Advertisment

ପଟାସ୍‌ ସାର ବି ନକଲି: ଘର ଅଗଣାରେ ପ୍ରସ୍ତୁତ ହେଉଥିଲା

Advertisment

ବାଲି, ଲୁଣ ଓ ରଙ୍ଗ ମିଶାଉଥିଲେ, ପୁଲିସ, କୃଷି ବିଭାଗର ଚଢ଼ାଉ

ବାଲି, ଲୁଣ ଓ ରଙ୍ଗ ମିଶାଉଥିଲେ, ପୁଲିସ, କୃଷି ବିଭାଗର ଚଢ଼ାଉ

ପଟାସ୍‌ ସାର ବି ନକଲି: ଘର ଅଗଣାରେ ପ୍ରସ୍ତୁତ ହେଉଥିଲା

ବାଲେଶ୍ବର: ଚାଷୀଙ୍କ ପାଇଁ ଅଧିକ ଦରକାରୀ ପଟାସ୍‌ ସାର ବି ନକଲି! ଘର ଅଗଣାରେ ଏହି ନକଲି ସାର ପ୍ରସ୍ତୁତ କରି ବଜାରକୁ ଛାଡ଼ୁଥିଲେ ବି କେହି ତା’ର ଟେର୍‌ ପାଉନଥିଲେ। ବାଲି, ଲୁଣ, ରଙ୍ଗ ମିଶାଇ ଏହି ସାରକୁ ପ୍ରସ୍ତୁତ କରୁଥିଲେ। ଆଜି ବାଲେଶ୍ବରର କୃଷି ବିଭାଗ ପୁଲିସ ସହିତ ମିଶି ଚଢ଼ାଉ କରି ୩୦ କ୍ବିଣ୍ଟାଲରୁ ଅଧିକ ପରିମାଣର ନକଲି ସାରକୁ ଜବତ କରିଛି। ସୂଚନା ଅନୁସାରେ, ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ମିଲବାଡ଼ି ନିକଟ ବ୍ୟାଙ୍କ କଲୋନିରେ ଏହି ନକଲି କାରବାର ଚାଲୁଥିଲା।

ଘର ଅଗଣାରେ ପ୍ରସ୍ତୁତ ହେଉଥିଲା
ବାଲି, ଲୁଣ ଓ ରଙ୍ଗ ମିଶାଉଥିଲେ
ପୁଲିସ, କୃଷି ବିଭାଗର ଚଢ଼ାଉ
ମୁଖ୍ୟ କାର୍ପଟ୍‌ଦାର୍‌, ସହଯୋଗୀ ଫେରାର୍‌

ଏହି କାରବାରର ମୁଖ୍ୟ କାର୍ପଟଦାର ହେଉଛନ୍ତି ଘର ମାଲିକ ସରୋଜ ହାଜ୍‌ରା। ଶ୍ରୀ ହାଜ୍‌ରା ତାଙ୍କ ଘର ଅଗଣାରେ ବିପୁଳ ପରିମାଣ ନକଲି ସାର ପ୍ରସ୍ତୁତ କରି ଗାଡ଼ିରେ ବାହାରକୁ ଚାଲାଣ କରିଥା’ନ୍ତି। ଆଜି ପୂର୍ବାହ୍ନରେ କିଛି ଚାଷୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ସୂଚନା ପାଇ ସ୍ଥାନୀୟ ସହଦେବଖୁଣ୍ଟା ପୁଲିସ ସହିତ କୃଷି ବିଭାଗର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ୍‌ ଭ‌ାବେ ସଦର ତହସିଲଦାରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା କୃଷି ଅଧିକାରୀ ତୁଷାରିକାନ୍ତି ତୁଙ୍ଗଙ୍କ ତତ୍ତ୍ବାବଧାନରେ ଫର୍ଟିଲାଇଜର ଇନ୍ସପେକ୍ଟର ଲିଜା ଦାସ, ସଦର ବ୍ଲକ କୃଷି ଅଧିକାରୀ ଅଳକା ସାହୁ ଏବଂ ତାଙ୍କ ସହଯୋଗୀମାନେ ନକଲି ସାରର ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ବେଳେ ଇଣ୍ଡିଆ ପଟାସ୍ ଲିମିଟେଡ୍ ନାମରେ ନକଲି ସାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଲୁଣ ଓ ବାଲିକୁ ରଙ୍ଗ ସହିତ ମିଶ୍ରଣ କରି ନକଲି ପଟାସ ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବସ୍ତାରେ ଭର୍ତ୍ତି କରାଯାଉଥିଲା। ବସ୍ତାଗୁଡ଼ିକରେ ମଧ୍ୟ ବିଭିନ୍ନ ନାମୀଦାମୀ ସାର କମ୍ପାନିର ନାଁ ପ୍ରିଣ୍ଟ୍‌ ହୋଇଥିବା ଜଣାପଡ଼ିଥିଲା।
ତେବେ, ଚଢ଼ାଉ ସମୟରେ ଶ୍ରୀ ହାଜ୍‌ରା, ତାଙ୍କ ପରିବାର ଲୋକ ଏବଂ ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ କୌଶଳକ୍ରମେ ଫେରାର୍‌ ହୋଇଯାଇଥିଲେ। ତଦନ୍ତକାରୀ ଟିମ୍‌ ସମସ୍ତ ନକଲି ସାରକୁ ଜବତ କରିବା ସହିତ ଶ୍ରୀ ହାଜ୍‌ରାଙ୍କ ଘରକୁ ସିଲ୍ କରିଥିଲେ। ଏଥିସହ ସେଠାରୁ ମିଳିଥିବା ୪ଟି ସ୍ମାର୍ଟଫୋନ୍‌, ଓଜନ ଓ ସିଲେଇ ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ନକଲି ସାର ବୋଝେଇ ହୋଇଥିବା ଏକ ପିକଅପ୍‌କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।

ଏନେଇ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତୁଙ୍ଗଙ୍କ କହିବା ମୁତାବକ, ସାର ପ୍ରସ୍ତୁତିରେ ଏହି ନକଲି କାରବାର ସେ ଜାଣିବା ପରେ ଉକ୍ତ ସ୍ଥାନରେ ଚଢ଼ାଉ କରି ଛାନ୍‌ଭିନ୍‌ କରିଛନ୍ତି। ଚଢ଼ାଉରେ ପାଖାପାଖି ୬୨ ବ୍ୟାଗ ନକଲି ସାର ବସ୍ତା, ଯାହାର ପରିମାଣ ୩୦ କ୍ୟୁଣ୍ଟାଲରୁ ଅଧିକ ହେବ ଜବତ ହୋଇଛି। ୫୦ କେଜିଆ ଏହି ନକଲି ସାର ବସ୍ତାର ମୂଲ୍ୟ ୧୦୫୫ ଟଙ୍କା ଲେଖାଯାଇଥିବା ଦେଖାଯାଇଥିବା ବେଳେ ଖୋଲାରେ ପଡ଼ିଥିବା ବିପୁଳ ପରିମାଣର ନକଲି ସାର ଜବତ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହି ନକଲି କାରବାର ଏଠାରେ କେବେ ଠାରୁ ଚାଲିଥିଲା ଏବଂ ସେସବୁ କେଉଁ ଅଞ୍ଚଳକୁ ପଠାଯାଇଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe