ଭୁବନେଶ୍ବର: ଆଉ କେତେ ନାରୀ ଜଳିଲେ ଆଇନର ଆଖି ଖୋଲିବ ? ଆଉ କେତେ ନାରୀ ଜୀଅନ୍ତା ଜଳିଲେ ସେମାନଙ୍କ ଚିତ୍କାର ପୋଲିସର କାନରେ ପଡିବ ? ଆଉ କେତେ ଜୀବନ ଗଲେ ବ୍ୟବସ୍ଥା ନିଦରୁ ଉଠିବ ? ବାଲେଶ୍ବର ଘଟଣା ପରି ଆଉ କେତେ ଘଟଣା ଘଟିଲେ ସରକାର ସକ୍ରିୟ ହେବେ ? ସବୁବେଳେ ଚୋର ଗଲା ପରେ ପୋଲିସ ସକ୍ରିୟ କାହିଁକି ? ଏମିତି ସବୁବେଳେ କାହିଁକି ହୁଏ, ଘଟଣା ଘଟିସାରିଲା ପରେ ହିଁ ପୋଲିସ-ପ୍ରଶାସନ- ସରକାର.. ପୂରା ବ୍ୟବସ୍ଥା ସମସ୍ୟାର ସମାଧାନ ପାଇଁ ଝାଙ୍କି ହେଇପଡେ । ନ୍ୟାୟ ମାଗି ମାଗି ନାରୀଟେ ମରିଯିବା ପରେ ନ୍ୟାୟ ଦେବାକୁ ଆମ ବ୍ୟବସ୍ଥା ସେହି ପୀଡିତା ପାଇଁ ତତ୍ପର ହୋଇପଡେ.. ହେଲେ ଏ ତତ୍ପରତା ପୂର୍ବରୁ କଣ ପାଇଁ ନଥାଏ  ? ଏହା ଆମ ବ୍ୟବସ୍ଥାର ଭୁଲ ନା ଆମ ବ୍ୟବସ୍ଥାର ରକ୍ତରେ ଏମିତି ହେଙ୍ଗଳାପଣ, ଏମିତି ଖାମଖିଆଲି ରକ୍ତ ବହୁଛି ?

Advertisment

ଅଧିକ ପଢନ୍ତୁ-

ଓଡ଼ିଶାରେ ଆଉ କେତେ ନାରୀ ଜଳିବେ ? ନିଆଁ ଡେଉଁଛି ଜିଲ୍ଲାରୁ ଜିଲ୍ଲା… ଆଇନ ହାତରେ ପଡ଼ିଛି ତାଲା !

କାହାରି କିଛି ହେଲେ ଆମେ ପୋଲିସ ପାଖକୁ ଯାଉ । ଚୋରି, ହତ୍ୟା, ଧମକ, ଆଦି ଅପରାଧିକ ମାମଲାର ସମାଧାନ ପାଇଁ ଆମ ବିଧି ବ୍ୟବସ୍ଥାରେ ପୋଲିସ ପ୍ରଶାସନ ରହିଛି । ସୁରକ୍ଷା ପାଇଁ ବି ଆମେ ପୋଲିସ ପାଖକୁ ଯାଉ.. ମନରେ ଧାରଣା ଥାଏ କି କେହି ସାହାଯ୍ୟ ନକଲେ ବି ପୋଲିସ କରିବ । ସବୁ ଆଡୁ ନିରାଶ ହେବା ପରେ ସାଧାରଣ ଲୋକଟିଏ ପୋଲିସର ଶରଣରେ ପଶେ.. ହେଲେ ବାଡ ଯେବେ କ୍ଷେତ ଖାଏ ବା ପୋଲିସ ଯେବେ ଘଟଣାକୁ ନଜର ଅନ୍ଦାଜ ନକରେ ତେବେ କଣ ହେବ ପରିସ୍ଥିତି ? କଣ ଆଉ ହେବ .. ? ଅତୀତରେ ଯାହା ଘଟୁଥିଲା ଆଉ ଏବେ ଯାହା ଘଟୁଛି ତାହା ଏମିତି ଘଟିଚାଲିଥିବ । ଏମିତି ବାଲେଶ୍ବରରୁ ବଳଙ୍ଗା, ବଳଙ୍ଗାରୁ ବଡ଼ପଦା ଯାଏଁ ଛାତ୍ରୀମାନେ ଜଳୁଥିବେ, ସେମାନଙ୍କ ଜୀବନ ଯାଉଥିବ ଆଉ କଣ ହେବ ?

badapada

ନୁହେଁ ତ ଆଉ କଣ ? ଯେଉଁଠି ପୋଲିସ ଶୁଣିବନି, ଅଭିଯୋଗକୁ ହାଲୁକା ଭାବେ ନେବେ ସେବେ ଏମିତି ସବୁ ଘଟଣା ସାମ୍ନାକୁ ଆସିବ ଠିକ୍ ଏହି ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ପରେ ମୃତ୍ୟୁ ଭଳି । କେନ୍ଦ୍ରାପଡାରେ ଛାତ୍ରୀ ଜଣଙ୍କ ଦେହରେ କିରାସିନି ଢାଳି ଜଳିଗଲେ । ତାଙ୍କ ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂ ଅସହ୍ୟ ହେବାରୁ ସେ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାପା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୁରୁଷ ବନ୍ଧୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭିଡିଓ ପଠାଇ ଧମକ ଦେଉଥିବା ଅଭିଯୋଗ କରି ପୋଲିସର କାର୍ଯ୍ୟଶୈଳୀ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ।

ସେ କହିଛନ୍ତି- ୬ରୁ ୮ ମାସ ତଳେ ଆମେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲୁ । ହେଲେ ପୋଲିସ ଖାମଖିଆଲି ଭାବେ ନମ୍ବର ବ୍ଲକ କରିଦେବାକୁ କହିବା ସହ ଲିଖିତ ଅଭିଯୋଗ ପାଇଁ କହିଥିଲା । ଯାହା ପରେ ନ୍ୟାୟ ନପାଇ ଛାତ୍ରୀ ନିଜକୁ ଜାଳି ଦେଇଛନ୍ତି କୁହାଯାଉଛି । ତେବେ ଏନେଇ ପଟ୍ଟାମୁଣ୍ଡାଇ ଥାନାର ପଲେଇ ବାବୁ ଖାମଖିଆଲି ବୟାନ ଦେଇ କହିଛନ୍ତି- ମୁଁ ମିଡିଆରେ ବାଇଟ ଦେବିନି । କେବେ ଅଭିଯୋଗ ଦେଇଥିଲେ, କଣ ଅଭିଯୋଗ ଦେଇଥିଲେ ମୁଁ ଜାଣିନି । ଏତେ ବଡ଼ ସମ୍ବେଦନଶୀଳ ଘଟଣାରେ ପଲେଇ ବାବୁଙ୍କ ସମ୍ବେଦନହୀନ ବୟାନ ପୋଲିସର କାର୍ଯ୍ଯଶୈଳୀ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

KPD1

ସେପଟେ କେନ୍ଦ୍ରାପଡ଼ାରେ ଏସପି କହିଛନ୍ତି- ମୁଁ ନିଜେ ତଦନ୍ତ କରିବି । ସାଇଣ୍ଟିଫିକ୍‌ ଟିମ୍‌ ଆସୁଛନ୍ତି, ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତଦନ୍ତ ହେବ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ପଲେଇବାବୁ ଯଦି ଅଭିଯୋଗ ନରଖିଥିବେ ସେ ଦିଗରେ ମଧ୍ୟ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ । ଇତିମଧ୍ଯରେ ଛାତ୍ରୀଙ୍କ ମୋବାଇଲ୍ ଜବତ ହୋଇଛି । କୁହାଯାଉଛି ମୋବାଇଲ ହିଁ ଖୋଲିପାରେ ମୃତ୍ୟୁ ରହସ୍ୟ ।

ତେବେ ଏତେସବୁ କାଣ୍ଡ ପରେ ପୋଲିସର ନିଦୁଆ ଆଖି କେମିତି ଖୋଲୁନି..? କେମିତି ପୋଲିସ ସବୁ ଏମିତି ମାମାଲାରେ ତଦନ୍ତ କରୁନି ? ବଡ ଆଶ୍ଚର୍ଯ୍ୟ ଲାଗୁଛି । ନାରୀଟେ ଜଳିଗଲା ପରେ ଯଦି ଏତେ ତତ୍ପରତା, ତା ମୃତଦେହକୁ ମଶାଣି ଯାଏଁ ନେବାକୁ ଏତେ ଶୋଭାଯାତ୍ରା, ଏତେ କଡାକଡ଼ି ବ୍ୟବସ୍ଥା.. ତେବେ ଅଭିଯୋଗ ପରେ ପରେ ହିଁ କାହିଁକି ସକ୍ରିୟ ହେଉନି ବ୍ୟବସ୍ଥା.. ? କଣ ବ୍ୟବସ୍ଥା ବି ସକ୍ରିୟ ହେବାକୁ ଏମିତି ଗୋଟେ ପରେ ଗୋଟେ ବଳୀ ଚାହେଁ ? ୟାର ଉତ୍ତର ଆଜି ଯାଏଁ ନା ମିଳିପାରୁଛି, ନା  ସମସ୍ୟାର ସମାଧାନ ହେଉଛି…