କଟକ: ରୋଗୀଙ୍କ ଅଧିକାର ସମ୍ପର୍କରେ ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ଙ୍କ ସୁପାରିଶ ରାଜ୍ୟର ବିଭିନ୍ନ ସରକାରୀ ତଥା ଘରୋଇ ହସ୍ପିଟାଲ ଗୁଡିକରେ କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ଦାଏର ମାମଲାରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଓଡ଼ିଶା ରାଜ୍ୟ ରୋଗୀ ଅଧିକାର ମଞ୍ଚ ସଭାପତି ଅମୀୟ ଭୂଷଣ ବିଶ୍ବାଳଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ମହଲତ ଲୋଡ଼ା ଯାଇଥିଲା।
ଆହୁରି ପଢ଼ନ୍ତୁ:Child custody: ଘରୁ ଶାଶୁଙ୍କୁ ତଡି ପିଲାର କଷ୍ଟଡି ପିତାଙ୍କୁ ଦିଆଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ
ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ସରକାର
ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ କହିଛନ୍ତି। ରୋଗୀଙ୍କ ଅଧିକାର ସଂପର୍କିତ ସୂଚନା ସଂକ୍ରାନ୍ତରେ ସତ୍ୟପାଠରେ ସରକାର ଅବଗତ କରିବା ସହିତ କେଉଁ ସବୁ ସରକାରୀ ଡାକ୍ତରଖାନାରେ ଏହା କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଛି ସେ ନେଇ ତଥ୍ୟ ଦାଖଲ କରିବେ।
ନଭେମ୍ବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏନଏଚଆରସିଙ୍କ ସୁପାରିଶ ଆଧାରରେ ସମସ୍ତ ହସ୍ପିଟାଲରେ ରୋଗୀଙ୍କ ସୂଚନାଧିକାର, ତତ୍କାଳ ଚିକିତ୍ସା ଅଧିକାର, ଗୁଣାତ୍ମକ ସେବା, ବିକଳ୍ପ ଚିକିତ୍ସା ଅଧିକାର, ଔଷଧ ଓ ପରୀକ୍ଷାନିରୀକ୍ଷା ଚୟନ, ହସପିଟାଲରୁ ଡିସଚାର୍ଜ କିମ୍ବା ମୃତ ଦେହ ଗ୍ରହଣ ଆଦି ସମ୍ପର୍କିତ ଅଧିକାର କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ।
ଓଡିଶାର ସମସ୍ତ ସରକାରୀ, ବେସରକାରୀ ଡାକ୍ତରଖାନା, ନର୍ସିଂହୋମ, ଘରୋଇ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଓ ନିଦାନ କେନ୍ଦ୍ରରେ ରୋଗୀ ଅଧିକାର କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରସଂଗ ଉପରେ କାର୍ଯ୍ୟ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ଗାଇଡଲାଇନ ପ୍ରସ୍ତୁତ କରାଯିବା ଆବଶ୍ୟକ।
ଆହୁରି ପଢ଼ନ୍ତୁ:Russian nuclear capable torpedo: ବିଶ୍ବକୁ ବୁଡ଼ାଇ ମାରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର: ରୁଷିଆ ପୋସେଡନ୍ ଟର୍ପେଡୋ ସମୁଦ୍ରକୁ ଥରାଇଲା
ରୋଗୀ ଅଧିକାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହୋଇଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କମଳାକାନ୍ତ ମହାନ୍ତି ଓ ସରକାରଙ୍କ ପକ୍ଷରୁ ଏଜିଏ ସଂଜୟ ରଥ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/30/patients-rights-case-high-court-directs-government-to-submit-affidavit-2025-10-30-08-47-29.jpg)