ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ହତ୍ୟା ମାମଲା: ବିଦ୍ୟାଭାରତୀଙ୍କୁ ପୁଣି ହେବ ଜେରା, କପ୍ତିପଦା ଗଲା ପାରଳା ପୁଲିସ

ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ହତ୍ୟା ମାମଲା: ବିଦ୍ୟାଭାରତୀଙ୍କୁ ପୁଣି ହେବ ଜେରା, କପ୍ତିପଦା ଗଲା ପାରଳା ପୁଲିସ

ପାରଳାଖେମୁଣ୍ତି: ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହରୁ ଅଧିକ ଦିନ ବିତିସାରିଥିଲେ ହେଁ, ବର୍ତ୍ତମାନ ସୁଦ୍ଧା ଏହା ଉପରୁ ପରଦା ହଟିପାରୁନି। ଏହି ସମ୍ବେଦନଶୀନ ଘଟଣାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଓ ପୁଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସମେତ ୬ ଜଣଙ୍କୁ ଜେରା କରିସାରିଛି। କିନ୍ତୁ କୌଣସି ଥଳକୁଳ ମିଳୁନି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଛାନଭିନ୍‌ ପରେ ବି ପ୍ରକୃତ ସତ୍ୟକୁ ଖୋଜି ବାହାର କରିବାରେ କ୍ରାଇମବ୍ରାଞ୍ଚ ଓ ପୁଲିସ ବିଫଳ ହୋଇଛି। ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ବି ସାମ୍ନାକୁ ଆସିବାରେ ଲାଗିଛି। ଆଉ ଦିନ ଗଡ଼ିବା ସହ ସସ୍‌ପେନ୍ସ୍ ବି ସେହି ମାତ୍ରାରେ ବଢ଼ିବାରେ ଲାଗିଛି।

ଫଳରେ ଆଜି ପୁଣି ପାରଳା ପୁଲିସର ଏକ ଟିମ୍‌ ତଦନ୍ତ ପାଇଁ ପୁଣି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଯାଇଛି। ଥାନାଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଯାଇଥିବା ଏହି ଟିମ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରିବ। ଘଟଣା ବିଷୟରେ ଆହୁରି କିଛି ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଉଦ୍ୟମ କରିବ ବୋଲି ସୂଚନା ମିଳିଛି। ଫଳରେ ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି।

ଏହି ଘଟଣାରେ ପୂର୍ବରୁ ଗଜପତି ଏସ୍‌.ପି. ଜେରା ପରେ ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍ ଦେଇଥିଲେ। କିନ୍ତୁ ତଦନ୍ତ ସରି ନଥିବା କହିଥିଲେ। ତେବେ ଘଟଣାରେ ଡିଏଫ୍‌ଓଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟୀକରଣ ଦିଆଯିବା ପରେ କ୍ରାଇମବ୍ରାଞ୍ଚ ଓ ପୁଲିସର ସଂପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିଯାଇଥିଲା। ଏହାମଧ୍ୟରେ ଗଜପତି ଏସ୍‌.ପି.ଗତକାଲି ଚାକିରିରୁ ଅବସର ନେଇସାରିଛନ୍ତି। ମୃତକ ସୌମ୍ୟରଞ୍ଜନଙ୍କ ପରିବାରବର୍ଗ ଏବେ ବି ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ଦୁର୍ଘଟଣାଜନିତ ବୋଲି କହିଆସୁଛି। କିନ୍ତୁ କୌଣସି ବଳିଷ୍ଠ ପ୍ରମାଣ ହାତ‌ରେ ଲାଗିନି। ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ହାତଲେଖା ଚିଠି ସାମ୍ନାକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା ବୋଲି ଜଣାପଡ଼ିଥିଲା। ସଂପର୍କରେ ତିକ୍ତତା ହିଁ ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ହୋଇଥାଇପାରେ। ଏଥିପାଇଁ ଅଧିକ ଖୋଳତାଡ଼ କରିବାକୁ ପାରଳାଖେମୁଣ୍ଡି ପୁଲିସ କପ୍ତିପଦା ଯାଇଥିବା ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ପାରଳା ପୁଲିସ କପ୍ତିପଦାର ଗୌଡ଼ଗାଁ ଗ୍ରାମକୁ ଯାଇ ବିଦ୍ୟାଭାରତୀଙ୍କୁ ଦୁଇଦିନ କାଳ ଜେରା କରିଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଥିଲେ ହେଁ, କୌଣସି ଠୋସ୍‌ ପ୍ରମାଣ ମିଳି ନଥିଲା। କିନ୍ତୁ ବର୍ତ୍ତମାନ ବିଦ୍ୟାଭାରତୀଙ୍କୁ ନେଇ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହାକୁ ଆଧାର କରି ପୁଣି ପୁଲିସ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ। ଏହାସହ ପୁଣି ଘଟଣା ଦିନର ସଂପୂର୍ଣ୍ଣ ତଥ୍ୟ ବିଦ୍ୟାଭାରତୀଙ୍କଠୁ ସଂଗ୍ରହ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe