ଚାନ୍ଦବାଲି: କୁମ୍ଭୀରଭରା ବୈତରଣୀ ନଦୀରେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ଯାତ୍ରୀବାହୀ ଲଞ୍ଚ ଶୁକ୍ରବାର ଅପରାହ୍ନରେ ନଦୀ ମଝିରେ ଅଟକିଗଲା। ଚାନ୍ଦବାଲି ଜଳପଥ ପରିବହନ ବିଭାଗ ଅଧିନରେ ଥିବା ସାଳନ୍ଦୀ ଲଞ୍ଚ ବିପରୀତ ଦିଗରୁ ଅଧିକ ପବନ ବହିବାରୁ ଚାନ୍ଦବାଲି ବ୍ଲକ ଚଡଦିଆ ନିକଟସ୍ଥ ବୈତରଣୀ ନଦୀର ଶାଗୁଣା ଆଡିଆ ଘାଟରେ ଫସିଯାଇଥିବା ସୂଚନା ମିଳିଛି। ହେଲେ ଲଞ୍ଚରେ ଯାତ୍ରା କରୁଥିବା ୧୦ ରୁ ଊର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ତେବେ ଲଞ୍ଚ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ବିପଦରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି।
ସୂଚନା ଅନୁସାରେ ତାଳଚୁଆରୁ ଯାତ୍ରୀ ନେଇ ଚାନ୍ଦବାଲି ଫେରୁଥିଲା ସାଳନ୍ଦୀ ଲଞ୍ଚ, ଅଧିକ ପବନ ହେବା କାରଣରୁ ଭାରସାମ୍ୟ ହରାଉଥିବା ଲଞ୍ଚ ଟିକୁ କୌଶଳ କ୍ରମେ ନଦୀ କୂଳରେ ଲଗାଇ ଦେଇଥିଲେ ଚାଳକ। ତେବେ ଲଞ୍ଚଟି ଦୀର୍ଘ ସମୟ ଧରି ଅଟକି ରହିବା ପରେ ଅନ୍ୟ ଏକ ବୋଟ ମାଧ୍ୟମରେ ଜଳଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଫସି ରହିଛି ସାଳନ୍ଦୀ ଲଞ୍ଚ।
ରାଜ୍ୟ ଜଳପଥ ପରିବହନ ବିଭାଗ ଅଧିନରେ ରହିଥିବା ତିନି ଗୋଟି ଲଞ୍ଚ ସାହାଯ୍ୟରେ ଚାନ୍ଦବାଲିରୁ ପ୍ରତ୍ୟେକ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ପର୍ଯ୍ୟନ୍ତ ନଦୀ ପଥରେ ଦୀର୍ଘ ୨୫ କିମି ଜଳ ଯାତ୍ରା କରିଥାନ୍ତି ଶତାଧିକ ଯାତ୍ରୀ। ମଟର ଚଳିତ ଲଞ୍ଚ ଗୁଡ଼ିକର ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଏମିତି ଅଭାବନୀୟ ପରିସ୍ଥିତି ଅନେକ ସମୟରେ ଉପୁଜିଥିବା ଦେଖିବାକୁ ମିଳୁଛି। ଗଭୀର ଓ କୁମ୍ଭୀର ଭରା ନଦୀରେ ଯାତ୍ରୀ ମାନଙ୍କ ଜୀବନ ସହିତ ଖେଳ ଖେଳା ଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ପଚାରିବାରୁ କହିଛନ୍ତି ଆମେ ଅନ୍ୟ ବୋର୍ଟ ସାହାଯ୍ୟରେ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ କୂଳରେ ପହଞ୍ଚାଇଛୁ। ଅନୁଧ୍ୟାନ କରୁଛୁ କେଉଁ ପରିସ୍ଥିତିରେ ଏମିତି ଅଘଟଣ ଘଟିଛି। ଆବଶ୍ୟକ ପଡିଲେ ଲଞ୍ଚ ଗୁଡ଼ିକର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।
Follow Us