ଡାକ୍ତରଖାନାରେ ରୋଗୀ ଖାଦ୍ୟ କେଲେଙ୍କାରୀ : ଦିନକୁ ୧୦୦ ମିଲ୍‌ ଗାଏବ!

Advertisment

ଏଡିଏମ୍‌ଓ କହିଲେ, ତଦନ୍ତ ହେବ

ଏଡିଏମ୍‌ଓ କହିଲେ, ତଦନ୍ତ ହେବ

ଡାକ୍ତରଖାନାରେ ରୋଗୀ ଖାଦ୍ୟ କେଲେଙ୍କାରୀ : ଦିନକୁ ୧୦୦ ମିଲ୍‌ ଗାଏବ!

ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରୁ ଦୈନିକ ନୂଆ ଭାବରେ ଆସୁଥିବା ପ୍ରାୟ ୧୦୦ରୁ ୧୨୦ ରୋଗୀଙ୍କ ମିଲ୍‌ ଗାଏବ ହୋଇ ଯାଉଛି। ରୋଗୀ ସକାଳୁ କିମ୍ବା ସଂଧ୍ୟାରେ ଯେତେବେଳେ ମଧ୍ୟ ଭର୍ତ୍ତି ହୁଅନ୍ତୁ ସେମାନେ ସେମାନେ ସେହି ଦିନର ଖାଦ୍ୟ ପାଉନାହାନ୍ତି। ଅନେକ ରୋଗୀ ପରବର୍ତ୍ତୀ ଦିନ ମଧ୍ୟ ଖାଦ୍ୟରୁ ବଞ୍ଚିତ ହେଉଥିବା ନେଇ ସଦର ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଭର୍ତ୍ତି ରୋଗୀମାନେ ଅଭିଯୋଗ କରିଛନ୍ତି।

ସମ୍ବଲପୁର ସଦର ଡାକ୍ତରଖାନା ସଂକ୍ରମଣ ବିଭାଗରେ ଭର୍ତ୍ତି କୁକୁବତି (୭୦) ଶନିବାର ସକାଳ ୯ଟାରେ ଭର୍ତ୍ତି ହୋଇଥିବାବେଳେ ରବିବାର ମଧ୍ୟ ତାଙ୍କୁ ଖାଦ୍ୟ ଦିଆଯାଇ ନାହିଁ। ସେହି ବିଭାଗର ଶୁକ୍ରବାର ରାତିରେ ଭର୍ତ୍ତି ହୋଇଥିବା ଶକୁନ୍ତଳା ମିର୍ଧା(୮୦)ଙ୍କୁ ରବିବାର ୧୨ଟାରେ ପାଉଁରୁଟି, ଅଣ୍ଡା ଏବଂ କ୍ଷୀର ଦିଆଯାଇ ଥିଲା। ଶିଶୁ ବିଭାଗରେ ଭର୍ତ୍ତି ଶନିବାର ସଂଧ୍ୟାରେ ଭର୍ତ୍ତି କୁନାଲ ସୁନା(୮) ମଧ୍ୟ ରବିବାର ଖାଇବା ପାଇ ନାହାନ୍ତି। ଡାକ୍ତରଖାନାର ନିୟମ ଅନୁଯାୟୀ, ଯେଉଁ ଦିନ ରୋଗୀ ଭର୍ତ୍ତି ହୋଇ ଥାଆନ୍ତି, ତା ପରଦିନ ଠାରୁ ତାଙ୍କ ନାମ ଖାଇବା ତାଲିକାରେ ସ୍ଥାନ ପାଇଯିବା ଉଚିତ। ମାତ୍ର ରୋଗୀମାନେ ପ୍ରାୟ ୨ ଦିନ ପରେ ଖାଇବା ପାଉଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ଦିନର ରୋଗୀ ଖାଦ୍ୟ କୁଆଡ଼େ ଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରୋଗୀମାନଙ୍କ ପାଇଁ ସକାଳ ଜଳଖିଆ ଦିଆଯାଉନଥିବାବେଳେ ଯେଉଁମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ରହିଛି ସେମାନଙ୍କୁ ୪୦୦ ଗ୍ରାମ ଚାଉଳର ଭାତ, ୧୦୦ ଗ୍ରାମର ଡାଲି, ୫୦୦ ଗ୍ରାମର ବିଭିନ୍ନ ପ୍ରକାର ପରିବାର, ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ୨ଟି ସିଝା ଅଣ୍ଡା, ବୁଧବାର ଭାତ, ଡାଲି, ଚିକେନ, ଶୁକ୍ରବାର ଭାତ, ଡାଲି, ପନିର ଏବଂ ରବିବାର ଭାତ, ଡାଲି, ଅଣ୍ଡା ତରକାରି କିମ୍ବା ପାଉଁରୁଟି, କ୍ଷୀର, ବିସ୍କୁଟ ଏବଂ ଗୋଟିଏ ଦିନ ଅନ୍ତରାଳରେ ଅଣ୍ଡା ଦିଆଯାଉଥିବା ନେଇ ଖାଦ୍ୟ ଯୋଗାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଉଛି। ରୋଗୀମାନଙ୍କୁ ପ୍ରାୟତଃ ବିସ୍କୁଟ ଦିଆଯାଉନଥିବାବେଳେ ଓମଫେଡ଼ ପ୍ରଦାନ ମଧ୍ୟ ଠିକ ଭାବରେ ଦିଆଯାଉନଥିବା କିଛି କହୁଛନ୍ତି। ଯେଉଁମାନଙ୍କୁ ଭାତ ଦିଆଯାଉଛି ସେମାନଙ୍କୁ ଗୋଟିଏ ଓଳି ଭାତ, ଡାଲି, ତରକାରି ଦିଆଯାଉଥିବାବେଳେ ସଂଧ୍ୟାରେ କେବଳ ଭାତ, ଡାଲି ଦିଆଯାଉଥିବା କୁହାଯାଉଛି। ପୂର୍ବାହ୍ନ ୧୨ଟା ଏବଂ ଅପରାହ୍ନରେ ରାତି ଖାଦ୍ୟ ପ୍ରଦାନର ବ୍ୟବସ୍ଥା ଥିବାବେଳେ, ପୂର୍ବାହ୍ନ ଖାଦ୍ୟ ପହଞ୍ଚିବାକୁ ପୂର୍ବାହ୍ନ ୧.୪୫ରୁ ୨ଟା ପର୍ଯ୍ୟନ୍ତ ସମୟ ଲାଗି ଯାଉଛି। ଖାଦ୍ୟ ବିତରଣରେ କର୍ମଚାରୀ ଅଭାବ ଏହାର କାରଣ ହେଉଥିବା କୁହାଯାଉଛି। ଖାଦ୍ୟ ପରିଚାଳନା ପାଇଁ ଜଣେ ରୋଷେଇୟାଙ୍କ ସମେତ ୪ ଜଣ କର୍ମଚାରୀ ରହିବା ଉଚିତ। ମାତ୍ର ଏଠାରେ କେବଳ ୨ ଜଣ କର୍ମଚାରୀ ଅଛନ୍ତି। ସହଯୋଗ ପାଇଁ ସ୍ଥଳ ବିଶେଷରେ ଯକ୍ଷ୍ମା ଏବଂ ବଗିଚାରେ କାର୍ଯ୍ୟ କରୁଥିବା ଜଣେ ଆଟେଣ୍ଡାଣ୍ଟ ପହଞ୍ଚିଥାଆନ୍ତି। ଏ ନେଇ ଦୃଷ୍ଟିଦେବାର ଆବଶ୍ୟକତା ରହିଛି।

ସମ୍ବଲପୁର ସଦର ଡାକ୍ତରଖାନା ଏଡିଏମଓ ମେଡିକାଲ ଡ.ଅଶୋକ ଦାଶ କହିଛନ୍ତି, ପ୍ରତି ରୋଗୀ ପିଛା ସରକାର ଖାଦ୍ୟ ଖର୍ଚ ୫୦ ଟଙ୍କା ନିର୍ଧାରଣ କରିଛନ୍ତି। ଏ ନେଇ ଟେଣ୍ଡର ଦିଆଯାଇଛି। ସେହି ଆଧାରରେ ଖାଦ୍ୟ ବଣ୍ଟନ ହେଉଛି। ବର୍ତ୍ତମାନ ଏହାକୁ ୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଖୁବ ଶୀଘ୍ର ନୂଆ ଟେଣ୍ଡର ହେବ। ଯଦି କୌଣସି ରୋଗୀ ଠିକ ଭାବରେ ଖାଦ୍ୟ ପାଉନାହାନ୍ତି, ସେ ନିଜେ ପ୍ରତ୍ୟକ୍ଷ ଭାବରେ ଏହାର ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe