ଜଙ୍ଗଲରୁ ଜବତ କରାଯାଇଛି। ଅନ୍ୟପଟେ ଘଟଣାରେ ସଂପୃକ୍ତ ଥିବା ୩୦ଜଣ ସନ୍ଦିଗ୍ଧଙ୍କ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିଛି ବନବିଭାଗ। ବିଭାଗ କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୟାଗଡ ଆଦି ଜିଲ୍ଲାର ବିଭିନ୍ନ ଥାନାକୁ ସେମାନଙ୍କ ସଂପର୍କରେ ତଥ୍ୟ ବି ମାଗିଛି। ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। ଆଠଗଡ଼, ଢେଙ୍କାନାଳ, ଚୌଦ୍ବାର, ନୟାଗଡ଼ ତଥା ଅନ୍ୟ କେତେକ ଅଞ୍ଚଳର ଲୋକେ ସଂପୃକ୍ତ ରହିଥିବା ବନବିଭାଗ ଜାଣିବାକୁ ପାଇଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି କାରବାର ପଛରେ ଆଉ ୫୦ ଜଣଙ୍କ ହାତ ରହିଥିବା ବନବିଭାଗ ନିକଟରେ ତଥ୍ୟ ରହିଛି। ଏଥିପାଇଁ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଛି ବିଭାଗ। ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଓ ଗତକାଲି ଆଠଗଡ ଏନ୍‌ଏସିର ବଢେଇଟୋକା ସାହିର ବିଜୟ ନାଏକ(୩୭)ଙ୍କୁ ଗିରଫ କରିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ସେହିଭଳି, ସବୁ ରେଞ୍ଜ୍‌, ବିଟ୍ ହାଉସ୍‌ଗୁଡିକରେ ପୁରସ୍କାର ସଂପର୍କରେ ପୋଷ୍ଟର ଲଗାଯିବା ପରେ ଆଜି ଗୋଟିଏ ଦିନରେ ପାଖାପାଖି ୧୫/୨୦ଜଣ ବ୍ୟକ୍ତି ବିଭିନ୍ନ ସମୟରେ ଆସି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କୁ ସାକ୍ଷାତ କରି ତଥ୍ୟ ଦେଇଛନ୍ତି। ସେ ସବୁକୁ ବନବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଅନେକ ସନ୍ଦିଗ୍ଧ ଏବେ ରାଜ୍ୟ ବାହାରକୁ ଖସି ଯାଇଥିବାବେଳେ ରଖିଥିବା ୧୦ଟି ବଜ୍ରକାପ୍ତାକୁ ସାତକୋଶିଆ ଜଙ୍ଗଲରେ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି। ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା କହିବା ଅନୁଯାୟୀ, ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ରହିଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଗଠିତ ସ୍ବତନ୍ତ୍ର ଟିମ୍‌ ଉଦ୍ୟମ ଚଳାଇଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଧରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe