ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ: ବାପା-ମାଙ୍କ ଆତ୍ମହତ୍ୟା

Advertisment
ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ: ବାପା-ମାଙ୍କ ଆତ୍ମହତ୍ୟା

ବରଗଡ଼/ଭଟଲି : ଏକମାତ୍ର ଝିଅର ହତ୍ୟା ହୋଇଥିଲା ଗତମାସ। ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା। ଶେଷରେ ଦୁହେଁ ଆତ୍ମହତ୍ୟା କରି ଝିଅ ପାଖକୁ ଚାଲିଗଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଭଡ଼ିଗାଁ ଠ‌ାରେ। ଆତ୍ମହତ୍ୟା କରିଥିବା ଦମ୍ପତି ହେଲେ ରଘୁ ଭୁଏ (୫୦ ବର୍ଷ) ଏବଂ ପ୍ରଦିଷ୍ଠା ଭୁଏ (୪୪ ବର୍ଷ)। ଘର ଭିତରୁ ଉଭୟଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଭଟଲି ପୁଲିସ୍‌।

ଗାଁରେ ପ୍ରାୟତଃ ସବୁ ଘର କବାଟ ଭୋର୍‌ରୁ ହିଁ ଖୋଲିଥାଏ। ଶନିବାର ରଘୁଙ୍କ ଘର ବହୁ ସମୟ ଯାଏ ବନ୍ଦ ରହିଥିବାରୁ ଗ୍ରାମବାସୀ ସନ୍ଦେହ କରିଥିଲେ। ପୁଲିସ୍‌କୁ ଖବର ଦିଆଗଲା। ପୁଲିସ୍‌ କବାଟ ଭାଂଗି ଦେଖିବା ବେଳକୁ ରଘୁ ଏବଂ ପ୍ରଦିଷ୍ଠାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଥିଲା। ଦୁହେଁ ପୂର୍ବ ରାତିରୁ ହିଁ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହୁଛି। ଶବ ବ୍ୟବଚ୍ଛେଦ ପରେ ଗାଁରେ ଦାହସଂସ୍କାର କରାଯାଇଛି। ପୁଲିସ୍‌ ଏବଂ ସ୍ଥାନୀୟ ଲୋକଙ୍କ କହିବା ହେଲା, ରଘୁ ଏବଂ ପ୍ରଦିଷ୍ଠା ଏକମାତ୍ର ଝିଅକୁ ହରାଇବା ପରେ ସବୁବେଳେ ଦୁଃଖରେ ରହୁଥିଲେ। ସେମାନଙ୍କ ସ୍ବାଭାବିକ ଜୀବନଧାରା ବିଗିଡ଼ି ଯାଇଥିଲା। ଶେଷରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୨ ତାରିଖ ସେହି ଭଡ଼ିଗାଁରେ ରଘୁ ଏବଂ ପ୍ରଦିଷ୍ଠାଙ୍କ ଏକମାତ୍ର ଝିଅ ସସ୍ମିତା(୨୨ବର୍ଷ)କୁ ଟାଂଗିଆରେ ହାଣି ହତ୍ୟା କରାଯାଇଥିଲା। ସସ୍ମିତାଙ୍କ ବାହାଘର ଠିକ୍‌ ହୋଇ ସାରିଥିଲା। ଘଟଣା ଦିନ ସକାଳୁ ସେ ଗାଁ ଦାଣ୍ଡରେ ଥିବା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ଏତିକି ବେଳେ ଗାଁର ଅଜିତ ବରିହା ସେଠାରେ ପହଂଚିଥିଲା। ସସ୍ମିତାଙ୍କୁ ଅତର୍କିତ ଭାବେ ଟାଂଗିଆରେ ଚୋଟ ପକାଇଥିଲା। ସେଠାରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତା ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍‌ ମାରିଥିଲା। ପରେ ପୁଲିସ୍‌ ଅଜିତକୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ସସ୍ମିତାଙ୍କ ପିତାମାତା ସବୁବେଳେ ମାନସିକ ଅବସାଦରେ ରହୁଥିବାବେଳେ ଏଭଳି ପଦକ୍ଷେପ ନେଇଥିବା ପଡ଼ୋଶୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe