ଖଟିଆରେ ବୁହାହେଲେ ରୋଗୀ, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ବାପାମାଆଙ୍କୁ ହରାଇ ୨ ପିଲା ଅନାଥ

ଖଟିଆରେ ବୁହାହେଲେ ରୋଗୀ, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ବିଶୋଇ/ବିଶୋଇ(୧): ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ହେଲେ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଗଲା। ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ନୂଆଗାଁ ପଞ୍ଚାୟତ ବଣକାଟି ଗ୍ରାମ ଚାରୁପାଣି ସାହିରେ।

ସାହିର ମିନୁ ନାଏକ (୩୭) କିଛିଦିନ ହେଲା ଅସୁସ୍ଥ ଥିଲେ। ଆଜି ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଫଳରେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେବାକୁ ବାହାରିଥିଲେ। ସାହି ରାସ୍ତା କାଦୁଅ ପଚପଚ ଥିବାରୁ ଆମ୍ବୁଲାନ୍‌ସ ଆସି ପାରି ନଥିଲା। ଫଳରେ ସାହିବାସୀ ଦୀର୍ଘ ଦେଢ଼ କିଲୋମିଟର ବାଟ ମୁନିଙ୍କୁ ଖଟିଆରେ ବୋହି ନୂଆସାହି ଗ୍ରାମ ଯାଏ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ହେଲେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ସମାଜସେବୀ ମଧୁସୂଦନ ନାଏକ, ସମା ନାଏକ, ସୁଦର୍ଶନ ନାଏକ, ଲଖନ ନାଏକ, ରୂପାୟ ନାଏକ, ତୁରାନ ପୂର୍ତ୍ତି ପ୍ରମୁଖଙ୍କ ସହାୟତାରେ ମିନୁଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସୂଚନାଯୋଗ୍ୟ; ଗତ ୪ ବର୍ଷ ତଳେ ମିନୁଙ୍କ ଦିବ୍ୟାଙ୍ଗ ସ୍ୱାମୀ ଦାସମାତ ନାଏକଙ୍କ ପରଲୋକ ହୋଇଥିଲା। ମିନୁ ଦିନମଜୁରି କରି ଦୁଇ ପିଲାଙ୍କ ଲାଳନପାଳନ କରୁଥିଲେ। ଭଙ୍ଗାଦଦରା ଘରେ ରହୁଥିଲେ। ଏବେ ମିନୁଙ୍କ ମୃତ୍ୟୁ ହୋଇଯିବା ପରେ ୧୦ ବର୍ଷର ପୁଅ ସାଲଖୁ ଓ ୭ ବର୍ଷର ଝିଅ ନାଲ ବେସାହାରା ହୋଇଯାଇଛନ୍ତି। ସେମାନେ କିପରି ବଞ୍ଚିବେ, ସେନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଏପରି ସମୟରେ ଅନାଥ ଭାଇଭଉଣୀଙ୍କୁ ସରକାର ସାହାଯ୍ୟ କରନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe