ପାଣି ପଞ୍ଚାୟତ କେଳେଙ୍କାରୀ : ଯାଜପୁର କାଡ଼ା ସେକ୍ସନରେ ବି ହରିଲୁଟ୍‌

Advertisment

ବିଭାଗୀୟ ଅଧିକାରୀ ଛାନିଆ, ତଦନ୍ତ କରି ଫେରିଲେ ପ୍ରତିନିଧି ଦଳ

ବିଭାଗୀୟ ଅଧିକାରୀ ଛାନିଆ, ତଦନ୍ତ କରି ଫେରିଲେ ପ୍ରତିନିଧି ଦଳ

ପାଣି ପଞ୍ଚାୟତ କେଳେଙ୍କାରୀ : ଯାଜପୁର କାଡ଼ା ସେକ୍ସନରେ ବି ହରିଲୁଟ୍‌

ଯାଜପୁରରୋଡ଼/ଭୁବନେଶ୍ବର : ଭଦ୍ରକ କାଡ଼ା ଡିଭିଜନରେ ହୋଇଛି ବ୍ୟାପକ କେଳେଙ୍କାରୀ। ମାତ୍ର ଦୁଇଟି ଆର୍ଥିକ ବର୍ଷରେ ୪୪ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ଘୋଟାଲା ହୋଇଛି। ଏଭଳି ସାଂଘାତିକ ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଏ ସଂକ୍ରାନ୍ତୀୟ ଖବର ୨୭ ତାରିଖ ସମ୍ବାଦରେ ପ୍ରକାଶ ପାଇବା ପରେ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି। ଆଜି ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଛନ୍ତି। ଆସନ୍ତାକାଲି ଏହି ଦଳ ବାଲେଶ୍ବର ଅଞ୍ଚଳ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଭଦ୍ରକ କାଡ଼ା ଡିଭିଜନର ଯାଜପୁର ସେକ୍‌ସନ ଅଧୀନ ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକ୍‌ ଗୁଡ଼ିକରେ କାଡ଼ା କେନାଲ ନିର୍ମାଣ ଓ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଛି। ନାମକୁ ମାତ୍ର କେନାଲ ଖନନ କରାଯାଇଛି। ମରାମତି ନାମରେ କାଁଭାଁ ଘାସ ସଫେଇ କରାଯାଇ ବ୍ୟାପକ ଜାଲିଆତି ହୋଇଛି। ଯାଜପୁର ଜିଲ୍ଲାର ମାତ୍ର ୩ଟି ବ୍ଲକ୍ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ମୋଟ ୨୭ଟି ମଧ୍ୟରୁ ୧୭ଟି ପାଣି ପଞ୍ଚାୟତରେ ଏହି ଦୁଇ ଆର୍ଥିକ ବର୍ଷରେ ଯଥାକ୍ରମେ ୮୧ଲକ୍ଷ ୯୫ହଜାର ଓ ୨୪ଲକ୍ଷ୧୫ ହଜାର ଟଙ୍କା ବ୍ୟୟ କରାଯାଇଛି ବୋଲି ଦର୍ଶାଯାଇଛି। ଜଳସେଚନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଆଇବିପି ଯୋଜନାରେ ଖର୍ଚ୍ଚ କରିଥିବା ଟଙ୍କା ପାଣିରେ ପଡ଼ିଛି। ପାଣି ପଞ୍ଚାୟତ ନାମକୁ ମାତ୍ର ଚାଷୀମାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି।

‘ସମ୍ବାଦ’ ଅନୁସନ୍ଧାନର ଟିମ୍‌ ଆଜି ବିଞ୍ଛାରପୁର କ୍ଷେତ୍ର ପରିଦର୍ଶନ କରି ଗୁହାଳି ପଞ୍ଚାୟତର ଶ୍ରୀ ଜଗନ୍ନାଥ ପାଣି ପଞ୍ଚାୟତ, ମା’ କରୁଣେଇ ପାଣି ପଞ୍ଚାୟତ ଓ ମହାବୀର ପାଣି ପଞ୍ଚାୟତ, ସପ୍ନେଶ୍ବର ପାଣିପଞ୍ଚାୟତ(ଉଡ୍ରଙ୍ଗ ଶାସନପଡ଼ା), ଜାଗୁଳାଈ ପାଣି ପଞ୍ଚାୟତ (ଅରେଇ ଶାସନ୍ଦା) କେନାଲ ପରିସ୍ଥିତି ସମୀକ୍ଷା କରିଥିଲା। କାଡ଼ା ନାଳ କରା ନଯାଇ ବ୍ୟାପକ ଅର୍ଥ ହରିଲୁଟ କରାଯାଇଛି। ଏଠାରେ ମରାମତି ନାମରେ ମିଥ୍ୟା ବିଲ ମଧ୍ୟ କରାଯାଇଛି ବୋଲି ରବୀନ୍ଦ୍ର ବିଶ୍ବାଳ, ଚୌଧୁରୀ ଜେନା, ଅନନ୍ତ ମହାନ୍ତି, ଦୁର୍ଗାଚରଣ ବାରିକ, ବିକ୍ରମ ରାଉତ, ରବୀନ୍ଦ୍ର ସାହୁ ପ୍ରମୁଖ ବହୁ ଚାଷୀ ଅଭିଯୋଗ କରିଛନ୍ତି।

ଭଦ୍ରକ ଡିଭିଜନରେ ୨ଟି ସବଡିଭିଜନ ଘଟଗାଁ ଓ ଭଦ୍ରକ ରହିଛି। ତେବେ ଭଦ୍ରକରେ ଖର୍ଚ୍ଚ ନାମରେ କୋଟିକୋଟି ଟଙ୍କା ଘୋଟାଲା ହୋଇଛି। ସୂଚନା ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ମୁତାବକ ଗତ ୨ ବର୍ଷରେ ୪୪ କୋଟି ୫୦ଲକ୍ଷରୁ ଅଧିକ କାଡ଼ା କେନାଲରେ ଖର୍ଚ୍ଚ ଦେଖାଯାଇଛି। ଚଳିତ ବର୍ଷ ମଧୢ ଭଦ୍ରକ ଉପଖଣ୍ତରେ ପ୍ରତି ହେକ୍ଟରକୁ ୩୫ହଜାର ଟଙ୍କା ହିସାବରେ ୬୭୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ ୨୩କୋଟି ୪୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ ପ୍ରାୟ ୧କୋଟି ଟଙ୍କା ମରାମତି ବାବଦରେ ହରିଲୁଟ୍‌ ହୋଇଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe