କିଟ୍‌ର ଶାନ୍ତି ଓ ସୁରକ୍ଷା ଦାବି କଲେ ପଟିଆ ଗ୍ରାମବାସୀ

କିଟ୍ ବିଶ୍ବବିଦ୍ୟାଳୟକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଏକାଧିକ ଘଟଣାବଳୀର ପୂର୍ଣ୍ଣଚ୍ଛେଦ ପକାଇବାକୁ ପଟିଆ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। କିଟ୍‌ର ଶାନ୍ତି ଓ ସୁରକ୍ଷା ପାଇଁ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ....

gkkgv

ଚନ୍ଦ୍ରଶେଖରପୁର: କିଟ୍ ବିଶ୍ବବିଦ୍ୟାଳୟକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଏକାଧିକ ଘଟଣାବଳୀର ପୂର୍ଣ୍ଣଚ୍ଛେଦ ପକାଇବାକୁ ପଟିଆ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। କିଟ୍‌ର ଶାନ୍ତି ଓ ସୁରକ୍ଷା ପାଇଁ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଆହ୍ବାନ କରିଛନ୍ତି। ଆଜି ପଟିଆ ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ନେପାଳୀ ଛାତ୍ରୀଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହ ତାଙ୍କୁ ନ୍ୟାୟପ୍ରଦାନ କରାଯିବାକୁ ଦାବି କରିଥିଲେ। ଏହି ଘଟଣାରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ଯେଉଁଭଳି ଭାବେ କିଟ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବଦନାମ୍‌ କରାଯାଉଛି ସେଥିରେ ପଟିଆର ବରିଷ୍ଠ ନାଗରିକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। 

ସେମାନେ କହିଛନ୍ତି, ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ଯେଉଁ ନୂତନ ସହର ଗଢ଼ିଉଠିଛି ସେଥିରେ କିଟ୍‌ର ଯୋଗଦାନ ରହିଛି। ପଟିଆ ସମେତ କିଟ୍ ଆଖପାଖ ଗ୍ରାମର ଶହଶହ ଯୁବକଯୁବତୀ କିଟ୍, କିସ୍ ଓ କିମ୍‌ସରେ ଚାକିରି ପାଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ଅଞ୍ଚଳରେ ଦୋକାନବଜାର କରି ସହସ୍ରାଧିକ ବ୍ୟକ୍ତି ପରିବାର ପ୍ରତିପୋଷଣ କରୁଛନ୍ତି। ଏଭଳି ସ୍ଥିତିରେ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ସଂଗଠନ ଓ ବ୍ୟକ୍ତିବିଶେଷ ବିଭ୍ରାନ୍ତିକର ଖବର ପରିବେଷଣ କରି କିଟ୍ ଓ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଏହାଦ୍ବାରା କିଟ୍‌ର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି କିଟ୍‌ରେ ଚାକିରି କରୁଥିବା ଏହି ଅଞ୍ଚଳର ଯୁବକଯୁବତୀ ଓ ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ନେଇ ଆଶଙ୍କା ଦେଖାଦେଇଥିବା ପଟିଆ ଗ୍ରାମବାସୀମାନେ କହିଛନ୍ତି। ତେଣୁ ଶିକ୍ଷାନୁଷ୍ଠାନ ବିରୋଧରେ ଅପପ୍ରଚାର ବନ୍ଦ କରିବା ସହ ଶୈକ୍ଷିକ ବାତାବାରଣ ଫେରାଇ ଆଣିବାକୁ ସେମାନେ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ପୂର୍ବତନ ସଭାପତି ନୃସିଂହ ଚରଣ ରାଉତ, ସଭାପତି ଚିତ୍ତରଞ୍ଜନ ପାତ୍ର, ସଭ୍ୟ ବିଷ୍ଣୁଚରଣ ପାତ୍ର, ଯଶୋବନ୍ତ ସାମଲ, ଅଞ୍ଜନ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe