ସୁଧୁରୁନି ପୋଲିସ ବ୍ୟବସ୍ଥା ! ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ ପୋଲିସ ବାବୁ.. ପଟ୍ଟାମୁଣ୍ଡାଇରୁ ଆସିଲା ପୋଲିସ ଅବହେଳାର ଚିତ୍ର

ଥାନାରେ ଆଉ ଗୋଟେ ବି ଏଫଆଇଆର ଗ୍ରହଣ କରାଗଲା ନାହିଁ ବୋଲି ଆଉ ଶୁଣାଯିବନି । ଯେଉଁ ଆଇଆଇସି ଏଫଆଇଆର ଗ୍ରହଣ କରିବନି ସିଏ ତତକ୍ଷଣାତ୍ ସସପେଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ... ହେଲେ ଏବେ କଣ ହେଲା ? ଝିଅଟା ନ୍ୟାୟ ମାଗି ମାଗି ଜଳିଗଲା...

cm police

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେନି ପୋଲିସ ବାବୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦଳିମକଚି ଫୁ କରିଦେଲେ ପୋଲିସ ବାବୁ । ୫ ମାସ ତଳେ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ନିର୍ଦ୍ଦେଶକୁ କରାଯାଇଛି ଅବମାନନା । ଏଫଆଇଆର୍ ନେଇ ଗତ ମାର୍ଚ୍ଚ ୭ ତାରିଖରେ ନୂଆପଲ୍ଲୀ ଥାନା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଯେଉଁ କଡା ନିର୍ଦ୍ଦେଶ ଦେଇଥିଲେ ସେ ନିର୍ଦ୍ଦେଶକୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଫୁଙ୍କି ଉଡାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ କି- ଥାନାରେ ଆଉ ଗୋଟେ ବି ଏଫଆଇଆର ଗ୍ରହଣ କରାଗଲା ନାହିଁ ବୋଲି ଆଉ ଶୁଣାଯିବନି । ଯେଉଁ ଆଇଆଇସି ଏଫଆଇଆର ଗ୍ରହଣ କରିବନି ସିଏ ତତକ୍ଷଣାତ୍ ସସପେଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅତୀତରେ ନିଜ ସହ ପୋଲିସର ଖରାପ ବ୍ୟବହାରକୁ ଉଦାହରଣ ଦେଇ ଏଭଳି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ତାଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ କରି ଉଡ଼ାଇ ଦିଆଯାଇଛି । ଯାହାର ବଡ଼ ଉଦାହରଣ ଏବଂ ଶେଷ ପରିଣତି କେନ୍ଦ୍ରପଡା ପଟ୍ଟାମୁଣ୍ଡାଇର ଛାତ୍ରୀଙ୍କ ଆତ୍ମଦାହ ଘଟଣା ।

police

କେନ୍ଦ୍ରାପଡାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପୋଲିସର କାର୍ଯ୍ୟଶୈଳୀ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ।ସେ କହିଛନ୍ତି- ୬ରୁ ୮ ମାସ ତଳେ ପୁରୁଷ ବନ୍ଧୁର ଧମକ ଚମକ କଥା ଆମେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲୁ । ହେଲେ ପୋଲିସ ଖାମଖିଆଲି ଭାବେ ନମ୍ବର ବ୍ଲକ କରିଦେବାକୁ କହିବା ସହ ଲିଖିତ ଅଭିଯୋଗ ପାଇଁ କହିଥିଲା । ଯାହା ପରେ ନ୍ୟାୟ ନପାଇ ଛାତ୍ରୀ ନିଜକୁ ଜାଳି ଦେଇଛନ୍ତି କୁହାଯାଉଛି । ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଥାନାର ପଲେଇ ବାବୁ ଖାମଖିଆଲି ବୟାନ ଦେଇ କହିଛନ୍ତି- ମୁଁ ମିଡିଆରେ ବାଇଟ ଦେବିନି । କେବେ ଅଭିଯୋଗ ଦେଇଥିଲେ, କଣ ଅଭିଯୋଗ ଦେଇଥିଲେ ମୁଁ ଜାଣିନି । 

badapada

ତେବେ ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ପଲେଇ ବାବୁଙ୍କ ସମ୍ବେଦନହୀନ ବୟାନ ପୋଲିସର କାର୍ଯ୍ୟଶୈଳୀ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଥିବା ବେଳେ ବିଜେଡି ମଧ୍ୟ ପୋଲିସ ଉପରକୁ ଟାର୍ଗେଟର ଟେକା ଫିଙ୍ଗିଛି । ବିଜେଡି କହିଛି-

ଗୃହ ବିଭାଗର ସ୍ବାସ୍ଥ୍ୟ ଭଲ ନାହିଁ। ସୁଶାସନ ନାଁରେ ଓଡ଼ିଶାରେ ଚାଲିଛି ଦୁର୍ଯ୍ଯୋଧନ ଓ ଦୁଃଶାସନ ଶାସନ। ଓଡ଼ିଶାର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ। କେତେବେଳେ ନିମାପଡ଼ା, କେତେବେଳେ କଟକ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ଯୁକ୍ତ ତିନି ତୃତୀୟ ବର୍ଷର ଝିଅଟି ଜୀବନ ହାରିଲା। ଏଇଥିପାଇଁ ଜୀବନ ହାରିଲା ଯେ ତାର ଏଫଆଇଆର ଗ୍ରହଣ କରିଗଲା ନାହଁ। ଏହା ପ୍ରଥମ ଘଟଣା ନୁହେଁ, ଗତ ଦୁଇ ତିନି ସପ୍ତାହ ଭିତରେ ଏହା ଚତୁର୍ଥ ଘଟଣା ଯେ ଏଫଆଇଆର ପଞ୍ଜୀକରଣ ହେଉନାହିଁ । ମୁଖ୍ୟମନ୍ତ୍ରୀ କହିଥିଲେ ଜିରୋ ଏଫ ଆଇ ଆର ପଞ୍ଜୀକରଣ କରିବା ପାଇଁ ବାଧ୍ୟ । ଆଜି ଲାଗୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କଥା ଡିଜିପି ଶୁଣୁନାହାନ୍ତି । ମହିଳା ଛାତ୍ରୀମାନେ ନିରାଶ ହୋଇପଡିଛନ୍ତି। ସେ ଝିଅର ବାପା ଥାନାକୁ ଯାଇ ଅନୁରୋଧ କରିଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇ ନଥିଲେ। ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ହେଉଛି । ଝିଅ ଜୀବନ ହାରୁଛନ୍ତି । ଆଉ କେତେ ଦିନ ଯାଏ ଅପେକ୍ଷା କରିବା । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇ ପାରୁନାହାନ୍ତି ଯଦି ଗୃହ ବିଭାଗ ଆଉ କାହାକୁ ଦିଅନ୍ତୁ, ଗାଦି ଛାଡ଼ନ୍ତୁ ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe