ଅସ୍ୱାଭାବିକ ଭାବେ ବଢ଼ୁଛି ହାତ, ଅସ୍ତ୍ରୋପଚାର ପାଇଁ ଏସ୍‌ସିବିରେ ଭର୍ତ୍ତି

Advertisment
ଅସ୍ୱାଭାବିକ ଭାବେ ବଢ଼ୁଛି ହାତ, ଅସ୍ତ୍ରୋପଚାର ପାଇଁ ଏସ୍‌ସିବିରେ ଭର୍ତ୍ତି

କଟକ : ଅସ୍ୱାଭାବିକ ଭାବେ ବଢୁଛି ହାତ। ବାମ ହାତ ଠିକ ରହିଥିବା ବେଳେ ବଢି ଚାଲିଛି ଡାହାଣ ହାତ। ହାତର ଓଜନ ଏବେ ଶରୀର ଠାରୁ ବି ଅଧିକ। ଏଭଳି ସମସ୍ୟାରେ ପଡ଼ିଥିବା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍‌ ପେରେପାଙ୍ଗୁ ଗାଁର ଅନାଥ ଝିଅ ମିତା ଶବର (୧୮)ଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲିଠାରୁ ତାଙ୍କର ବିଭିନ୍ନ ପରୀକ୍ଷା କରାଯିବ ଏବଂ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସନ୍ନ ପଟ୍ଟନାଏକ ସୂଚନା ଦେଇଛନ୍ତି। ଏହାକୁ ପ୍ଲେକ୍ସିିଫର୍ମ ନ୍ୟୁରୋ ଫାଇବ୍ରୋମା ବୋଲି ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ମିତା ୫ମଶ୍ରେଣୀରେ ବଢୁଥିବାବେଳେ ଅସ୍ୱାଭାବିକଭାବେ ଡାହାଣ ହାତ ବଢିବା ଆରମ୍ଭ କରିଥିଲା। ବାପା, ମା’ ନଥିବା ଏବଂ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ମିଳି ପାରି ନଥିଲା।। ମିତାର ଏଭଳି ଅବସ୍ଥା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ସହଯୋଗର ହାତ ବଢାଇଥିଲା। ରାୟାଗଡା ଜିଲ୍ଲାପାଳ ଗୁହା ପୁନମ୍‌ ତାପସ୍‌ କୁମାର ରେଡକ୍ରସରୁ ୧୦ହଜାର ଟଙ୍କା ଦେବା ସହ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆର୍‌ବିଏସ୍‌କେ) ରାୟଗଡା ମ୍ୟାନେଜର ବାସୁଦେବ ରଥ, ରାଜ୍ୟ ପରାମର୍ଶଦାତା ନିହାର ରଞ୍ଜନ ସ୍ୱାଇଁ ଓ ପ୍ରଶାନ୍ତ ଦାସ ପ୍ରଶାସନର ସହଯୋଗରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆଜି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଆଣି ମିତାଙ୍କୁ ଭର୍ତ୍ତି କରିଛନ୍ତି। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସନ୍ନ ପଟ୍ଟନାୟକ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକ ମିତାର ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଛନ୍ତି। ଏସ୍‌ସିବି ଆରବିଏସ୍‌କେ ମ୍ୟାନେଜର ସତ୍ୟ ନାରାୟଣ ତ୍ରିପାଠୀ, ଡିଇଓ ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ। ମିତାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ଚିକିତ୍ସା ପାଣ୍ଠି ଓ ଆବିଏସ୍‌କେରୁ ଖର୍ଚ୍ଚ କରାଯିବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe