ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଖକୁ ଗଲା ‘ପରୀକ୍ଷା ଦର୍ପଣ’

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଖକୁ ଗଲା ‘ପରୀକ୍ଷା ଦର୍ପଣ’

ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାକୁ ପଠାଗଲା ୫୦ ହଜାର
ଫେବ୍ରୁଆରି ୧୫ ସୁଦ୍ଧା ସବୁ ପିଲାଙ୍କ ନିକଟରେ ପହଞ୍ଚିବ
ଗଞ୍ଜାମ ଜିଲ୍ଲାକୁ ଯିବ ସର୍ବାଧିକ ୫୧ ହଜାର ୯୮୪

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ଖୁବ୍‌ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’। ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାରେ ମାଟ୍ରିକ୍‌ ପରୀକ୍ଷା ଲାଗି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି। ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀ ଏହି ପୁସ୍ତିକା ମାଧ୍ୟମରେ ଅଭ୍ୟାସ କରିପାରିବେ। ୭୦% ସିଲାବସ୍‌ରୁ କେଉଁଭଳି ପ୍ରଶ୍ନ ପରୀକ୍ଷାରେ ଆସିବ ସେ ସମ୍ପର୍କରେ ଜାଣିପାରିବେ। ପରୀକ୍ଷା ଦେବାକୁ ଥିବା ରାଜ୍ୟର ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ମାଗଣାରେ ବଣ୍ଟନ କରାଯିବ। ତାହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ସ୍ବାଭିମାନ ଅଞ୍ଚଳ ସମେତ ୪ଟି ଉପାନ୍ତ ଜିଲ୍ଲା ଯଥା ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର ଓ କେରାପୁଟକୁ ୫୦ ହଜାର ପୁସ୍ତିକା ପଠାଯାଇଛି। ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଏହାକୁ ବିତରଣ କରାଯିବ ବୋଲି ପୁସ୍ତିକା ଉନ୍ମୋଚନ କରିବା ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦ୍ବାରା ଦଶମ ଶ୍ରେଣୀର ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ବହି ବଣ୍ଟନ କାର୍ଯ୍ୟର ତଦାରଖ କରିବେ। ପର୍ଯ୍ୟାୟକ୍ରମେ ଫେବ୍ରୁଆରି ୧୨ ସୁଦ୍ଧା ସମସ୍ତ ଡିଇଓଙ୍କ ନିକଟରେ ପୁସ୍ତକଗୁଡିକ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଫେବ୍ରୁଆରି ୧୫ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯିବ। ଜିଲ୍ଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରଥମେ ପରୀକ୍ଷା ଦର୍ପଣ ପହଞ୍ଚାଇବାକୁ ଡିଇଓମାନେ ବ୍ୟବସ୍ଥା କରିବେ। ଏହି ପୁସ୍ତିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତୀ ରହିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସୂଚନା ଅନୁଯାୟୀ ଏଥର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୧ ହଜାର ୯୮୪ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେଣୁ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ପରୀକ୍ଷା ଦର୍ପଣ ପଠାଯିବ। ଏହାତଳକୁ ବାଲେଶ୍ବର ଜିଲ୍ଲାକୁ ୩୫ ହଜାର ୩୭୫, କଟକ ଜିଲ୍ଲାକୁ ୩୦ ହଜାର ୪୬୯, ବଲାଙ୍ଗୀର ଜିଲ୍ଲାକୁ ୩୦ ହଜାର ୨୩୭, ଖୋର୍ଧା ଜିଲ୍ଲାକୁ ୨୯ ହଜାର ୭୨୩, କେନ୍ଦୁଝର ଜିଲ୍ଲାକୁ ୨୭ ହଜାର ୮୩୬, ସୁନ୍ଦରଗଡ଼ ଜିଲ୍ଲାକୁ ୨୭ ହଜାର ୩୪୦, ଯାଜପୁର ଜିଲ୍ଲାକୁ ୨୭ ହଜାର ୩, କଳାହାଣ୍ଡି ଜିଲ୍ଲାକୁ ୨୬ ହଜାର ୩୩୪, ଭଦ୍ରକ ଜିଲ୍ଲାକୁ ୨୫ ହଜାର ୧୬୧, ପୁରୀକୁ ୨୨ ହଜାର ୯୪୯, ବରଗଡ଼ ଜିଲ୍ଲାକୁ ୨୧ ହଜାର ୨୦ଟି ‘ପରୀକ୍ଷା ଦର୍ପଣ’ ପଠାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପ୍ରତି ପୁସ୍ତିକା ପିଛା ପ୍ରାୟ ୧୩୦ ଟଙ୍କା ଖର୍ଚ୍ଚ କରାଯାଉଛି। ଏବାବଦରେ ରାଜ୍ୟ ସରକାର ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। କେବଳ ଚଳିତବର୍ଷ ଲାଗି ଏହି ପୁସ୍ତକ ବଣ୍ଟନ କରାଯିବ।

ଭୁବନେଶ୍ବରସ୍ଥିତ ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିତରଣ କେନ୍ଦ୍ର(ଟିବିପି ଆଣ୍ଡ୍‌ ଏମ୍‌)ରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିତରଣ କେନ୍ଦ୍ର ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜିରା, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ମହାନ୍ତି, ମାଧ୍ୟମିକ ଶିକ୍ଷା ନିର୍ଦେଶକ ପ୍ରଦୀପ ଦାସ, ଓସେପାର ସୂର୍ଯ୍ୟ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe