ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍‌ଟି କାର୍‌ ପାର୍କିଂ ପ୍ରକଳ୍ପ କାମରେ ଆସୁନି

Advertisment

ନୂଆ ପ୍ରକଳ୍ପ ପାଇଁ ଜମି ଅଛି, ପ୍ରଶାସନର ଦୂରଦୃଷ୍ଟି ଅଭାବ

ନୂଆ ପ୍ରକଳ୍ପ ପାଇଁ ଜମି ଅଛି, ପ୍ରଶାସନର ଦୂରଦୃଷ୍ଟି ଅଭାବ

ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍‌ଟି କାର୍‌ ପାର୍କିଂ ପ୍ରକଳ୍ପ କାମରେ ଆସୁନି
ରାଉରକେଲା: ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ବିଶେଷକରି ବୀର୍ସା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ, ପାର୍କିଂସ୍ଥାନର ଘୋର୍‌ ଅଭାବ। ଫଳରେ ଗ୍ରାହକ ଓ ଦୋକାନି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାର୍କିଂର ଅଭାବ ଯୋଗୁଁ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ ରଖୁଛନ୍ତି। ଏଥିପାଇଁ ଗମନାଗମନ ବ୍ୟାପକମାତ୍ରାରେ ବାଧାପ୍ରାପ୍ତ ହେବାସହ ଟ୍ରାଫିକ୍‌ ସମସ୍ୟା ସୀମା ଟପିଲାଣି। ଏହି ସମସ୍ୟାର ସମାଧାନ ପାଇଁ କିନ୍ତୁ ରାଉରକେଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉନି।
ପୂର୍ବରୁ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏକାଧିକ ଯୋଜନା କରାଯାଇଥିଲା। ଏହି କ୍ରମରେ ପ୍ରାୟ ୪୦ କୋଟି ବ୍ୟୟଅଟକଳରେ ବୀର୍ସା ଛକ ପାଖରେ ୫ ମହଲା ବିଶିଷ୍ଟ ମଲ୍‌ଟିଲେଭେଲ୍‌ କାର୍‌ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଏଠାରେ ଏକାସାଙ୍ଗରେ ୧୬୦ଟି କାର୍‌ ରଖାଯାଇପାରିବ। ତେବେ ଏହି ପ୍ରକଳ୍ପ ଏବେ କୌଣସି କାମରେ ଆସୁନି। ପ୍ରକଳ୍ପ ନିର୍ମାଣ ହେବାର ଦେଢ଼ବର୍ଷ ବିତିଲାଣି, କିନ୍ତୁ ଏଯାଏ ଏହା ବ୍ୟବହାରସାପେକ୍ଷ ହୋଇପାରିନି। ବାସ୍ତବରେ ଡେଲିମାର୍କେଟ୍‌ଠାରୁ ଢ଼େର୍‌ ଦୂରରେ ଏହି ପ୍ରକଳ୍ପ ଥିବାରୁ ଏଠାରେ ଗାଡ଼ି ରଖିବାକୁ ଲୋକେ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏତଦ୍‌ବ୍ୟତୀତ, ମୁଖ୍ୟମାର୍ଗର ଅଜଶ୍ର ଭିଡ଼କୁ ହ୍ରାସ କରିବାକୁ ୩/୪ଟି ସ୍ଥାନରେ ନୂତନ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପର୍ଯ୍ୟାପ୍ତ ଜମି ବି ଅଛି, କିନ୍ତୁ କୌଣସି କାରଣରୁ ରାଉରକେଲା ପ୍ରଶାସନ ଏହାକୁ ବିଚାରକୁ ନେଉନି। ଉଲ୍ଲେଖଯୋଗ୍ୟ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌ ପାଖରେ ପିଡବ୍ଲ୍ୟୁଡି ବିଭାଗର ବହୁବର୍ଷ ପୁରୁଣା କଲୋନି ରହିଛି।
ସେଠାରେ ପାଖାପାଖି ୧ ଏକର ସରକାରୀ ଜମି ଅବ୍ୟବହୃତ ହୋଇପଡ଼ିରହିଛି। ସେଠାରେ ଅତ୍ୟାଧୁନିକ ପାର୍କିଂସ୍ଥଳୀ ନିର୍ମାଣ ହେଲେ, କିଛିମାତ୍ରାରେ ସମସ୍ୟାର ସମାଧାନ ହୋଇପାରିବ। ଏହାସହ ଟ୍ରଫିକ୍‌ଗେଟ୍‌, ପାୱାରହାଉସ୍‌ ରୋଡ୍‌ ଅଞ୍ଚଳରେ ଅନୁରୂପ ପ୍ରକଳ୍ପ ନିର୍ମାଣ କରାଯାଇପାରେ। ବିଡ଼ମ୍ବନା, ସହରରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଶୂନ ପଦକ୍ଷେପ। ଅବଶ୍ୟ, ଛୋଟଛୋଟ ପାର୍କିଂ ବ୍ୟବସ୍ଥା କରାଯାଇଛି, କିନ୍ତୁ ତାହା ବ୍ୟବହାର ଉପଯୋଗୀ ନୁହେଁ। ଏଣୁ ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଲ୍‌ଟିଲେଭେଲ କାର୍‌ ପାର୍କିଂ ବ୍ୟବସ୍ଥା ହିଁ, ବର୍ତ୍ତମାନର ଏକମାତ୍ର ବିକଳ୍ପ ପାଲଟିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe