ପାଟଣାଗଡ଼ ପାର୍ସଲ ବୋମା ଘଟଣା: ମେଳ ଖାଇଲା ଗନ୍‌ ପାଉଡର୍‌

ଏସ୍‌ଏଫ୍‌ଏସ୍‌ଏଲ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ପ୍ରମାଣ, ପୁଞ୍ଜିଲାଲର ଜାମିନ୍‌ ଆବେଦନ ଖାରଜ

ପାଟଣାଗଡ଼ ପାର୍ସଲ ବୋମା ଘଟଣା: ମେଳ ଖାଇଲା ଗନ୍‌ ପାଉଡର୍‌

କଟକ/ବଲାଙ୍ଗୀର: ବଲାଙ୍ଗୀର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରର ସମ୍ପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି। ମୃତ ସୌମ୍ୟଶେଖର ସାହୁଙ୍କ ରୋଷେଇ ଘରୁ ମିଳିଥିବା ଗନ୍‌ ପାଉଡର୍‌(ବୋମାରେ ବ୍ୟବହୃତ ବାରୁଦ) ପୋଡ଼ା ଅଂଶ ସହିତ ପୁଞ୍ଜିଲାଲ ଘରୁ ଜବତ ବୋମାର ଗନ୍‌ ପାଉଡର୍‌ ମେଳ ଖାଇଛି । ଏପରିକି, ବଲାଙ୍ଗୀର ଏସ୍‌ପିଙ୍କୁ ପଠାଯାଇଥିବା ଚିଠିରେ ବ୍ୟବହୃତ ଅଠା ଏବଂ ପୁଞ୍ଜିଲାଲ ଘରୁ ଜବତ ଅଠା ସମାନ ହୋଇଥିବାବେଳେ ପାର୍ସଲ ବୋମାରେ ବ୍ୟବହୃତ ପେଟିର ପୋଡ଼ା ଅଂଶ ଏବଂ ପୁଞ୍ଜିଲାଲ ଘରୁ ମିଳିଥିବା ପେଟିର ବି ସାମଞ୍ଜସ୍ୟ ରହିଛି। ଏହି ଅକାଟ୍ୟ ପ୍ରମାଣ ପୁଞ୍ଜିଲାଲକୁ କାଠଗଡ଼ାରେ ଦୋଷୀ ସାବ୍ୟସ୍ତ କରିବାରେ କ୍ରାଇମ୍‌ବ୍ରାଞ୍ଚକୁ ସାହାଯ୍ୟ କରିବ ବୋଲି କୁହାଯାଉଛି। ଅପରପକ୍ଷେ, ବଲାଙ୍ଗୀର କୋର୍ଟରେ ଆଜି ତା’ର ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ ପୁଞ୍ଜିଲାଲ ମେହେରର ମେହେରପଡ଼ା ଘରୁ ଏପ୍ରିଲ୍‌ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ୨୫ଟି ବଡ଼ ବୋମା, ଅଠା ଡବା, କପ୍‌ ଖୋଳ ଜବତ କରିଥିଲା। ଅନୁରୂପ ଭାବେ ମୃତ ସୌମ୍ୟଶେଖରଙ୍କ ରୋଷେଇ ଘରୁ ପାର୍ସଲ ବୋମାରେ ବ୍ୟବହୃତ ପେଟିର ପୋଡ଼ା ଅଂଶ, ଗନ୍‌ ପାଉଡର୍‌ ପୋଡ଼ା ଅଂଶକୁ ଜବତ୍‌ କରାଯାଇଥିଲା। କିନ୍ତୁ ପୁଞ୍ଜିଲାଲ ଘରୁ ଜବତ ବୋମାକୁ ପ୍ରଥମେ ବଲାଙ୍ଗୀର ଫରେନ୍‌ସିକ ଲ୍ୟାବ୍‌ରେ ଅକାମୀ କରାଯାଇଥିଲା। ଏହାପରେ ଗତ ମେ’ ୨ ତାରିଖରେ କ୍ରାଇମବ୍ରାଞ୍ଚ୍‌ ଜବତ୍‌ ବୋମା ସମେତ ଚିଠି, ପେଟି ପୋଡ଼ା ଅଂଶ, କପ୍‌ ଖୋଳ ଇତ୍ୟାଦିକୁ ପରୀକ୍ଷା ପାଇଁ ରସୁଲଗଡ଼ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଇଥିଲା। ସେଠାରେ ବିଶେଷଜ୍ଞମାନେ ଅକାମୀ ବୋମାରୁ ଗନ୍‌ ପାଉଡର୍‌ ସଂଗ୍ରହ କରିବା ସହ ଅନ୍ୟ ଜବତ୍‌ ସାମଗ୍ରୀଗୁଡ଼ିକର ପରୀକ୍ଷା କରିଥିଲେ। ପର୍ଯ୍ୟାୟକ୍ରମେ ଉଭୟ ଅଭିଯୁକ୍ତ ପୁଞ୍ଜିଲାଲ ଓ ମୃତ ସୌମ୍ୟଶେଖରଙ୍କ ଘରୁ ଜବତ୍‌ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ପରୀକ୍ଷା କରାଯିବା ପରେ ତାହା ମେଳ ଖାଉଥିବା ଜଣାପଡ଼ିଥିଲା। ତେବେ ଗନ୍‌ ପାଉଡର୍‌ ମେଳ ଖାଇଥିବାରୁ ପୁଞ୍ଜିଲାଲ ବିରୋଧରେ ଏହା ପ୍ରଥମ ବଳିଷ୍ଠ ପ୍ରମାଣ ବୋଲି କ୍ରାଇମବ୍ରାଞ୍ଚ୍‌ ବିଚାର କରୁଛି। ସେହିଭଳି ବଲାଙ୍ଗୀର ଏସ୍‌ପି କେ.ଶିବ ସୁବ୍ରମଣୀଙ୍କ ଉଦ୍ଦେଶ୍ୟରେ ପଠାଯାଇଥିବା ଚିଠିର ଅଠା ଓ ପୁଞ୍ଜିଲାଲ ଘରୁ ଜବତ ଅଠା ବି ମେଳ ଖାଇଯାଇଛି। ଗନ୍‌ ପାଉଡର୍‌ ଭଳି ଅଠା ମେଳ ଖାଇବା ଘଟଣା ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବାକୁ ଦ୍ୱିତୀୟ ପ୍ରମାଣ ହେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ , ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଗୁରୁବାର ବଲାଙ୍ଗୀର କୋର୍ଟରେ ଉଭୟ ପକ୍ଷର ଓକିଲ ନିଜ ଯୁକ୍ତି ରଖିଥିଲେ। ବିଚାରପତି ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ବିଚାରପତି ପୁଞ୍ଜିଲାଲର ଜାମିନ ନାମଞ୍ଜୁର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe