new india express
କଟକ: ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଦାୟର କରିଥିବା ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ପ୍ରତିପକ୍ଷ ଶ୍ରୀ ସିଂହଦେଓଙ୍କୁ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଶ୍ରୀ ସିଂହଦେଓଙ୍କ ନାମାଙ୍କନ ଜନପ୍ରତିନିଧି ଆଇନ ଅନୁସାରେ ହୋଇନଥିଲା। ଶ୍ରୀ ସିଂହଦେଓ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ନିଜ ସ୍ଥାବର, ଅସ୍ଥାବର ସଂପତ୍ତିର ଠିକ ତଥ୍ୟ ଦେଇ ନଥିଲେ। ସଂପତ୍ତିର ବର୍ତ୍ତମାନର ମୂଲ୍ୟ ଉଲ୍ଲେଖ କରାଯାଇ ନଥିଲା। ଏଥି ସହିତ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂପର୍କିତ ସବିଶେଷ ତଥ୍ୟ ସତ୍ୟପାଠରେ ସେ ଉଲ୍ଲେଖ କରି ନାହାନ୍ତି। ଫୌଜଦାରୀ ମାମଲାଗୁଡ଼ିକର ସାନି ସ୍ଥିତି ନେଇ ମଧ୍ୟ ସତ୍ୟପାଠରେ ତଥ୍ୟ ନାହିଁ। ତାଙ୍କ ବ୍ୟାଙ୍କ ଖାତାରେ ଥିବା ଅର୍ଥ ଓ ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ପ୍ରସଂଗରେ ଶ୍ରୀ ସିଂହଦେଓ ସତ୍ୟପାଠରେ ସବୁ ତଥ୍ୟ ଦେଇ ନାହାନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏଭଳି ସ୍ଥିତିରେ ଶ୍ରୀ ସିଂହଦେଓଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବିଜେପି ପ୍ରାର୍ଥୀ ଶ୍ରୀ ସିଂହଦେଓ ୯୩୮୨୩ ଖଣ୍ଡ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଶ୍ରୀ ମେହେର ୯୨୪୬୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନତାଶା ଅଗ୍ରୱାଲ ଓ ସୂର୍ଯ୍ୟାଂଶୀ ଶ୍ରୀବାସ୍ତବ ମାମଲା ପରିଚାଳନା କରୁଛନ୍ତି।
Follow Us