Telegraph India
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡର ଗୁରୁବାର ଚାର୍ଜଫ୍ରେମ୍ ହୋଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଏନେଇ ମାମଲା ହୋଇଥିଲା। ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରୁ ଶୁଣାଣି, ସାକ୍ଷ୍ୟଗ୍ରହଣ ଆଦି କରାଯିବ। ଏନେଇ ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ପରୀ ହତ୍ୟାକାଣ୍ଡରେ ତଦନ୍ତ ବାଟବଣା ହୋଇଥିବା, ଏହାର ସିବିଆଇ ତଦନ୍ତ ଦାବିରେ ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀ ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାର ସିବିଆଇ ତଦନ୍ତ କରାଯିବ କି ନାହିଁ, ଚଳିତ ମାସ ୨୩ରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। ଗୋଟିଏ ପକ୍ଷରେ ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଚାର୍ଜଫ୍ରେମ୍, ଅପରପକ୍ଷେ, ସିବିଆଇ ତଦନ୍ତ ନେଇ ଆଉ ମାତ୍ର ୪ ଦିନ ପରେ ସୁପ୍ରିମକୋର୍ଟଙ୍କ ରାୟ, ମାମଲାକୁ ନେଇ ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କଲାଣି। ପରୀ ମା’ ରିଟ୍ ପିଟିସନ୍ ଦାଖଲ କରିଥିବା ବେଳେ, ବାପା ଅଶୋକ, ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲ୍ପି) ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ଗାଏବ ହୋଇଯାଇଥିଲା। ସେହିମାସ ୨୩ରେ ତା’ର ଶବ ଉଦ୍ଧାର ହୋଇଥିଲା। ଏହି କୁନି ଝିଅର ହତ୍ୟା ତଥା ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ସ୍ଥାନୀୟ ପୁଲିସର ବିଫଳତା ପରେ ଏହାର ଏସ୍ଆଇଟି ତଦନ୍ତ କରିବାକୁ ସରକାର ବାଧ୍ୟ ହୋଇଥିଲେ। ଡିସେମ୍ବର ୧ରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ଗ୍ରାମ ଯଦୁପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ୨୦ ତାରିଖରେ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲେ। ଏହା ପରେ ଗତ ଫେବ୍ରୁଆରି ୧୫ରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ, ଆଜି ଚାର୍ଜ ଫ୍ରେମ୍ ହୋଇଛି।
Follow Us