ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ: ରାଜସ୍ବ ମନ୍ତ୍ରୀ, ଆପାର୍ଟମେଣ୍ଟ ପଞ୍ଜୀକରଣ ବି ଖୁବ୍‌ଶୀଘ୍ର ଆରମ୍ଭ ହେବ

କିଛି ମାସ ହେଲା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇଥିବାବେଳେ ଆସନ୍ତା ଏପ୍ରିଲରୁ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ୍ ପଞ୍ଜୀକରଣ...

plot sale

Photograph: ( 99acres.com)

ଭୁବନେଶ୍ବର: କିଛି ମାସ ହେଲା ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇଥିବାବେଳେ ଆସନ୍ତା ଏପ୍ରିଲରୁ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୫ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ୍ ପଞ୍ଜୀକରଣ ନେଇ ନିୟମ ପ୍ରସ୍ତୁତ ହେଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ପାର୍ଟ ପ୍ଲଟ୍ ପଞ୍ଜୀକରଣ  ବନ୍ଦ ହେବା ଦ୍ବାରା ରାଜସ୍ବ ବିଭାଗର ରାଜସ୍ବ ହାନି ହେଉଛି ଏବଂ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ଏନେଇ ଯେଉଁ ସମସ୍ୟା ଥିଲା ତା’ର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଗତକାଲି ରାଜସ୍ବ ବିଭାଗକୁ ଦେଇଛି। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଆଡଭୋକେଟ୍‌ ଜେନେରାଲଙ୍କ ସହ ଏହି ଡ୍ରାଫ୍ଟ ବିଷୟରେ ଆଲୋଚନା କରି ସାରିଛନ୍ତି। ଆମେ ଏହାକୁ ତର୍ଜମା କରିବୁ। ଓରେରା, ଆଇନ ବିଭାଗ ସହ ବି ଆଲୋଚନା କରିବୁ। ଓଡିଏ ଆକ୍ଟରେ ଯେଉଁ ତ୍ରୁଟି ଅଛି ତାକୁ ସଂଶୋଧନ କରାଯାଇଛି। ତେଣୁ ବିଶେଷ ସମସ୍ୟା ନାହିଁ। ଯଦି କିଛି ସମସ୍ୟା ଥିବ ତେବେ ଏହାକୁ ଅନୁଧ୍ୟାନ କରି‌ବାବେଳେ ବିଚାରବିମର୍ଶ କରି ଯୋଡ଼ାଯିବ। ଏହାପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାକୁ ଆମେ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ କରି ଏପ୍ରିଲ ମାସରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବୁ।     ରାଜସ୍ବ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ପ୍ରକାଶ ପାଇଲେ ପ୍ଲଟିଂ ସ୍କିମ୍‌ରେ ପ୍ଲଟ୍ କିଣୁଥିବା ଲୋକେ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ମଧ୍ୟ ପାଇପାରିବେ। ପ୍ରତି ପ୍ଲଟ୍‌କୁ ନିଶ୍ଚିତ ରାସ୍ତା ରହିବ।

ସେହିପରି ଆପାର୍ଟମେଣ୍ଟ ବିକ୍ରି ଉପରେ ଯେଉଁ ରୋକ୍ ଲାଗିଛି ତାହା ଉପରେ ମଧ୍ୟ ନଗର ଉନ୍ନୟନ ବିଭାଗ ଏକ ଡ୍ରାଫ୍ଟ ପ୍ରସ୍ତୁତ କରି ଦେଇଛି। ତାହାକୁ ଆମେ ତର୍ଜମା କରିବୁ। ଏପ୍ରିଲ ମାସ ଶେଷ ସୁଦ୍ଧା ‌ଏହାକୁ ଚୂଡ଼ାନ୍ତ କରି ଖୁବ୍‌ ଶୀଘ୍ର ଆପାର୍ଟମେଣ୍ଟ କିଣାବିକା ଆରମ୍ଭ ହେବ। ଆପାର୍ଟମେଣ୍ଟର ଓପନ୍‌ ସ୍ପେସ୍ ବ୍ୟବହାର ନେଇ ଯେଉଁ ସମସ୍ୟା ରହିଛି ତାହା ଆଉ ରହିବନି। ଲୋକ ଯେପରି ସୁବିଧାରେ ଜମି ଓ ଆପାର୍ଟମେଣ୍ଟ କିଣାବିକା କରିପାରିବେ ତାହାକୁ ନଜରରେ ରଖି ଖୁବ୍‌ ଶୀଘ୍ର ଆମେ ଆଇନରେ ସଂଶୋଧନ ଆଣିବାକୁ ଯାଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe