ପୁଣି ଫେରିବ ପାସ୍‌-ଫେଲ୍‌!

Advertisment

ଗଣଶିକ୍ଷା ବିଭାଗରେ ଚାଲିଛି ମାନସମନ୍ଥନ, ପ୍ରତି ଜିଲ୍ଲାର ୫ ପ୍ରାଥମିକ ସ୍କୁଲରେ ଇଂରାଜୀ କୋଚିଂ

ଗଣଶିକ୍ଷା ବିଭାଗରେ ଚାଲିଛି ମାନସମନ୍ଥନ, ପ୍ରତି ଜିଲ୍ଲାର ୫ ପ୍ରାଥମିକ ସ୍କୁଲରେ ଇଂରାଜୀ କୋଚିଂ

ରାଉରକେଲା : ପରୀକ୍ଷା ହଲ୍‌ରେ ଚେତା ହରାଇଲେ ଛାତ୍ରୀ

timetoschool.com

ଭୁବନେଶ୍ବର : ପୁଣି ଫେରିବ ପାସ୍‌-ଫେଲ୍‌ ବ୍ୟବସ୍ଥା। ପ୍ରା‌ଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ବ୍ୟବସ୍ଥାକୁ ପ୍ରଚଳନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଦୁଇଟି ପର୍ଯ୍ୟା‌ୟରେ ଆଲୋଚନା ସରିଛି। ଶିକ୍ଷାବିତ୍‌, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପରାମର୍ଶ ନିଆଯାଇଛି। ବିଭାଗୀୟ ମନ୍ତ୍ରୀ ଓ ସଚିବ ବି ଏନେଇ ସହମତି ପ୍ରକାଶ କରିସାରିଛନ୍ତି। ତେଣୁ ୨୦୧୯-୨୦ ତଥା ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ପ୍ରଥମିକ ବିଦ୍ୟାଳୟର ଦ୍ବିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପାସ୍‌-ଫେଲ୍‌ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଚୂଡ଼ାନ୍ତ ମୋହର ଲାଗିବାକୁ ବାକି ରହିଛି। ଖୁବ୍‌ଶୀଘ୍ର ଆଉ ଏକ ବୈଠକ ଡକାଯାଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ହାର ଲଗାତାର ଭାବେ ହ୍ରାସ ପାଉଛି। ଏହା ସହିତ ଦ୍ବାଦଶ ଶ୍ରେଣୀରେ ବି ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଯାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଚିନ୍ତାପ୍ରକଟ କରିଛନ୍ତି। ଏବେଠାରୁ ସ୍ଥିତିରେ ସୁଧାର ନ ଆଣିଲେ ଆଗକୁ ସ୍ଥିତି ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ଯେଉଁଭଳି ଶିକ୍ଷାଦାନ ପ୍ରଣାଳୀ, ପରୀକ୍ଷା ପରିଚାଳନା ବ୍ୟବସ୍ଥା ରହିଛି ତାହାକୁ ଅନୁକରଣ କରିବାକୁ ଆଲୋଚନା ହେଉଛି। ପାସ୍‌-ଫେଲ୍‌ ବ୍ୟବସ୍ଥା ଲାଗୁ ନେଇ ଏକାଧିକ ପ୍ରସ୍ତାବ ଆସିଛି। ସବୁ ଶ୍ରେଣୀ ପାଇଁ ପାସ୍‌-ଫେଲ୍‌ ବ୍ୟବସ୍ଥା, ୩ୟ, ୫ମ ଓ ୮ମ ଶ୍ରେଣୀରେ ପାସ୍‌-ଫେଲ୍‌ ରଖିବା ଲାଗି ପ୍ରସ୍ତାବ ରହିଛି। ଯଦି ଜଣେ ପିଲା ଫେଲ୍‌ ହେଉଛି ତେବେ ତାହାର ଶିକ୍ଷା ଗ୍ରହଣର ମାନକୁ ଅନୁଧ୍ୟାନ କରି ଶିକ୍ଷକ ରିପୋର୍ଟ ଦେବେ। ସେହି ଆଧାରରେ ପରବର୍ତୀ ନିଷ୍ପତ୍ତି ନିଆଯିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି କରାଯିବ। ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟର ଶହେଟି ହାଇସ୍କୁଲ ଓ ପ୍ରତି ଜିଲ୍ଲାର ଅତିକମ୍‌ରେ ୫ଟି ପ୍ରାଥମିକ ବିଦ୍ୟାଳୟକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯିବ। ଜିଲ୍ଲାସ୍ତରରେ ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରାଯିବା ପରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାଙ୍କ ଇଂରାଜୀ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ। ପ୍ରତି ମାସରେ ବିଦ୍ୟାଳୟଗୁଡ଼ିକର ମନିଟରିଂ କରାଯିବ। ପିଲାଙ୍କ ଇଂରାଜୀ ଦକ୍ଷତା ମପାଯିବ। ଯଦି ସଫଳତା ମିଳେ ତେବେ ଆସନ୍ତା ଶିକ୍ଷାବର୍ଷରୁ ସାରା ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକରେ ଇଂରାଜୀ ଶିକ୍ଷା କୋଚିଂ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟ ଏକ ନିଷ୍ପତ୍ତିକ୍ରମେ ଶିକ୍ଷକମାନେ ଆଉ ଯେପରି ‌ଲୋୟର ପିଏମ୍‌ଜି ଆସିବେ ନାହିଁ, ଆନ୍ଦୋଳନ କରିବେ ନାହିଁ, ସ୍କୁଲରେ ଶିକ୍ଷା‌ଦାନ ଉପରେ ଅଧିକ ଦୃଷ୍ଟି ଦେବେ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଭାଗୀୟ ମନ୍ତ୍ରୀ ସମୀର ଦାଶ ସିଧାସଳଖ ଶିକ୍ଷକ ସଂଗଠନଗୁଡ଼ିକ ସହ ଆଲୋଚନା କରିବେ। ବିଧାନସଭା ଅଧିବେଶନ ପରେ ଶିକ୍ଷକ ସଂଗଠନଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ସେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଶିକ୍ଷକମାନେ କିଭଳି ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବେ ସେଦିଗରେ ପଦକ୍ଷେପ ନିଆଯାଉଛି। ଶିକ୍ଷକମାନଙ୍କୁ ଧୀରେ ଧୀରେ ପାଠପଢ଼ା ଛଡ଼ା ଅନ୍ୟ ସବୁ କାର୍ଯ୍ୟରୁ ବିରତ ରଖାଯାଉଛି। ମଧ୍ୟାହ୍ନଭୋଜନ ଦାୟିତ୍ବ ସେମାନଙ୍କ କାନ୍ଧରୁ ହଟାଯାଇଛି। ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ବୁଝିବା ଦାୟିତ୍ବକୁ ବି ସେମାନଙ୍କଠାରୁ କାଢ଼ି ନିଆଯାଇଛି। ଶିକ୍ଷକମାନେ କିଭଳି ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ବ ଦେବେ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe