ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ଜାମିନ ଶୁଣାଣିରେ ପୂର୍ଣ୍ଣଚ୍ଛେଦ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଣି ଜାମିନ ପାଇଁ ହାଇକୋର୍ଟରେ ପୁଞ୍ଜିଲାଲ

କଟକ : ହାଇକୋର୍ଟରେ ଜାମିନ ଆବେଦନ ବିଚାରାଧୀନ ଥିବାବେଳେ ଜେଲ୍‌ରୁ ଫେରାର ଉଦ୍ୟମ ମାମଲାରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ ହୋଇଛି।

ହାଇକୋର୍ଟରେ ପାଟଣାଗଡ଼ ଅତିରିକ୍ତ ଦୌରାଜଜ୍‌ଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାଟଣାଗଡ ଏସ୍‌ଡିଜେଏମ୍ ଅଦାଲତ ପୁଞ୍ଜିଲାଲଙ୍କୁ ଜାମିନ ମଞ୍ଜୁର କରିଥିଲେ। ହାଇକୋର୍ଟରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ବିଚାରାଧୀନ ଥିବା ପ୍ରସଙ୍ଗରେ ଏସଡିଜେଏମ ଅଦାଲତଙ୍କୁ ଅବଗତ କରାଯାଇ ନଥିଲା। ଯେଉଁ ଦଫାରେ ଅଭିଯୋଗ ରହିଛି, ସେଥିରେ ରହିଥିବା ସର୍ବାଧିକ ଜେଲ୍‌ଦଣ୍ଡ ଅବଧିର ଅଧାରୁ ଅଧିକ ସମୟ ପୁଞ୍ଜିଲାଲ ଜେଲ୍‌ରେ ରହିବା ଘଟଣାକୁ ବିଚାରକୁ ନେଇ ସିଆରପିସିର ଧାରା ୪୩୬-କ’ରେ ତାଙ୍କୁ ଏସଡିଜେଏମ ଅଦାଲତ ଜାମିନ ମଞ୍ଜୁର କରିଥିଲେ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ହାଇକୋର୍ଟ ରିପୋର୍ଟରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ଏ ସଂପର୍କିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ନେଇ ପାଟଣାଗଡ଼ ଥାନାରେ ରୁଜୁ ମାମଲାରେ ଜାମିନ ଲୋଡ଼ି ପୁଞ୍ଜିଲାଲ ଦାଖଲ କରିଥିବା ଜାମିନ ଆବେଦନ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିମ୍ନ ଅଦାଲତରେ ବିଚାରାଧୀନ ଥିବା ମାମଲାର ସ୍ଥିତି ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁଞ୍ଜିଲାଲ ଜେଲରୁ ଫେରାର ହେବାକୁ ଉଦ୍ୟମ କରିବା ନେଇ ୨୦୧୯ରେ ପାଟଣାଗଡ଼ ଥାନାରେ ୨୯୪, ୩୨୩, ୩୫୩, ୩୪୨, ୩୭୯, ୩୪ରେ ଏକ ମାମଲା ପୁଲିସ ରୁଜୁ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ୨୦୨୦ରେ ପୁଞ୍ଜିଲାଲ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟରେ ଆବେଦନ ବିଚାରାଧୀନ ଥିବାବେଳେ ୨୦୨୨, ମେ ୪ରେ ପୁଞ୍ଜିଲାଲଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳିଥିବା ଜଣାପଡ଼ିବା ପରେ ଏ ନେଇ ପାଟଣାଗଡ଼ ଅତିରିକ୍ତ ଦୌରାଜଜ୍ ଅଦାଲତଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଚାରାଧୀନ ଜାମିନ ଆବେଦନ ପ୍ରସଂଗରେ ନିମ୍ନ ଅଦାଲତରେ ଦାଖଲ କରାଯାଇଥିବା ଜାମିନ ଆବେଦନରେ ଉଲ୍ଲେଖ କରାଯାଇଥିଲା କି ନାହିଁ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ତଥ୍ୟ ଦେବାକୁ ହାଇକୋର୍ଟ ଗତ ମେ ୧୩ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe