ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟ ତିନି ଜଣଙ୍କ ନାମରେ ଗିରଫ ପରୱାନା ଜାରି (ଏନ୍‌ବିଡବ୍ଲ୍ୟୁ) କରିଛନ୍ତି। ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ହେଉ ନଥିବାରୁ ସୌମ୍ୟ ରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ଏଥି ସହିତ କୋର୍ଟ ତିନି ଅଭିଯୁକ୍ତଙ୍କୁ ଆସନ୍ତା ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ୩ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ହବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟ ଗତ ମେ ୧୬, ମେ ୨୭, ଜୁନ୧୯ ଏବଂ ଜୁନ ୨୩ ତାରିଖରେ ହାଜର ହେବା ପାଇଁ କହିଥିଲେ ମଧ୍ୟ ସେମାନେ ହାଜର ହୋଇ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ବଦଳରେ ବିଭିନ୍ନ ଆଳରେ ସମୟ ମାଗି ଚାଲିଥିଲେ । ଏହାକୁ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ନାପସନ୍ଦ କରିବା ସହ ଜାମିନ ବିହନ ଗିରଫ ପରୱାନା ଜାରି କରିଛନ୍ତି।

ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କୁ ତାଙ୍କ ପାରଳାଖେମୁଣ୍ଡିସ୍ଥିତ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ଉଦ୍ଧାର କରାଯାଇଥିଲା। ସେ ଗୁରୁତର ଥିବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ପରଦିନ (ଜୁଲାଇ ୧୩) ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିଥିବା ବେଳେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ କ୍ଳିନଚିଟ୍ ଦେଇଥିଲା । ତେବେ ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମଙ୍କ ଅଦାଲତରେ ଏହାର ବିଚାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe