Telegraph India
ବୁର୍ଲା : ସମଗ୍ର ପଶ୍ଚିମ ଓଡ଼ିଶା ସ୍ୱାସ୍ଥ୍ୟସେବା ପାଇଁ ନିର୍ଭରଶୀଳ ଥିବା ବୁର୍ଲା ଭିମ୍ସାରରେ ରାଜ୍ୟ ସରକାର ମାଗଣା ରୋଗ ପରୀକ୍ଷାଠାରୁ ଆରମ୍ଭକରି ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ମାଗଣା ପରୀକ୍ଷା ଠିକ୍ ଭାବେ ରୋଗୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ଫେଲ୍ ମାରିଛି। ରୋଗୀଙ୍କୁ ଡାକ୍ତରଖାନାରେ ମାଗଣା ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ୨ ମାସର ସମୟ ଅପେକ୍ଷା କରିବାକୁ କୁହାଯାଉଛି। ଅନ୍ୟପଟେ ଡାକ୍ତର କିନ୍ତୁ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖିବା ପରେ ଚିକିତ୍ସା ବ୍ୟବସ୍ଥା ହୋଇପାରିବ ବୋଲି ପରାମର୍ଶ ଦେଉଛନ୍ତି। ଫଳରେ ବାଧ୍ୟହୋଇ ରୋଗୀ ଘରୋଇ ପାଥୋଲ୍ୟାବ ବା ଘରୋଇ ନର୍ସିଂହୋମକୁ ଯାଉଥିବା ଦେଖିବାକୁ ମିଳିଛି।
ଗତକାଲି ଜଣେ ଗରିବ ରୋଗୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ରୋଗୀ ଜଣକ ହେଲେ ବୁର୍ଲା ସହରର ସତିଶ ଛତ୍ରିଆ (୫୦) । ତାଙ୍କର ପେଟ ଦରଜ ହେଉଥିବାରୁ ସେ ଗତକାଲି ବୁର୍ଲା ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ଡାକ୍ତରଖାନାକୁ ଅଲଟ୍ରାସାଉଣ୍ଡ କରିବା ପାଇଁ ଯାଇଥିଲେ। କିନ୍ତୁ, ସେଠାରେ ତାଙ୍କୁ ୩ ଜାନୁଆରି ୨୦୨୨ରେ ଏହି ପରୀକ୍ଷା ପାଇଁ ଆସିବାକୁ କୁହାଯାଇଥିଲା। ଅର୍ଥାତ ୨ ମାସ ପରେ ଅଲ୍ଟ୍ରାସାଉଣ୍ଡ କରାଯିବାକୁ କୁହାଯାଇଛି। ରୋଗ ପରୀକ୍ଷା ପାଇଁ ମାସ ମାସ କାହିଁକି ଅପେକ୍ଷା କରିବା ପାଇଁ ରୋଗୀଙ୍କୁ କୁହାଯାଉଛି, ତାହା ବୁଝାପଡ଼ୁନାହିଁ। ଯଦି ଏତେ ମାସ ରୋଗୀ ଅପେକ୍ଷା କରିବ, ତେବେ ତାଙ୍କ ଜୀବନ ପ୍ରତି କିଛି ବିପଦ ସୃଷ୍ଟି ହେଲେ ଡାକ୍ତରଖାନା କର୍ତୃପକ୍ଷ ଦାୟୀ ରହିବେ କି ପ୍ରଶ୍ନ ହେଉଛି। ଏହି ସମସ୍ୟା ବର୍ଷ ବର୍ଷ ଧରି ଡାକ୍ତରଖାନାରେ ଲାଗି ରହିଥିଲେ ବି ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଏପରିକି ଏହି କାରଣ ଯୋଗୁଁ ବାଧ୍ୟ ହୋଇ ରୋଗୀମାନେ ଘରୋଇ ପଥୋଲ୍ୟାବ ମୁହାଁ ହେଉଛନ୍ତି । ତେବେ କର୍ତୃପକ୍ଷଙ୍କ ଏଭଳି ମନୋଭାଗ ଘରୋଇ ପଥୋଲ୍ୟାବକୁ ରୋଗୀ ପଠାଇବା ପାଇଁ ଏକ ସୁପରିକଳ୍ପିତ ଯୋଜନା ବୋଲି ଅଂଚଳରେ ଚର୍ଚା ହେଉଛି। ଏନେଇ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ ଏସମ୍ପର୍କରେ କିଛି କହିବା ପାଇଁ ମନା କରିଦେଇଥିଲେ।
Follow Us