Passenger transportation: ମାଲଗାଡ଼ି‌ରେ ଯାତ୍ରୀ ପରିବହନ; ୮ ମାସରେ ୧୧୮ ଗାଡ଼ିକୁ ଚାଲାଣ

Advertisment

ଇସ୍ପାତନଗରୀରେ ପ୍ରତିଦିନ ସକାଳ ହେଲେ ଉଦିତନଗର, ମାଲଗୋଦାମ, ବିଶ୍ରା ଓ ସାରନା ଛକରୁ ଶହଶହ ଦିନମଜୁରିଆ ନିଜ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବସ୍‌ ଓ ଯାତ୍ରୀବାହୀ ଅଟୋ ପରିବର୍ତ୍ତେ ମାଲବାହୀ ଅଟୋକୁ ବ୍ୟବହାର କରୁଛନ୍ତି।

ଇସ୍ପାତନଗରୀରେ ପ୍ରତିଦିନ ସକାଳ ହେଲେ ଉଦିତନଗର, ମାଲଗୋଦାମ, ବିଶ୍ରା ଓ ସାରନା ଛକରୁ ଶହଶହ ଦିନମଜୁରିଆ ନିଜ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବସ୍‌ ଓ ଯାତ୍ରୀବାହୀ ଅଟୋ ପରିବର୍ତ୍ତେ ମାଲବାହୀ ଅଟୋକୁ ବ୍ୟବହାର କରୁଛନ୍ତି।

train9

ରାଉରକେଲା: ଇସ୍ପାତନଗରୀରେ ପ୍ରତିଦିନ ସକାଳ ହେଲେ ଉଦିତନଗର, ମାଲଗୋଦାମ, ବିଶ୍ରା ଓ ସାରନା ଛକରୁ ଶହଶହ ଦିନମଜୁରିଆ ନିଜ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବସ୍‌ ଓ ଯାତ୍ରୀବାହୀ ଅଟୋ ପରିବର୍ତ୍ତେ ମାଲବାହୀ ଅଟୋକୁ ବ୍ୟବହାର କରୁଛନ୍ତି। ଏହା ଏବେ ଯାତ୍ରୀଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି। ଭଡ଼ା ଅନ୍ୟଗାଡ଼ି ଠାରୁ ଅପେକ୍ଷାକୃତ କମ୍‌ ଥିବାରୁ ଶ୍ରମିକମାନେ ମାଲବାହୀ ଗାଡ଼ିରେ ଯିବାକୁ ଚାହୁଛନ୍ତି। ତିନିଚକିଆ ଯାନର ଖୋଲା ଡାଲାରେ ଶ୍ରମିକମାନେ ଲଦି ହୋଇଯାଆନ୍ତି। ସିମେଣ୍ଟ ବ୍ୟାଗ ଓ ପନିପରିବା ପରିବହନ ପାଇଁ ଯାହା ଉଦ୍ଦିଷ୍ଟ ଥିଲା ତାହା ପରିବହନରେ ବ୍ୟବହାର ହେଉଛି। ଏମିତି କି ବିବାହ ଋତୁରେ କ୍ୟାଟେରରମାନେ ମାଲ ପରିବହନ ସହ ଶ୍ରମିକ ପରିବହନ ମଧ୍ୟ ମାଲବାହୀ ଗାଡ଼ିରେ କରୁଥିବା ଦେଖିବାକୁ ମିଳିଛି।

ଫଳସ୍ବରୂପ ପ୍ରତିଦିନ ରାଉରକେଲା ସହରର ଆଖପାଖରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ପରିବହନ ବିଭାଗର ସଚେତନତା ପରେ ମଧ୍ୟ ଗାଡ଼ିଚାଳକ ନିୟମରେ ଖିଲାପ କରୁଛନ୍ତି। କିଛିଦିନ ତଳେ ଏକ ମାଲବାହୀ ଅଟୋରେ ୧୦ରୁ ଅଧିକ ଶ୍ରମିକ ମ୍ୟୁନିସିପାଲିଟି ଛକରୁ ବିଶ୍ରା ଛକ ଆଡ଼କୁ ଯାଉଥିଲେ। ଉଦିତନଗର ସାରନା ଛକ ନିକଟ‌ରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇ ଚିକିତ୍ସାଧୀନ ହେଉଥିବା ସୂଚନା ରହିଛି। ସେହିଭଳି କଲୁଙ୍ଗା ଅଞ୍ଚଳରେ ଏକ ଘାଟିରେ ଏକ ମାଲବାହୀ ଅଟୋ ଓଲଟି ଏକାଧିକ ଶ୍ରମିକ ଗୁରୁତର ହୋଇଥିଲେ। ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ଏହି ଅଭ୍ୟାସ ଅନିୟନ୍ତ୍ରିତ ଭାବରେ ଜାରି ରହିଛି। ଅନେକ ଡ୍ରାଇଭର ସ୍ୱୀକାର କରନ୍ତି ଯେ ଯାତ୍ରୀ ପରିବହନ ମାଲ ପରିବହନ ତୁଳନାରେ ଦୁଇଗୁଣ ରୋଜଗାର ଦେଉଛି। ବର୍ଦ୍ଧିତ ତୈଳ ଦର ଓ ସୀମିତ ନିଯୁକ୍ତି ବିକଳ୍ପ ଯୋଗୁଁ ନିୟମ ପାଳନ କରି ବଞ୍ଚିବା କଷ୍ଟକର।

ଆହୁରି ପଢ଼ନ୍ତୁ: Unprotected wildlife: ଅସୁରକ୍ଷିତ ବନ୍ୟପ୍ରାଣୀ ଜଙ୍ଗଲରୁ ଜନପଦ

ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ

ଏନେଇ ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହରାୟ କୁହନ୍ତି, ସହରରେ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ନଜରକୁ ଆସିବା ପରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରାଯାଇଛି। ପ୍ରତିଦିନ ଅନେକ ଗାଡ଼ିକୁ ଜରିମାନା କରାଯାଉଛି। ଗତ ଏପ୍ରିଲ୍‌ ମାସରୁ ଏପର୍ଯ୍ୟନ୍ତ ୧୧୮ଟି ଗାଡ଼ିକୁ ଜରିମାନା କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ପ୍ରତିଗାଡ଼ିକୁ ୫୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। କେବଳ ନଭେମ୍ବର ମାସରେ ୫୦ ଗାଡ଼ିରୁ ଜରିମାନା ଆଦାୟ କରାଯାଇଛି। ବାରମ୍ବାର ନିୟମ ଖିଲାଫ କଲେ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ।

ଆହୁରି ପଢ଼ନ୍ତୁ: Mobile network: ୧୫୬୨ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ

ଦୁର୍ଘଟଣାଜନିତ ମୃତ୍ୟୁହ୍ରାସ କରିବା ଲକ୍ଷ୍ୟ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ‘ଶୂନ ମୃତାହତ ପକ୍ଷ’ ଶେଷ ହୋଇଯାଇଛି। ନଭେମ୍ବର ୧୬ରୁ ୩୦ ଯାଏ ଆୟୋଜିତ ଏହି ପକ୍ଷରେ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ମୋଟ ୧୪୭୦ଟି ଚାଲାଣ ଜାରିହୋଇଛି। ଦ୍ରୁତଗତି, ବିନା ହେଲ୍‌ମେଟ୍‌, ବିନା ସିଟ୍‌ବେଲ୍ଟ, ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ବ୍ୟବହାର, ମଦପିଇ ଗାଡ଼ିଚାଳନା, ବାଇକ୍‌ରେ ୩ ଜଣ ବସିବା, ଭୁଲ୍‌ ପଟୁ ଗାଡ଼ିଚାଳନା ଓ ଭୁଲ୍‌ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ଏହି ଚାଲାଣ ଜାରି କରାଯାଇଛି। ମୋଟ ୧ କୋଟି ୧୮ ଲକ୍ଷ ୪୪ ହଜାର ୯୫୮ ଟଙ୍କାର ଜରିମାନା ହୋଇଛି। ସେହିଭଳି ୬ଟି ଗାଡ଼ିର ପଞ୍ଜୀକରଣ ରଦ୍ଦ ହୋଇଥିବାବେ‌ଳେ ଅନ୍ୟ ୭ଟି ଗାଡ଼ିକୁ ନୋଟିସ୍‌ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe