ଭସାପୋଲ ଉପରୁ ତୁଟୁଛି ଭରସା; ଚିଲିକାରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଡଙ୍ଗାରେ ଚାଲିଛି ଯାତ୍ରୀ ପରିବହନ

Advertisment
ଭସାପୋଲ ଉପରୁ ତୁଟୁଛି ଭରସା; ଚିଲିକାରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଡଙ୍ଗାରେ ଚାଲିଛି ଯାତ୍ରୀ ପରିବହନ

ବ୍ରହ୍ମଗିରି : ଚିଲିକାରେ ସୁରକ୍ଷିତ ଜଳଯାତ୍ରା ପାଇଁ ରହିଛି ଭସାପୋଲ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହାର ଦାୟିତ୍ବରେ ରହିଛନ୍ତି। କିନ୍ତୁ ଏବେ ମାସକୁ ଦୁଇରୁ ତିନି ଥର ଯାତ୍ରୀ ଓ ଗାଡ଼ି ସହିତ ମଝି ଚିଲିକାରେ ଭସାପୋଲ ଅଟକୁଛି। ଦିନ ଦିନ ଓ ରାତି ରାତି ଭସାପୋଲ ମଝି ଚିଲିକାରେ ଫସିରହୁଛି। ଏପଟେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଚିଲିକାରେ ଚାଲିଛି ଯାତ୍ରୀ ପରିବହନ। ଯାତ୍ରୀଙ୍କ ଜୀବନକୁ ଚିଲିକାରେ ବାଜି ଲାଗିଛି।

publive-image

ନିକଟରେ କାଳିଜାଈଙ୍କ ପୀଠରୁ ଯାତ୍ରୀଙ୍କ ସହିତ ଡଙ୍ଗା ଆସୁଥିବା ବେଳେ ବଡ଼ଅଘଟଣ ଘଟିଥିଲା। ଏଥିରେ ଜଣଙ୍କ ଜୀବନ ଯାଇଥିଲା। ଏହା ପୂର୍ବରୁ ବଣଭୋଜି କରି ଚିଲିକାରୁ ଫେରିବା ବେଳେ ମଝି ଚିଲିକାରେ ଡଙ୍ଗା ବୁଡ଼ି ଜୀବନ ଯାଇଥିଲା। କାଳିଜାଈ ଫେରିବା ବେଳେ ଡଙ୍ଗା ଦୁର୍ଘଟଣା ପରେ ସାତପଡ଼ାଠାରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ ପ୍ରଶାସନ ଓ ମୋଟର ବୋଟ୍‌ ସଂଘ ସହିତ ଡଙ୍ଗାଚାଳକଙ୍କ ମିଳିତ ବୈଠକରେ ସାତପଡ଼ାଠାରୁ ଜହ୍ନିକୁଦା ଘାଟକୁ ସୁରକ୍ଷିତ ଯାତ୍ରୀ ପରିବହନ ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରଶାସନର କଡା ନିର୍ଦ୍ଦେଶ ଥିଲା ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ହେବ ନାହିଁ। ସବୁ ଡଙ୍ଗାରେ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବେ। ଯାତ୍ରୀ ପରିବହନ କରୁଥିବା ଡଙ୍ଗା ପଞ୍ଜୀକରଣ ହେବ। ସବୁ ଡଙ୍ଗାରେ ୱାକିଟକି ରହିବ। ଏମିତି କେତେ କଣ ନିର୍ଦ୍ଦେଶନାମା ଜାରି ହୋଇଥିଲା। ବୈଠକ ପର ଦିନଠାରୁ ସବୁ ଯେମିତି ଚିଲିକା ପାଣିରେ ମିଳେଇ ଗଲା। କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ଚାଲିଲା। କେହି ବି ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଲେ ନାହିଁ। ସବୁକିଛି ପୁରୁଣା ଢାଞ୍ଚାରେ ଚାଲିଲା।

publive-image

ଗତକାଲି ଭସାପୋଲ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଅଟକିବା ପରେ ସାତପଡ଼ା ଘାଟରୁ ଯାତ୍ରୀଙ୍କ ସହିତ ଚାରି ଚକିଆ ଯାନ ଲଦା ହୋଇ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଚିଲିକା ପାରି ହେଉଥିବା ଦେଖିବାକୁ ମିଳିଛି। ୩୦ରୁ ଅଧିକ ଯାତ୍ରୀ, ୧୦ରୁ ଅଧିକ ବାଇକ୍‌ ଏବଂ ଚାରିଚକିଆ ଗାଡ଼ି ଅଥଳ ଚିଲିକାରେ ଦୀର୍ଘ ୫ କିଲୋମିଟର ପାରି ହେଉଥିବା ଦେଖିବାକୁ ମିଳିଛି। ସବୁକିଛି ପ୍ରଶାସନର ନାକ ତଳେ ଚାଲିଛି। ନା ଅଛି କଟକଣା ନା କାର୍ଯ୍ୟାନୁଷ୍ଠାନ। ସବୁଜାଣି ଶୁଣି ପ୍ରଶାସନ ଚୁପ ବସିଛି। ଆଉ ଚାରି ଚକିଆ ଗାଡ଼ି ନେଇ ଡଙ୍ଗାରେ ଯାଉଥିବା ବ୍ୟକ୍ତିଙ୍କ ଯୁକ୍ତି ହେଉଛି ଭସାପୋଲକୁ ଆଉ ଭରସା ପାଉନି। ମଝି ଚିଲିକାରେ ଅଟକୁଛି। ବରଂ ତାଠାରୁ ଭଲ ଡଙ୍ଗାରେ ଗାଡ଼ି ପରିବହନ କରିବା। ଏଭଳି ସ୍ଥିତିରେ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଛି। ପ୍ରକାଶ ଯୋଗ୍ୟ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌କୁ ଏକମାତ୍ର ଯାତାୟାତର ମାଧ୍ୟମ ହେଉଛି ଜଳପଥ। ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ପାରି ହେବାକୁ ୫ କିଲୋମିଟର ଜଳପଥ ରହିଛି। ଏବେ ଯେଉଁଭଳି ଚିଲିକାରେ ଯାତ୍ରୀ ପରିବହନ ଚାଲିଛି ଜୀବନ ଚାଲିଯିବାର ଆଶଙ୍କା ଅଧିକ ରହିଥିବା ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe