ପାଟକୁରା ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇଲେ ବିଜୟଙ୍କ ପୁଅ

Advertisment
ପାଟକୁରା ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇଲେ ବିଜୟଙ୍କ ପୁଅ

କେନ୍ଦ୍ରାପଡ଼ା/ଗରଦପୁର :  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶତାଧିକ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଇ ଗରଦପୁର ବ୍ଲକ୍ ଅଫିସ୍‌ ଆଗରେ ପ୍ରତିବାଦ ସଭା କରିଛନ୍ତି। ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଚୟନ, ରାସନକାର୍ଡରେ ନୂତନ ନାମ ସଂଯୋଗ ଦାବି କରିବା ସହିତ ବ୍ଲକ୍‌ରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଏହି ଆନ୍ଦୋଳନ କରିଛନ୍ତି। କିନ୍ତୁ ସ୍ବାଭିମାନ ମଂଚ ଲେଖା ଥିବା ପ୍ରଚାର ଗାଡ଼ିରେ ଆସି ସ୍ବାଧୀନ ବ୍ୟାନର୍‌ରେ ଅରବିନ୍ଦଙ୍କ ଏପ୍ରକାର ଆନ୍ଦୋଳନ ପାଟକୁରା ରାଜନୀତିକୁ ସରଗରମ କରିଛି।

ଗଲା ଜାନୁଆରି ୮ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀର ତିକନପୁରରେ ବିଜୟ ଯେଉଁ ବଂଧୁମିଳନ ସମାବେଶ ଆୟୋଜନ କରିଥିଲେ, ସେଥିରେ ଅରବିନ୍ଦ ସାମିଲ୍‌ ହୋଇ ରାଜନୀତି କରିବେ ବୋଲି ଖୋଲାଖୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଇଥିଲେ ା କିନ୍ତୁ ଦଳ ସଂପର୍କରେ ମୁହଁ ନ ଖୋଲି ତିନି ମାସ ଭିତରେ ସବୁ ସ୍ପଷ୍ଟ ହେଇଯିବ ବୋଲି କହିଥିଲେ ା ବିଜୟ କିନ୍ତୁ ୨୦୨୪ ନିର୍ବାଚନରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ସଂକେତ ଦେଇଥିଲେ ା ବିଜୟଙ୍କ ଏପ୍ରକାର ସଂକେତ ଆଉ ଆଜି ତାଙ୍କ ପୁଅ ପ୍ରଥମଥର ପାଇଁ ରାଜନୈତିକ କାର୍ଯ୍ୟକ୍ରମ ସ୍ବରୂପ ସ୍ବାଧୀନ ବ୍ୟାନର୍‌ରେ ଗରଦପୁର ବ୍ଲକ୍ ଆଗରେ ପ୍ରତିବାଦ ସଭା କରିବା କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସରପଂଚ ଗୋଲଖ ବହାରୀ ସ୍ବାଇଁ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୁବନେତା ଅରବିନ୍ଦ ଉଦ୍‌ବୋଧନରେ ବ୍ଲକ୍ ସ୍ତରରେ ହେଉଥିବା ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌ରେ ଦୁର୍ନୀତି ହେଉଛି। ଶହ ଶହ ଯୋଗ୍ୟ ହିତାଧିକାରୀ ଚାଳ ଘରେ ରହୁଛନ୍ତି ା ସେମାନଙ୍କୁ ତୁରନ୍ତ ଘର ଦିଆଯାଉ। ୨୩ବର୍ଷରୁ ଅଧିକ ହେବ ସରକାର କ୍ଷମତାରେ ଥାଇ ମଧ୍ୟ ଏତେ ଦୁର୍ନୀତି କିଭଳି ହେଉଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇବା ସହିତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ୍‌ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe