ଭୁବନେଶ୍ୱର: ଯନ୍ତ୍ରୀଙ୍କୁ କାନ ଧରି ଉଠ୍ବସ୍ କରାଇବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୫ ତାରିଖରେ ହେବ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଆଜି ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ମାତ୍ର ସ୍ବତନ୍ତ୍ର ଜଜ୍ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅରୁଣ କୁମାର ମଲ୍ଲିକ ଏହାର ଶୁଣାଣିକୁ ଆସନ୍ତା ୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ସେ ପର୍ଯ୍ୟନ୍ତ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତରେ ରହିବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି।
ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଶୁଣାଣି ଘୁଞ୍ଚାଯାଇଥିବା ଆଦେଶରେ ଦର୍ଶାଯାଇଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ମଧ୍ୟ ଓକିଲମାନେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କାର୍ଯ୍ୟବନ୍ଦ କରିଛନ୍ତି। ଏଣୁ ଅଭିଯୁକ୍ତ ବିଧାୟକ ଶ୍ରୀ ମେହେର ଆଜି କୋର୍ଟରେ ନିଜ ପକ୍ଷ ନିଜେ ଉପସ୍ଥାପନ କରିଥିଲେ। ଅନ୍ୟପଟେ ବିଧାୟକଙ୍କ ଆକ୍ରୋଶର ଶିକାର ହୋଇ ଉଠ୍ବସ୍ ହୋଇଥିବା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଓ ତାଙ୍କ ପତ୍ନୀ ତଥା ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ ମଧ୍ୟ ଆଜି କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। କହିଥିଲେ ଯେ, ବିଧାୟକଙ୍କ ସମର୍ଥକମାନେ ଆମକୁ ଧମକ ଦେଉଛନ୍ତି। ଏଣୁ ଆମ ଜୀବନ ପ୍ରତି ବିପଦ ରହିଛି। ବିଧାୟକଙ୍କୁ ଜାମିନ୍ ମିଳିଲେ ଆମ ଜୀବନ ବିପନ୍ନ ହେବ। ଆମକୁ ସୁରକ୍ଷା ଯୋଗାଇ ଦିଆଯିବା ସହ ବିଧାୟକଙ୍କୁ ଜାମିନ୍ ଦିଆ ନ ଯାଉ।
ବିଧାୟକ ତାଙ୍କ ଜାମିନ୍ ଆବେଦନରେ ଦର୍ଶାଇଛନ୍ତି ଯେ, ଯେଉଁ ଦଫା ସବୁ ବଳରେ ତାଙ୍କୁ ଗିରଫ କରାଯାଇଛି କେବଳ ୩୫୩କୁ ଛାଡ଼ିଦେଲେ ଲାଗିଥିବା ବାକି ଦଫା ସବୁ ଜାମିନଯୋଗ୍ୟ। ଲୋକପ୍ରତିନିଧି ହୋଇଥିବାରୁ ପଳାତକ ହେବାର ମଧ୍ୟ ସମ୍ଭାବନା ନାହିଁ। ଏବେ ବିଧାନସଭା ଚାଲିଥିବାରୁ ସେଠାରେ ଅଞ୍ଚଳବାସୀଙ୍କ ସ୍ବାର୍ଥ ପାଇଁ ଉପସ୍ଥିତ ହେବା ଜରୁରୀ। ଅଭିଯୋଗକାରୀ ଯନ୍ତ୍ରୀଙ୍କର ଜାତି ଶବର। କିନ୍ତୁ ଘଟଣା ଘଟିବା ସମୟରେ ସେ ସରକାରୀ କାର୍ଯ୍ୟରେ ନ ଥିଲେ। ସରକାରୀ କାର୍ଯ୍ୟ ବାହାରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଛି। ଅନୁସୂଚିତ ଜାତି ଜନଜାତି ହିଂସା ନିବାରଣ ଆଇନ ବଳରେ ଲାଗିଥିବା ଦଫା ଜାମିନଯୋଗ୍ୟ। ଏଣୁ ତାଙ୍କୁ ଜାମିନ ଦିଆଯାଉ, କୋର୍ଟଙ୍କର ଯେ କୌଣସି ସର୍ତ୍ତ ମାନିବାକୁ ସେ ରାଜି ଅଛନ୍ତି ବୋଲି ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ବିଧାୟକ ଉଠ୍ବସ୍ କରାଉଥିବା ଦୃଶ୍ୟ ରହିଥିଲା। ନିମ୍ନମାନର ରାସ୍ତା କାମ ହୋଇଥିବାରୁ ସେ ତାଙ୍କୁ ରାସ୍ତା ମଝିରେ ଦଣ୍ଡ ଦେଉଥିଲେ। ଏଭଳି ଭିଡିଓ ଭାଇରାଲ ହେବା ପରେ ଜୟକାନ୍ତଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଧ୍ୟ ବିଧାୟକ ଗିରଫ ହେଉ ନ ଥିଲେ। ଯନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବି ଜୋର୍ ଧରିଥିଲା। ଶେଷରେ ଗତ ୨୪ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ସେ ଅସୁସ୍ଥ ହେବାରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ।
Follow Us