ଜେଲ ଗଲେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର: ଭଉଣୀ ଯଦି ଦୋଷ କରିଛି ଦଣ୍ଡ ପାଉ

Advertisment
ଜେଲ ଗଲେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର: ଭଉଣୀ ଯଦି ଦୋଷ କରିଛି ଦଣ୍ଡ ପାଉ

ଭଦ୍ରକ/ଧାମରା: ୱେବ୍‌ପୋର୍ଟାଲ୍‌ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ବର ରାଉତ (୫୦)ଙ୍କୁ ଚାନ୍ଦବାଲି ଥାନା ପୁଲିସ ଗିରଫ କରିଛି। ଗତକାଲି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପରମେଶ୍ବରଙ୍କୁ ଧରି ଆଜି ଦିନ ପ୍ରାୟ ୩ଟା ୪୫ରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲା ପୁଲିସର ଏକ ଟିମ୍। କିଛି ଔପଚାରିକ କାମ ସାରିବା ପରେ ଭଉଣୀକୁ ଫେରାର କରିବାରେ ସହାୟତା ଅଭିଯୋଗରେ ତାଙ୍କୁ ଗିରଫ କରାଗଲା ବୋଲି ଦର୍ଶାଇଥିଲେ ଥାନା ଅଧିକାରୀ କରୁଣାକର ରାଉତ। ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେଇଥିବାରୁ ପରମେଶ୍ବରଙ୍କୁ ଆଉ ବିଶେଷ କିଛି ପଚରାଉଚରା ନ କରି ପୁଲିସ ସିଧା ତାଙ୍କୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ଜାମିନ୍ ନାମଂଜୁର ହେବାରୁ ପରମେଶ୍ବରଙ୍କୁ ଭଦ୍ରକ ଜେଲ୍‌କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଭଉଣୀକୁ ଖସାଇବାରେ କରିଥିଲେ ସାହାଯ୍ୟ

ପୁଲିସ ପାଇଁ ଶର୍ମିଷ୍ଠା ଏବେ ମୋଷ୍ଟ ୱାଣ୍ଟେଡ୍‌

ବିଜୟୱାଡ଼ାରେ ପରିବହନ ଠିକାଦାର ଭାବେ କାମ କରନ୍ତି ପରମେଶ୍ବର। ମାନସଙ୍କୁ ହତ୍ୟା କରାଯିବାର କିଛି ଦିନ ପରେ ପରମେଶ୍ବରଙ୍କ ପାଖକୁ ଶର୍ମିଷ୍ଠା ଫୋନ୍ କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇବାକୁ କହିଥିଲେ। ପରମେଶ୍ବରଙ୍କ ମୋବାଇଲ କଲ୍‌ ଡିଟେଲ୍‌ସ ଓ ତାଙ୍କ ଆକାଉଣ୍ଟରୁ ଶର୍ମିଷ୍ଠାଙ୍କ ପାଖକୁ ଟଙ୍କା ଟ୍ରାନ୍‌ସଫର ହୋଇଥିବାର ବଳିଷ୍ଠ ପ୍ରମାଣ ପୁଲିସ ପାଖରେ ଥିବା ସତ୍ତ୍ବେ ଘଟଣାକୁ ଆଜି ଫାଙ୍କିବାକୁ ଚେଷ୍ଟା କରିଥିଲେ ପରମେଶ୍ବର। ଶର୍ମିଷ୍ଠାଙ୍କ ଆତ୍ମଗୋପନରେ ତାଙ୍କର କିଛି ଭୂମିକା ନାହିଁ, ଭଉଣୀ ଯଦି ଦୋଷ କରିଛି; ସେ ଦଣ୍ଡ ପାଉ ବୋଲି ଥାନା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶର୍ମିଷ୍ଠାଙ୍କ ବାବଦରେ ପରମେଶ୍ବରଙ୍କଠାରୁ ପୁଲିସ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ରାଜ୍ୟ ବାହାରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ଆତ୍ମଗୋପନ କରିଥିବା ବେଳେ ଉଭୟଙ୍କର ପରିବାର ଓ ସଂପର୍କୀୟଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ। ଏମିତିକି ଶର୍ମିଷ୍ଠାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜିଂ କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଅପହରଣ, ହତ୍ୟା ଭଳି ସଙ୍ଗିନ ଅପରାଧରେ ଜଡ଼ିତ ଶର୍ମିଷ୍ଠା ଏବେ ଓଡ଼ିଶା ପାଇଁ ମୋଷ୍ଟ ୱାଣ୍ଟେଡ୍‌। ତେଣୁ ସେ ଆଉ ବେଶୀ ଦିନ ଲୁଚିରହିବା ସମ୍ଭବ ନୁହେଁ ବୋଲି ପୁଲିସର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।

ଶର୍ମିଷ୍ଠାଙ୍କ ସ୍ବାମୀ ଆଜିକୁ ୨ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ’ର ସଂପର୍କ ପ୍ରାୟ ନାହିଁ କହି‌ଲେ ଚଳେ। ପତ୍ନୀଙ୍କ ଉଚ୍ଚାଭିଳାଷ, ବଡ଼ବଡ଼ିଆଙ୍କ ସହ ତାଙ୍କର ସଂପର୍କକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ଥର ବାକ୍‌ବିତଣ୍ଡା, ଗଣ୍ଡଗୋଳ ସହ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ସ୍ବାମୀଙ୍କୁ ଆଦୌ ଖାତିର କରୁନଥିଲେ ଶର୍ମିଷ୍ଠା, ବରଂ କଥା କଥାକେ ବାଧିଲା ଭଳି କହୁଥିଲେ। ପତ୍ନୀଙ୍କ ଉଗ୍ର ଆଚରଣ, ମାନସିକ ଓ ଶାରୀରିକସ୍ତରରେ ଉତ୍ପୀଡ଼ନ ଯୋଗୁଁ ସ୍ବାମୀ ଶର୍ମିଷ୍ଠାଙ୍କଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe