ରୋଗୀ ପାଉନାହାନ୍ତି, ପଦାରେ ଫୋପଡ଼ା ଯାଉଛି ସରକାରୀ ଔଷଧ

Advertisment
ରୋଗୀ ପାଉନାହାନ୍ତି, ପଦାରେ ଫୋପଡ଼ା ଯାଉଛି ସରକାରୀ ଔଷଧ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଏକ ଆଦିବାସୀବହୁଳ ଅଞ୍ଚଳ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ଏଠାକାର ଏକ ପ୍ରମୁଖ ସମସ୍ୟା ହୋଇ ରହିଆସିଛି। ସରକାରଙ୍କ ତରଫରୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଗୋଟିଏ ପଟେ ସରକାରୀ ଡାକ୍ତରଖାନାରୁ ସାଧାରଣ ଲୋକମାନେ ସୁବିଧାରେ ଔଷଧ ଟିକେ ନପାଇ ଜୀବନ ହାରୁଥିବା ବେଳେ ଅନ୍ୟପଟେ ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ ପଦାରେ ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ ବେସରକାରୀ ଡାକ୍ତରଖାନା ରୋଗୀମାନଙ୍କୁ ଲୁଟିବାରେ ଲାଗିଛି।

ଚଳିତ ବର୍ଷ ସ୍ଥାନୀୟ ଘୁ.ଉଦୟଗିରି ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ର, ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଟିକାବାଲି ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ର ଓ ଗୋଛାପଡ଼ା ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ରକୁ ଅନ୍ତର୍ଜାତୀୟ ଆଇଏସଓ ମାନ୍ୟତା ମିଳିଛି। ଯାହା କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଉପଲବ୍ଧି। ଚିକିତ୍ସା ବ୍ୟବସ୍ଥା, ପରିମଳ ଓ ରୋଗୀସେବାକୁ ବିଚାରରେ ରଖି ଏହି ୪ ସ୍ବାସ୍ଥ୍ୟକେନ୍ଦ୍ରକୁ ଏହି ସଫଳତା ମିଳିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି।

publive-image

ହେଲେ ଅନ୍ତର୍ଜାତୀୟ ମାନ୍ୟତା ପାଇଥିବା ଏହି ୪ ଚିକିତ୍ସାକେନ୍ଦ୍ର ମଧ୍ୟରୁ ଫିରିଙ୍ଗିଆ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଦିବାସୀବହୁଳ ଏହି ବ୍ଲକ୍‌ରେ ଅନେକ ଉପାନ୍ତ ଅଞ୍ଚଳ ରହିଛି। ଔଷଧ ଟିକେ ପାଇଁ ଗରିବ ଲୋକମାନେ ବହୁ ଦୂରଦୂରାନ୍ତରୁ ଏହି ସରକାରୀ ଡାକ୍ତରଖାନାକୁ ଆସି ପହଞ୍ଚୁଛନ୍ତି। ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି।

ହେଲେ ଦୁଃଖର କଥା ହେଲା, ରୋଗୀ ମାନଙ୍କୁ ସୁବିଧାରେ ଔଷଧ ମିଳିପାରୁ ନାହିଁ। କର୍ମଚାରୀମାନେ ସରକାରୀ ଔଷଧ ଭଲ ନୁହେଁ କହି ବାହାରୁ ଔଷଧ କିଣି ନିଅନ୍ତୁ ବୋଲି ରୋଗୀ ଓ ସଂପର୍କୀୟଙ୍କୁ କହୁଛନ୍ତି। ଆଉ ବାହାରେ ଥିବା ଚିହ୍ନା ଔଷଧ ଦୋକାନୀଙ୍କ ପାଖକୁ ପଠାଉଛନ୍ତି ଏହାର ଫାଇଦା ନେଇ ଔଷଧ ଦୋକାନୀ ମାନେ ଚଢ଼ା ଦରରେ ଔଷଧ ବିକ୍ରି କରିବା ସହ ଲୋକଙ୍କୁ ଶୋଷଣ କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ମେଡ଼ିକାଲକୁ ଆସୁଥିବା ଔଷଧ ଗୁଡ଼ିକୁ ଏକ୍ସପାଏରି କୁହାଯାଇ ବାହାରେ ଫିଙ୍ଗି ଦିଆଯାଉଛି। ଗତ ସୋମବାର ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଗରିବ ରୋଗୀ ମାନଙ୍କୁ ଔଷଧ ମିଳୁ ନଥିବା ବେଳେ ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କାର ଔଷଧ କାହା ସ୍ବାର୍ଥରେ ଫିଙ୍ଗାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଔଷଧ ଫିଙ୍ଗା ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ ଡା.ନିସିତ ମାଲୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe