ବର୍ଜ୍ୟ ପରିଚାଳନାରେ ପାରାଦୀପ ରାଜ୍ୟର ମଡେଲ୍

Advertisment
ବର୍ଜ୍ୟ ପରିଚାଳନାରେ ପାରାଦୀପ ରାଜ୍ୟର ମଡେଲ୍

ଗସ୍ତରେ ଆସିବେ ୧୧୩ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ
ବ୍ୟବସ୍ଥା ଅନୁଧ୍ୟାନ କରି ନିଜ ଅଞ୍ଚଳରେ ପଦକ୍ଷେପ ନେବେ

ଜଗତସିଂହପୁର : ବର୍ଜ୍ୟବସ୍ତୁ ସୁପରିଚାଳନାରେ ପାରାଦୀପକୁ ଏବେ ରାଜ୍ୟରେ ମଡେଲ୍ ଭାବେ ଗ୍ରହଣ କରାଯାଉଛି। ପ୍ରତ୍ୟେକ ଦିନ ସହରରୁ ବାହାରୁଥିବା ବର୍ଜ୍ୟକୁ ଠିକ୍ ଭାବେ ପରିଚାଳନା କରି ପାରାଦୀପ ପୌରପାଳିକା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗତ ମାସରେ ଏହାର ସ୍ଥିତି ପରଖିବା ପାଇଁ ଏକ ରାଜ୍ୟସ୍ତରୀୟ କମିଟି ପାରାଦୀପ ଗସ୍ତରେ ଆସିଥିଲେ। ପାରାଦୀପ ପୌରପାଳିକାର କାର୍ଯ୍ୟକୁ ନେଇ କମିଟି ସନ୍ତୋଷ ପ୍ରକାଶ କରିଥିବା ବେଳେ ଏହି ବର୍ଜ୍ୟରୁ ବାହାରୁଥିବା ଖତକୁ ରାଜ୍ୟ ସରକାର ମଧ୍ୟ ନିଜସ୍ବ ବ୍ରାଣ୍ତ ଭାବେ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୧୧୩ଟି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପାରାଦୀପ ଆସି କଠିନ ବର୍ଜ୍ୟ ପରିଚାଳନା କାର୍ଯ୍ୟ ସଂପର୍କରେ ଅବଗତ ହୋଇଛନ୍ତି। ପାରାଦୀପକୁ ମଡେଲ ଭାବେ ଗ୍ରହଣ କରି ନିର୍ବାହୀ ଅଧିକାରୀମାନେ ନିଜ ପୌରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପାରାଦୀପ ପୌରପାଳିକାର ୧୯ଟି ୱାର୍ଡରେ ୧୭,୭୦୦ଟି ଘରୁ ପ୍ରତ୍ୟେକ ଦିନ ବର୍ଜ୍ୟ ସଂଗ୍ରହ କରାଯାଉଛି। ସେଥିମଧ୍ୟରୁ ୧୫ ଟନ୍ ଓଦା ବର୍ଜ୍ୟ ସଂଗ୍ରହ କରାଯାଉଛି। ପୌରପାଳିକା ପକ୍ଷରୁ ବର୍ଜ୍ୟରୁ ୫୫ ହଜାର ୭୦୦ ଟଙ୍କା ଆୟ କରାଯାଇଥିବା ବେଳେ ଏହାକୁ ବର୍ଜ୍ୟ ସଂଗ୍ରହ ପାଇଁ ନିୟୋଜିତ ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ଦରମା ପ୍ରଦାନ କରାଯାଉଛି। ପାରାଦୀପକୁ ସରସ ସୁନ୍ଦର କରିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷ କରି 'ମୋ ବର୍ଜ୍ୟ, ମୋ ଦାୟିତ୍ବ' ସ୍ଲୋଗାନକୁ ସଫଳ କରିବା ପାଇଁ ପୌରପାଳିକା ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଉଭୟ ଓଦା ଓ ଶୁଖିଲା ବର୍ଜ୍ୟକୁ ଖତରେ ପରିଣତ କରାଯାଉଛି। ଏଥି ପାଇଁ ବଙ୍ଗାଳିପଡ଼ା ଓ ରଙ୍ଗିଆଗଡ଼ରେ ସେଡ୍ ଖୋଲାଯାଇଛି। ଏହି କେନ୍ଦ୍ରକୁ ୫ଟି ସ୍ଥାନରୁ ଉଭୟ ଓଦା ଓ ଶୁଖିଲା ବର୍ଜ୍ୟ ଆସୁଛି। ଏଥିରୁ ଖତ ଉତ୍ପାଦନ କରାଯାଉଥିବା ବେଳେ ଅନ୍ୟ ଜିନିଷ ଗୁଡ଼ିକୁ କିଲୋ ଦରରେ କବାଡ଼ିଆଙ୍କୁ ବିକ୍ରି କରାଯାଉଛି। ଏ ସମସ୍ତ ପ୍ରକ୍ରିୟାକୁ ଅନୁକରଣ କରିବା ପାଇଁ ୧୧୩ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପାରାଦୀପ ଆସି ପର୍ଯ୍ୟାୟ କ୍ରମେ ୨୨, ୨୪, ୨୮, ୨୯ ଓ ୩୧ ତାରିଖରେ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ବର୍ତ୍ତମାନ ସୁଦ୍ଧା ୪୪ ଜଣ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଠାରେ ନିଆଯାଇଥିବା ସମସ୍ତ ପଦକ୍ଷେପ ଅନୁଧ୍ୟାନ କରି ସାରିଲେଣି। ଏହି ଅଧିକାରୀମାନଙ୍କୁ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି, ଉପାଧ୍ୟକ୍ଷ ପ୍ରଭାତୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଛନ୍ତି। ପୂର୍ବରୁ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବର୍ଜ୍ୟରୁ ପ୍ରସ୍ତୁତ ଏହି ଖତ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe