କରୋନାର ପ୍ରଭାବ: ଉଜୁଡ଼ିଗଲା ପରିବାର, ପୁଅର ମୃତ୍ୟୁ ପରେ ବାପା-ମା’ଙ୍କ ଆତ୍ମହତ୍ୟା

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

କବିସୂର୍ଯ୍ୟନଗର: କରୋନା ସମାଜ ପାଇଁ କିଭଳି କାଳ ସାଜିପାରେ ଓ ଏହି ମାରାତ୍ମକ ରୋଗ ଯୋଗୁଁ ଗୋଟିଏ ପରିବାର କେମିତି ନିଶ୍ଚିହ୍ନ ହୋଇଯାଏ, ତାହାର ଏକ ଦୁଃଖଦ ପରିଣତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଦେଖିବାକୁ ମିଳିଛି। କବିସୂର୍ଯ୍ୟନଗରରେ ଗତକାଲି ମଧ୍ୟ ଏକ ଘଟଣାରେ ଏକମାତ୍ର ପୁଅର କରୋନା ପଜିଟିଭ୍‌ ଖବର ଶୁଣି ବାପା ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ଆଜି ଆଉ ଏକ କରୁଣ ଓ ଦୁଃଖବ ଘଟଣାର ପୁନରାବୃତ୍ତି ଘଟିଛି।

ସୂଚନା ଅନୁସାରେ କବିସୂର୍ଯ୍ୟନଗର ଏନ୍‌ଏସି ଅନ୍ତର୍ଗତ ନାରାୟଣପୁର ଶାସନ ସାହିର ଏକମାତ୍ର ଶିକ୍ଷକ ପୁଅ ତଥା କୋଭିଡ୍‌ ଯୋଦ୍ଧା କରୋନାରେ ପ୍ରାଣ ହରାଇବା ଦୁଃଖରେ ଭାଙ୍ଗିପଡ଼ି କିଛି କ୍ଷଣ ବ୍ୟବଧାନରେ ଯୁବ ଶିକ୍ଷକଙ୍କ ମାଆ, ବାପା ଉଭୟ ବେକରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଘର ନିକଟ ସାପୁଆବସା ପାଖ ଏକ ବରଗଛରେ ବେକରେ ରଶି ଲଗାଇ ବାପା ଝୁଲିପଡ଼ି ପ୍ରାଣ ହରାଇଛନ୍ତି।

ଏପଟେ ଘରେ ମାଆ ମଧ୍ୟ ଏକମାତ୍ର ପୁଅର ମୃତ୍ୟୁ ବିରହରେ ମ୍ରିୟମାଣ ହୋଇ ରଶି ଲଗାଇ ଝୁଲି ପ୍ରାଣ ହରାଇଛନ୍ତି। ଆଜି ସନ୍ଧ୍ୟା ୭ଟାରେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଦିନକରେ ଅବିବାହିତ ପୁଅ ସହ ବାପା, ମାଆଙ୍କ ମୃତ୍ୟୁ ପରେ ପୂରା ପରିବାର ସଫା ହୋଇଯାଇଛି।

ନାରାୟଣପୁର ଶାସନ ବାସିନ୍ଦା ରାଜକିଶୋର ଶତପଥୀ(୫୬) କବିସୂର୍ଯ୍ୟନଗର ଏନ୍‌ଏସିର ଟ୍ୟାକ୍ସ କଲେକ୍ଟର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ପୁଅ ସୀମାଞ୍ଚଳ ଶତପଥୀ(୨୭) କବିସୂର୍ଯ୍ୟନଗର ବ୍ଲକ୍‌ ସୁନାରୀଝୋଳାରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଯୁବ ଶିକ୍ଷକ ସୀମାଞ୍ଚଳ ଅବିବାହିତ ଥିଲେ। ସେ ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧା ଭାବେ ଦାୟିତ୍ୱରେ ରହିଥିଲେ। ଗତ ୧ ତାରିଖରେ ଶ୍ୱାସଜନିତ କଷ୍ଟ ସହ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତେବେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା।

ଗତକାଲି ସୀମାଞ୍ଚଳଙ୍କ ସ୍ୱାବ୍‌ ନମୁନା ପଜିଟିଭ୍‌ ଜଣାପଡ଼ିଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ଏକମାତ୍ର ପୁଅର ମୃତ୍ୟୁ ଖବର ସହ୍ୟ କରିପାରି ନପାରି ଘରେ ମାଆ ଏକ କୋଠରିରେ ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ସେପଟେ ବାପା ରାଜକିଶୋର ମଧ୍ୟ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ। ସେ ଘର ନିକଟ ଏକ ଗଛରେ ରଶି ଲଗାଇ ଝୁଲି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe